ଦେଶ ବିଦେଶବାଣିଜ୍ୟ

୧୮ ମାସରେ ୩୬ ଟଙ୍କା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ୍ ଦାମ

ଡିଜେଲ୍ ଭାଙ୍ଗିଲା ସବୁ ରେକର୍ଡ

ଦେଶରେ ଲଗାମହୀନ ହୋଇ ପଡିଛି ପେଟ୍ରୋଲ ଓ ଡିଜେଲ୍ ଦର। ଆକାଶଛୁଆଁ ତୈଳ ଦରରେ ବେହାଲ ସାଧାରଣ ଜନତା। ଏହା ସତ୍ତ୍ଵେ ପେଟ୍ରୋଲ ଓ ଡିଜେଲ୍ ଦାମ କମିବା ପରିବର୍ତ୍ତେ ଦିନକୁ ଦିନ ଅଧିକ ମହଙ୍ଗା ହେବାରେ ଲାଗିଛି। ବିଶେଷ କରି କରୋନା କାଳରେ ଇନ୍ଧନ ଦାମ ଅହେତୁକ ବୃଦ୍ଧି ଘଟିଛି। ୨୦୨୦ ମେ ଆରମ୍ଭରୁ ଏ ପର୍ଯ୍ୟନ୍ତ ପେଟ୍ରୋଲ ଲିଟର ପିଛା ୩୬ ଟଙ୍କା ମହଙ୍ଗା ହୋଇ ସାରିଲାଣି। ଅନ୍ୟପଟେ ଡିଜେଲ୍ ଦାମ ୨୬.୫୮ ଟଙ୍କା ବୃଦ୍ଧି ଘଟିଛି। ଦେଶର ପ୍ରାୟ ସମସ୍ତ ସହରରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଉପରେ ରହିଛି। କିଛି ସହରରେ ତ ଡିଜେଲ୍ ଲିଟର ପ୍ରତି ୧୦୦ ଟଙ୍କା ଉପରେ ବିକ୍ରି ହେଉଛି।

ମେ ମାସରେ ବଢିଥିଲା ଉତ୍ପାଦ ଶୁଳ୍କ

୨୦୨୦ ମେ ପ୍ରଥମ ସପ୍ତାହରେ ସରକାର ପେଟ୍ରୋଲ ଓ ଡିଜେଲ୍ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି କରାଯାଇଥିଲା। ଅଜବ କଥା ସେହି ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପ୍ରତି ୧୯ ଡଲାର ଥିଲା। ଆଶା କରାଯାଉଥିଲା ଏହି ଦର ହ୍ରାସର ଫାଇଦା ସାଧାରଣ ଜନତାଙ୍କୁ ମିଳିବ। ହେଲେ ସରକାର ଏହାର ବୀପରିତ ଉତ୍ପାଦ ଶୁଳ୍କ ବଢାଇ ଦେଲେ। ଏଥିରେ ଉପଭୋକ୍ତା ସ୍ଵଳ୍ପ ସମୟ ପାଇଁ ଆଶ୍ଵସ୍ତି ମିଳିଥିଲା। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ ବ୍ୟାରେଲ୍ ପ୍ରତି ୮୫ ଆମେରିକୀୟ ଡଲାର ରହିଛି। ଆଉ ଏହି ସମୟରେ ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପ୍ରତି ୩୨.୯ ଟଙ୍କା ଏବଂ ଡିଜେଲ୍ ୩୧.୮ ଟଙ୍କା ରହିଛି।

ସରକାରଙ୍କ ଯୁକ୍ତି

ପେଟ୍ରୋଲ ଓ ଡିଜେଲ୍‌ର ଆକାଶଛୁଆଁ ଦରକୁ ନେଇ ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ଆସିଛି। ନିକଟରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ପେଟ୍ରୋଲ ଓ ଡିଜେଲ୍‌ରୁ ଆସୁଥିବା ଟ୍ୟାକ୍ସ ଜରିଆରେ ସରକାର କରୋନା କାଳରେ ମାଗଣା ଟିକା, ମାଗଣା ଭୋଜନ ଓ ରୋଷେଇ ଗ୍ୟାସ୍ ବନ୍ଦୋବସ୍ତ କରୁଛନ୍ତି। ଏହା ବ୍ୟତୀତ ଅନେକ ସରକାରୀ ଯୋଜନାରେ ଏହାର ଲାଭ ମିଳିଛି। କଣ ସରକାର ଉପଭୋକ୍ତାଙ୍କ ଉପରେ ବୋଝ କରିବା ପାଇଁ ଟ୍ୟାକ୍ସ ହ୍ରାସ କରିବେ। ଯାହା ପେଟ୍ରୋଲ ମୂଲ୍ୟର ୫୪ ପ୍ରତିଶତ ଏବଂ ଡିଜେଲ୍‌ ମୂଲ୍ୟର ୪୮ ପ୍ରତିଶତ ଅଧିକ ରହିଛି।

ଏହା ପୂର୍ବରୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ରାଷ୍ଟ୍ର ମନ୍ତ୍ରୀ ରାମେଶ୍ଵର ତେଲି କହିଥିଲେ ଯେ, ପେଟ୍ରୋଲ ଓ ଡିଜେଲ୍ ଉପରେ କେନ୍ଦ୍ର ସରକାରଙ୍କ କର ସଂଗ୍ରହ ବୃଦ୍ଧି ଘଟିଛି। ଏହା ପୂର୍ବର ୨୦୧୮-୧୯ରେ ତୈଳ ଉପରେ ଉତ୍ପାଦ ଶୁଳ୍କ ସଂଗ୍ରହ ୨.୧୩ ଲକ୍ଷ କୋଟି ଥିଲା। କିନ୍ତୁ ଏବେ ୮୮ ପ୍ରତିଶତ ବଢି ୨୦୨୧ ମାର୍ଚ୍ଚ ସୁଦ୍ଧା ୩.୩୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

ତେଲ ବଣ୍ଡ ମଧ୍ୟ ଦର ବୃଦ୍ଧିର କାରଣ

ହରଦୀପ ପୁରୀ ୟୁପିଏ ଶାସନକାଳର ତେଲ ବଣ୍ଡ ଏବଂ ଏହାର ସୁଧ ଭରଣା ଉଲ୍ଲେଖ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ, ୟୁପିଏ ଅମଳରେ ୧.୩୪ ଲକ୍ଷ କୋଟି ଟଙ୍କାର ତେଲ ବଣ୍ଡ ମଧ୍ୟରୁ କେବଳ ୩୫୦୦ ଟଙ୍କା ମୂଳଧନ ପୈଠ କରାଯାଇଥିଲା। ବାକି ୧.୩୦ ଲକ୍ଷ କୋଟି ଚଳିତ ଆର୍ଥିକ ବର୍ଷଠୁ ନେଇ ୨୦୨୫-୨୬ ମଧ୍ୟରେ ଭରଣା କରିବାକୁ ପଡିବ। ସରକାରଙ୍କୁ ସେହି ହିସାବରେ ଚଳିତ ଆର୍ଥିକ ବର୍ଷ(୨୦୨୦-୨୧)ରେ ୧୦ ହଜାର କୋଟି ଟଙ୍କା ପୈଠ କରିବାକୁ ପଡିବ। ସେହି ପରି ୨୦୨୩-୨୪ରେ ୩୧,୧୫୦ କୋଟି ଟଙ୍କା, ୨୦୨୧-୨୨ରେ ୫୨,୮୬୦.୧୭ କୋଟି ଏବଂ ୨୦୨୫-୨୬ରେ ୩୬,୯୧୩ କୋଟି ଟଙ୍କା ଦେବାକୁ ପଡିବ।

Show More

Related Articles

Back to top button