ବାଣିଜ୍ୟ

ଫେରିଯିବ ଫୋର୍ଡ଼

ଜେନେରାଲ ମୋଟର୍ସ, ହାର୍ଲେ ପରେ ଫେରିଯିବ ଫୋର୍ଡ, ଦୁଇ ପ୍ଲାଣ୍ଟରେ ଉତ୍ପାଦନ ବନ୍ଦ ପାଇଁ ନିଷ୍ପତ୍ତି !

ପ୍ରମୁଖ ଆମେରିକୀୟ କାର ନିର୍ମାତା କମ୍ପାନୀ ‘ଫୋର୍ଡ’ ଭାରତରୁ ଫେରିଯିବ। ଭାରତରେ ଆଉ ତିଆରି ହେବନି ଫୋର୍ଡ କାର। ଦୀର୍ଘ ସଂଘର୍ଷ ପରେ ଶେଷରେ କମ୍ପାନୀ ଫେରିଯିବାକୁ ନିଷ୍ପତ୍ତି କରିଥିବା ଜଣାପଡ଼ିଛି। ଏହି କମ୍ପାନୀର କାର ବିକ୍ରି ଦେଶରେ ଲଗାତାର କମିବାରେ ଲାଗିଛି। ଏପରିକି କମ୍ପାନୀ ଦୀର୍ଘ ଦିନ ହେଲା କୌଣସି ନୂଆ ମଡେଲ ଭାରତୀୟ ବଜାରରେ ଲଞ୍ଚ କରିନାହିଁ। ତେଣୁ ଦେଶରେ ଥିବା ଦୁଇଟି ପ୍ଲାଣ୍ଟରେ ଉତ୍ପାଦନ ବନ୍ଦ କରିବ ବୋଲି କମ୍ପାନୀ ନିଷ୍ପତ୍ତି ନେଇଛି । ରୟଟର୍ସରେ ପ୍ରକାଶିତ ଖବର ମୁତାବିକ, ଫୋର୍ଡ ମୋଟର କମ୍ପାନୀ ଭାରତରେ ଥିବା ଦୁଇଟି ନିର୍ମାଣ ୟୁନିଟ୍‌ରେ ଉତ୍ପାଦନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଲାଭ ହେଉନଥିବାରୁ ଫୋର୍ଡ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି।

କିନ୍ତୁ ଏନେଇ କମ୍ପାନୀ ପକ୍ଷରୁ ଔପଚାରିକ ଭାବେ କୌଣସି ଘୋଷଣା ହୋଇନାହିଁ। ତେବେ ଏହି ଆନାଉନ୍ସମେଣ୍ଟ ଖୁବଶୀଘ୍ର ହୋଇପାରେ। ଗୁଜୁରାଟର ସାନନ୍ଦ ଏବଂ ତାମିଲନାଡୁର ମରାଇମଲାଇରେ ଥିବା ଦୁଇଟି ଫୋର୍ଡ ପ୍ଲାଣ୍ଟରେ ଉତ୍ପାଦନ ବନ୍ଦ ହେବ। ଭାରତରେ କମ୍ପାନୀକୁ ଲାଭ ହେଉନଥିବାରୁ ପ୍ରଡକ୍ସନ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିବା ସୂତ୍ରରୁ ସୂଚନା ମିଳିଛି । ଏବେ କେବଳ ବାହାର ଦେଶରୁ ଆମଦାନୀ କାର ବିକ୍ରି ଜାରି ରହିବ। ଜେନେରାଲ ମୋଟର୍ସ, ହାର୍ଲେ ଡେଭିଡସନ୍‌ ପରେ ଫୋର୍ଡ ତୃତୀୟ ଆମେରିକୀୟ କମ୍ପାନୀ ଯିଏକି ଭାରତରେ ନିଜର କାରବାର ବନ୍ଦ କରିବାକୁ ଯାଉଛି। ଯଦି ଫୋର୍ଡ କାରର ବିକ୍ରି ରିପୋର୍ଟ ଦେଖାଯାଏ ତେବେ କମ୍ପାନୀ ଅଗଷ୍ଟରେ କେବଳ ୧୫୦୮ ୟୁନିଟ ବିକ୍ରି କରିଛି। ଗତବର୍ଷ ଅଗଷ୍ଟରେ ଏହି ସଂଖ୍ୟା ୪,୭୩୧ ଥିଲା। ଏହାକୁ ଦେଖିଲେ ଗୋଟିଏ ବର୍ଷରେ କମ୍ପାନୀର ବିକ୍ରି ହାର ୬୮.୧ ପ୍ରତିଶତ ହ୍ରାସ ପାଇଛି ।

Show More

Related Articles

Back to top button