ଓଡ଼ିଆ ଗଳ୍ପସ୍ୱତନ୍ତ୍ର

ଆସନ୍ତୁ ପଢିବା ଆଜିର ରାତ୍ରି କାହାଣୀ

ମୁମ୍ବାଇ ଷ୍ଟେସନ, ପ୍ଲାଟଫର୍ମ ଉପରେ ଖାସ୍ ସେମିତି ଭିଡ ନ ଥିଲା । ମୁମ୍ବାଇ କଟିହାର ଟ୍ରେନ ଛିଡା ହୋଇଥାଏ ଦୁଇ ନମ୍ବର ପ୍ଲାଟଫର୍ମ ଉପରେ।
ଏସି ବଗିରେ ଟିକେଟ କରି ବସେଇ ଦିଆ ହେଇଛି ୟାଦବକୁ । ଜୀବନରେ ପ୍ରଥମ ଥର ପାଇଁ ଏସି ବଗିରେ। ଗାଡି ଛାଡି ନାହିଁ, କି ଏସି ଅନ୍ ହୋଇନି। ଆଗରୁ ବସେଇ ଦେଇ ଚାଲିଗଲେ ସେମାନେ। ଝାଳେଇ ଗଲାଣି ୟାଦବ ଗାଡି ଭିତରେ। ଧୀରେ ଧୀରେ ଲୋକମାନେ ଭିତରକୁ ପଶିବା ଆରମ୍ଭ କଲେ। ସମସ୍ତଙ୍କୁ ଆଶ୍ଚର୍ଯ୍ୟ ହୋଇ ଅନାଉଥାଏ ସେ। ମୁମ୍ବାଇ ଷ୍ଟେସନ, ଗାଡି ଭିତରେ ସବୁ ନୂଆ ନୂଆ ମୁହଁ। ବ୍ଲେଜର ପିନ୍ଧି ବସିଛି ୟାଦବ, ସେମିତି କିଛି ଲାଜ ଲାଗୁ ନ ଥାଏ ୟାଦବକୁ, ଯଦିଓ ଜୀବନରେ ପ୍ରଥମ ଥର ପାଇଁ ବ୍ଲେଜର ପିନ୍ଧିଛି।
ପାଦ ଚିହ୍ନ ନ ଥିବା ରାସ୍ତାରେ ଏକା ଏକା ଚାଲିବାକୁ ଭୟ ଲାଗେ, ହଠାତ୍ ପାଦ ଚିହ୍ନ ଦେଖିଲେ ଦେହରେ ସାହାସ ସଂଚାର ହୁଏ। ହାତ ପା’ନ୍ତାରେ ଅନୁଭୂତ ହୁଏ ଲକ୍ଷ୍ୟ ଆଉ ସଫଳତା। ୟାଦବ କୁ ଲାଗୁଥିଲା ଯେମିତି ସ୍ବପ୍ନ ସବୁ ସାକାର ହେଉଛି ତା ଆଖି ଆଗରେ।

କିଏ ଜଣେ ଆସି ଏସି ଅନ୍ କରିଦେଲେ, ଥଣ୍ଡା ହୋଇଗଲା କୋଚ ଭିତରଟା। ବେଶ୍ ଆରାମ ଲାଗିଲା, ବ୍ଲେଜର ବୋତାମ ଲଗେଇ ବସିଲା ୟାଦବ ।

ଟି ଟି ଆସି ପଚାରିଲେ ଆପଣ ତୋଫାନି ୟାଦବ ? ମୁମ୍ବାଇରେ ଚାରି ପାଞ୍ଚ ଦିନ ରହଣି ଭିତରେ ସେ ଭୁଲି ଯାଇଥିଲା ଯେ ତା ନାଁ ତୋଫାନି ବୋଲି। ସମସ୍ତେ ତାଙ୍କୁ ୟାଦବଜୀ ନାଁ ରେ ଡାକୁଥିଲେ। ନିଜ ନାଆଁଟିକୁ ଫେରି ପାଇ ଭାରି ଖୁସି ହେଲା ସେ। ତୋଫାନି ଜୋତା ସିଲେଇ କରି ଗୁଜୁରାଣ ମେଣ୍ଟାଏ । ଯଦିଓ ତାଙ୍କ ଜାତିର ଲୋକେ ସାଧାରଣତଃ ଜୋତା ସିଲେଇ କରନ୍ତି ନାହିଁ। ତୋଫାନି ର ଝିଅ ପ୍ରିୟଙ୍କା। କନ୍ସର୍ଟ ଇନ୍ ଟିଭି ପ୍ରଗ୍ରାମରେ ସିଲେକ୍ଟ ହୋଇ ସୁଦୂର ଫର୍ବେଶଗଞ୍ଜ ରୁ ମୁମ୍ବାଇ ଆସିଛି । ବୟସ ଆଉ କେତେ, ଅତି ବେଶିରେ ଏଗାର କି ବାର ହେବ, ବାସ୍। ଝିଅକୁ ପ୍ରଗ୍ରାମ ସରିବା ପର୍ଯ୍ୟନ୍ତ ରହିବାକୁ ହେବ ମୁମ୍ବାଇରେ। ନିଜ ଧର୍ମ ପତ୍ନୀଙ୍କ ଜିମାରେ ଛାଡି ଆସିଛି ଝିଅକୁ। ସେଆଡେ ଚିନ୍ତା ଘାରୁଛି ନିଜ ଗାଁ, ନିଜ ସହର, ଘର ଦ୍ବାର ଆଉ ଜୋତା ସିଲେଇ କଥା। ଷ୍ଟେସନ ଉପରେ ଜାଗାଟାକୁ ବଞ୍ଚାଇବାକୁ ହେବ। ତା ନ ହେଲେ ଯୋଉ ଦି ପଇସା ରୋଜଗାର ହୁଏ, ସେଇଟା ବି ବନ୍ଦ ହେଇଯିବ, ସବୁଦିନ ପାଇଁ। ସେଇଥିପାଇଁ ବୋଧେ ଆଗୁଆ ଫେରି ଆସୁଛି ସେ ତା ଗାଆଁକୁ…

ଟ୍ରେନ ଚାଲିଥାଏ ଆଗକୁ ଅଙ୍କା ବଙ୍କା ହୋଇ। କାଚ ଦେଇ ବାହାର ଦୃଶ୍ୟ ଦେଖୁଥିଲା ତୋଫାନି। ମନ ବୁଝୁ ନ ଥାଏ। ଝର୍କା ଖୋଲା ଥିଲେ ସୁଲୁ ସୁଲିଆ ପବନ ଆସି ତା ଦେହରେ ବାଜୁ ଥାଆନ୍ତା। ଧାନ କିଆରୀରୁ ପତଙ୍ଗ ସବୁ ଉଡି ଆସି ବସୁ ଥାଆନ୍ତେ ତା ଦେହ ଉପରେ। ନିରୁପାୟ ସେ। ସବୁ ଇଚ୍ଛା ପୂରଣ ହୁଏନି। ଏସି କୋଚ ର ଝାପସା କାଚ ଦେଇ ଅନିଚ୍ଛା ସତ୍ତ୍ୱେ ଅନେଇ ବସି ଥାଏ ବାହାର କୁ। ଅଚାନକ ଗତ ରାତିରେ ଘଟିଥିବା ସବୁ ଘଟଣା ଆଖି ଆଗରେ ଭାସି ଉଠିଲା, ଅନ୍ୟ ମନସ୍କ ହୋଇ ଗଲା କିଛି ମୁହୂର୍ତ୍ତ ପାଇଁ..

“ଝିଅ ଗୀତଟିଏ ଗାଇବା ପରେ ଜଜ୍ ମାନେ କହିଲେ ଆମେ ପ୍ରିୟଙ୍କାର ବାପା ମାଙ୍କୁ ଦେଖିବାକୁ ଚାହୁଁଛୁ। ମୁଁ ମୋ ସ୍ତ୍ରୀ ସାଥିରେ ମଞ୍ଚ ଉପରକୁ ଆସିଲି, କରତାଳିରେ ଭରି ଉଠିଲା ହଲଟି।
ଜଣେ ମୋ ସ୍ତ୍ରୀଙ୍କୁ ପଚାରିଲେ, ତମ ନାଁ କଣ ???
ଲାଜେଇ ଗଲା …

କୁହ, ତମ ନାଁ । ଖାଲି ହସୁଥିଲା ପ୍ରିୟଙ୍କାର ମା, ବାସ୍

ମୁଁ କହିଲି, ସାର୍ ! ସେ ଜନ୍ମରୁ ମୂକ। ଅଚାନକ ବାସ୍ତବତା ଭିତରେ ଜୀବନକୁ ଅନୁଭବ କଲେ ସମସ୍ତେ, ଏମିତି ସବୁ କାହାଣୀ ମଣିଷକୁ ବିବ୍ରତ କରେ ପୁଙ୍ଖାନୁପୁଙ୍ଖ ଭାବେ। ବାସ୍ତବତା କେତେ ନିଷ୍ଠୁର, ନିସ୍ତବ୍ଧ ହେଇଗଲା ହଲ ଭିତରେ ପୃଥିବୀଟା, କାହିଁକି କେଜାଣି…ସମସ୍ତେ ଭାବୁଥିଲେ ବୋଧେ ଜନ୍ମରୁ ମୂକ ମାଆଟିଏ, କୋକିଳ କଣ୍ଠ ପ୍ରିୟଙ୍କାକୁ ଜନ୍ମ ବି ଦେଇ ପାରେ..

ମୁଁ ତୋଫାନି ୟାଦବ। ଫର୍ବେଶଗଞ୍ଜ ଷ୍ଟେସନ ପାଖରେ ମୋ ଘର। ମୁଁ ଜୋତା ସିଲେଇ କରେ। ପ୍ରିୟଙ୍କାର ସଙ୍ଗୀତ ପ୍ରତି ଆଗ୍ରହ ଦେଖି ତାକୁ ଗୋଟାଏ ମ୍ୟୁଜିକ ସ୍କୁଲରେ ଆଡମିଶନ କରେଇ ଥିଲି। ସେ ଆଜି ଆପଣଙ୍କ ଆଗରେ ଗୀତ ଗାଉଛି। ଆଖିରୁ ଦୁଇ ଟୋପା ଆନନ୍ଦାଶ୍ରୁ ବହି ଆସିଲା। ଜଜ୍ ମାନେ ଆଖି ପୋଛି ହେଉଥାନ୍ତି, କାହିଁକି କେଜାଣି..
କରତାଳି ଆଉ କର ତାଳି
ମୁଁ ମୋ ଝିଅ କୁ କୋଳେଇ ଧରିଲି, ତାରି ପାଇଁ ଏତେ କଥା।

ସାର୍ ! ତା ଚପଲ ଟା ମୁଁ ସିଲେଇଛି। ରଙ୍ଗ, ବେରଙ୍ଗ ଚମଡା ଦେଇ ସିଲେଇ କରିଛି ମୁଁ ଅତି ଯତ୍ନରେ ମୋ ଝିଅ ପାଇଁ।
ପୁଣି ଥରେ କର ତାଳିରେ ଭରି ଉଠିଲା ହଲ ଭିତରଟା, ମୋତେ ଲାଗିଲା ଯେମିତି ମୋ ହୃଦୟ ଭିତରେ ଗଚ୍ଛିତ ସବୁ ସ୍ନେହ ସର୍ବ ସମକ୍ଷରେ ମୋ ଝିଅ ପାଇଁ ଆଶୀର୍ବାଦ ହିଁ ଥିଲା। କିଛି କୁହା ହେଇ ନ ଥିବା କଥା ସବୁ ସମୟ ସାଥିରେ ପ୍ରକାଶିତ ହୁଏ। ସମୟ ବଡ ବଳବାନ…
ସାର୍ ! ସେ ମୁମ୍ବାଇ ଆସିବା ଆଗରୁ ମୋ ପାଖରେ ମାତ୍ର ୧୩୦୦ ଟଙ୍କା ଥିଲା। କଣ କରିବି, ମୁଣ୍ଡ କାମ କରୁ ନ ଥିଲା। ଅତି କମରେ ପାଞ୍ଚ ହଳ ଡ୍ରେସ୍ କିଣିବାକୁ ହିଁ ପଡିବ।
ମୁଁ ପଚାରିଲି ପ୍ରିୟଙ୍କା, ମୁମ୍ବାଇ ଯଦି ଆମେ ନ ଯାଉ…..
ହାତ ଯୋଡି ନେହୁରା ହେଲା , କହିଲା ବାପା ! ମୁଁ ମୁମ୍ବାଇ ଯାଇ ଗୀତ ଗାଇବି। ତା ମାଆ ପିନ୍ଧିଥିବା ଦୁଇଟି କାନଫୁଲ ମୋ ହାତକୁ ବଢେଇ ଦେଲା, ମୁଁ ବୁଝିଗଲି ସେ ବିକିବାକୁ କହୁଛି… ବିବାହରେ ଉପହାର ଦେଇଥିବା ସ୍ନେହ ଶ୍ରଦ୍ଧାର ପ୍ରତୀକ ସେଇ ସୁନା କାନ ଫୁଲକୁ ମୁଁ ବିକି ଦେଲି। ନିସ୍ତବ୍ଧତା ଖେଳି ଗଲା ହଲ ଭିତରେ କିଛି ମୁହୂର୍ତ୍ତ ପାଇଁ। ପୁଣି ଥରେ କରତାଳି…

ସମସ୍ତ ଙ୍କ ସମ୍ମାନ ପାଇଁ ଭୂମିଷ୍ଟ ପ୍ରଣାମ କଲି। ମୋ କାଖ ପାଖ ରେ ସାର୍ଟ ଟିକିଏ ଛିଣ୍ଡି ଯାଇଥିଲା ବୋଲି ମୁଁ ଜାଣି ନ ଥିଲି। ଇ ଭେଣ୍ଟ ମେନେଜର ନୂଆ ବ୍ଲେଜର୍ ଟିଏ ପିନ୍ଧେଇ ଦେଇ କହିଲେ ଏଇଟା ମୋ ତରଫରୁ ତମ ପାଇଁ ଉପହାର। ପରେ ଜାଣିଲି ମୋ ଛିଣ୍ଡା ସାର୍ଟ ଦେଖି ମୋ ପାଇଁ ସେ ବୋଧେ ତରଳି ଗଲେ । ନିଜେ ଷ୍ଟେସନ ଆସି ମୋତେ ଟ୍ରେନ ଭିତରେ ବସେଇ ଦେଇଗଲେ। କିଛି ସମ୍ପର୍କକୁ ତଉଲି ହୁଏନି, ଆଉ କିଛି ସମ୍ପର୍କକୁ ବୁଝିବା ଏତେ ସହଜ ନୁହେଁ। ଆନ୍ତରିକତାର କିଛି ଚୁମ୍ବକୀୟ ସ୍ପର୍ଶ ମୋତେ ଛୁଇଁ ଯାଇଥିଲା ଗତ ରାତିରେ, ଏତେ ବଡ ସହରୀ ବାବୁ ମୋ ମନକୁ କିଣିନେଲେ, ବଦଳରେ ଅନେକ କିଛି ପାଇଲା ପରି ଲାଗୁଥିଲା ତାଙ୍କ ପାଖରୁ, ବାସ୍ ।”

ଗାଡି ଆସି କଟିହାର ଷ୍ଟେସନରେ ଛିଡା ହେଲା। ଏଇଠୁ ପେସେ ଞ୍ଜର ଗାଡି ଧରି ଫର୍ବେଶଗଞ୍ଜ ଯିବାକୁ ହୁଏ। ନିଜ ଜାଗା। ଲାଜ ଲାଗିଲା ତୋଫାନିକୁ। କିଏ କୁଆଡେ ଦେଖା ହେଇଯିବ ଭାବି ବ୍ଲେଜର ବାହାର କରି ଏଆର ବେଗ ଭିତରେ ରଖିଦେଲା ତୋଫା ନି। ସେଇ ଛିଣ୍ଡା ସାର୍ଟ, ସେଇ ଜୋତା ସିଲେଇ ବାଲା ତୋଫାନି ଚିର ପରିଚିତ କଟିହାର୍ ଷ୍ଟେସନ ପ୍ଲାଟଫର୍ମ ଉପରେ ଚାଲିଲା ଆଗକୁ। ପେସେଞ୍ଜର ଟ୍ରେନ ଧରିବ। ଅଚାନକ ଜଣେ ଯୁବକ ଆସି କହିଲା ଆପଣ ପ୍ରିୟଙ୍କାର ଡାଡି

-ହଁ

ଆସନ୍ତୁ ଗୋଟାଏ ସେଲଫି ନେବି ଆପଣଙ୍କ ସହିତ।
ଭକୁଆ ପରି ଅନେଇଥିଲା ତୋଫାନି। ଫଟୋ ନେଇସାରି ଯୁବକ ଟି କହିଲା ଆମେ ଆପଣଙ୍କ ପାଇଁ ଗର୍ବିତ, ପ୍ରିୟଙ୍କା ମୁମ୍ବାଇରେ ଗୀତ ଗାଇ ଆମ ଅଞ୍ଚଳର ନାଁ ରଖୁଛି। ଆଉ ଆପଣ ପ୍ରିୟଙ୍କା ର ପିତାଜୀ। ବାଃ… ଟିଭିରେ କାଲି ଆପଣଙ୍କୁ ଦେଖିଥିଲୁ !!!

ଯୁବକ ଟି ଧୀରେ ଧୀରେ ପ୍ଲାଟ ଫର୍ମ ଭିଡ ଭିତରେ କୁଆଡେ ହଜିଗଲା। ଇନ୍ଦ୍ରଧନୁର ସପ୍ତରଙ୍ଗରେ ଆକାଶର ଶୋଭା ବର୍ଦ୍ଧନ ହୁଏ, ସମସ୍ତେ ଅନେଇ ଥାଆନ୍ତି ବିଚାରା ଆକାଶକୁ। ଆକାଶକୁ ନେଇ ଖୁସି ହୁଅନ୍ତି। ଝିଅକୁ ନେଇ ପରିଚୟ ହାସଲ କରିଛି ତୋଫାନି, ଏ ସବୁ ତା ବିଶ୍ବାସର ବାହାରେ। କେତେ କେତେ ଲୋକ ଆସି ଜୋତା ସିଲେଇ କରି ପ୍ଲାଟଫର୍ମ ର ଭିଡ ଭିତରେ ଲୁଚି ଯାଆନ୍ତି। ନା ତୋଫାନି ମନେ ରଖେ ସେମାନଙ୍କୁ ନା ସେମାନେ ମନେ ରଖନ୍ତି ତୋଫାନିକୁ। ଆଜି କିନ୍ତୁ କଥା ଅଲଗା। ସାରା ଭାରତର ଲୋକେ ତାକୁ ଟିଭିରେ ଦେଖିଛନ୍ତି। ଏ ସବୁ କେବଳ ତା ଝିଅ ପାଇଁ। ଆଖି ବନ୍ଧ ଡେଇଁ ଦୁଇ ଟୋପା ଆନନ୍ଦାଶ୍ରୁ ବହି ଆସିବା ଆଗରୁ ତୋଫାନି ନିଜକୁ ନିୟନ୍ତ୍ରଣ କରିନେଲା। କିଛି ନ ଥାଇ କି ବି ଅନେକ କିଛି ଆଜି ତା ମନ ଭିତରେ, କିଛି ସ୍ବପ୍ନ ସତ ପରି ଲାଗେ, ମୁମ୍ବାଇରୁ ଫର୍ବେଶଗଞ୍ଜ ଭିତରେ ଐତିହାସିକ ଲାଗିଲା କିଛି ମୁହୂର୍ତ୍ତ ତୋଫାନି ପାଇଁ। କେହି ଜଣେ ତା ସହିତ ଫଟୋ ଉଠେଇବା ଭିତରେ ସଫଳତାର ରହସ୍ୟ ଲୁଚି ରହିଥାଏ ବୋଲି ବୁଝିଲା ବେଳକୁ ଝାପ୍ସା ଝାପ୍ସା ଦେଖା ଯାଉଥିଲା ଆଗରେ ଛିଡା ହେଇଥିବା କଟିହାର ଫର୍ବେଶଗଞ୍ଜ ଲୋକାଲଟି। ହେଣ୍ଡେଲ ଧରି ଧିରେ ଧିରେ ଉଠୁଥିଲା ଟ୍ରେନ ଭିତରକୁ ତୋଫାନି ୟାଦବ…ପ୍ରିୟଙ୍କା ତାର ଝିଅ ବୋଲି ଭାବିଲା ବେଳକୁ କୁଣ୍ଢେ ମୋଟା ହେଇ ଯାଉଥିଲା ତୋଫାନିର ଛାତିଟା…. ଟ୍ରେନ ଭିତରେ ଯାଇ ବସିଲା ସେ। ଏକ ଅଦ୍ଭୁତ ଆତ୍ମତୃପ୍ତି !! ପ୍ରିୟଙ୍କା କୁ ନେଇ ତୋଫାନୀ ର ପରିଚୟ ଓ ଜୋତା ସିଲେଇରୁ ସେଲ୍ଫି ପର୍ଯ୍ୟନ୍ତ ଯାତ୍ରା ଭିତରେ ନିଜ ଜୀବନ ସଂଘର୍ଷ କୁ ବୁଝିବାକୁ ଚେଷ୍ଟା କରୁଥିଲା ତୋଫାନି, ଟ୍ରେନ ଚାଲିଲା ଆଗକୁ। ଝର୍କା ଦେଇ ଅନାଉଥିଲା ସେ ନୀଳ ଆକାଶ ଆଡ଼କୁ…ମନ କିନ୍ତୁ ଥିଲା ସ୍ତ୍ରୀ ର କାନଫୁଲ ପାଖରେ, ଗାଆଁରେ ବ୍ଲେଜର ଆଉ କିଏ ପିନ୍ଧିବ ? ଭାବୁଥିଲା, ବ୍ଲେଜରଟାକୁ ବିକି ଦେଇ ହଳେ କାନଫୁଲ କଣ ସେ କିଣି ପାରିବ ତା ସ୍ତ୍ରୀ ପାଇଁ…. କେତେ ଖୁସି ହେବ ବିଚାରୀ ???

ଏନ୍ ନନ୍ଦି/ ଦୁନ୍ଦକୋଟ/ ବାଲେଶ୍ଵର

 

Show More

Related Articles

Back to top button