Breaking PLUSଦେଶମୁଖ୍ୟ ଖବର

ଦେଶବାସୀଙ୍କୁ କ୍ଷମା ମାଗିବା ସହିତ ୩ କୃଷି ଆଇନକୁ ପ୍ରତ୍ୟାହାର କଲେ ପ୍ରଧାନମନ୍ତ୍ରୀ

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ଗୁରୁ ନାନକ ଜୟନ୍ତୀ । ଏହି ପବିତ୍ର ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବା ନେଇ ଘୋଷଣା କରିଛନ୍ତି । ଦୀର୍ଘ ଗୋଟିଏ ବର୍ଷ ହେଲା କେନ୍ଦ୍ର ସରକାରଙ୍କ ଏହି କୃଷି ଆଇନକୁ ବିରୋଧ କରି ଶତାଧିକ ଲୋକ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିଲେ ।

ଶେଷରେ ମୋଦି ଆଜି ଏହାକୁ ପ୍ରତ୍ୟାହାର କରାଯାଉଥିବା ଘୋଷଣା କରିଛନ୍ତି । ଏଥିସହ କିଛି ଚାଷୀଙ୍କୁ ଆଇନର ମହତ୍ତ୍ୱ ବିଷୟରେ ସରକାର ବୁଝାଇ ପାରି ନଥିବାରୁ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ମୋଦି । କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଘରକୁ ଫେରିଯିବାକୁ କହିଛନ୍ତି ।

ମୋଦି କହିଛନ୍ତି, ଚାଷୀଙ୍କ ସମସ୍ୟା, ଅସୁବିଧାକୁ ଅତି ନିକଟରୁ ଦେଖିଛି । କେନ୍ଦ୍ର ସରକାର ସବୁବେଳେ କୃଷି କଲ୍ୟାଣକୁ ଅଧତ୍କ ପ୍ରାଥମିକତା ଦେଇଛନ୍ତି । ଦେଶରେ ଶହେରୁ ୮୦ ଜଣ ହେଉଛନ୍ତି କ୍ଷୁଦ୍ରଚାଷୀ । ଦେଶରେ କ୍ଷୁଦ୍ରଚାଷୀଙ୍କ ସଂଖ୍ୟା ୧୦ କୋଟିରୁ ଅଧିକ । କ୍ଷୁଦ୍ର ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ଉଦ୍ୟମ ଚାଲିଛି । କୃଷକଙ୍କୁ ୨୨ କୋଟି ସଏଲ ହେଲ୍ଥ୍ କାର୍ଡ ମିଳିଛି । ଚାଷୀଙ୍କ ସ୍ୱାର୍ଥକୁ ଦେଖି ପୁରୁଣା ନିୟମରେ ପରିବର୍ତ୍ତନ କରାଯାଇଥିଲା । ଦେଶର ବିଭିନ୍ନ ମଣ୍ଡିକୁ ନବୀକରଣ କରାଯାଇଛି ।

ଚାଷୀଙ୍କ ହିତ ପାଇଁ କେନ୍ଦ୍ର ସରକାର ସମସ୍ତଙ୍କ ସହ ଆଲୋଚନା କରି ୩ଟି ନୂଆ କୃଷି ଆଣିଥିଲେ । କ୍ଷୁଦ୍ରଚାଷୀଙ୍କୁ ସୁଦୃଢ କରିବାକୁ ନୂଆ ଆଇନରେ ବ୍ୟବସ୍ଥା କରାଯାଇଥିଲା । ଏହାକୁ ବିଭିନ୍ନ ମହଲରେ ଚାଷୀମାନେ ସ୍ୱାଗତ କରିଥିଲେ । କିନ୍ତୁ ଏହି ଆଇନକୁ କିଛି ଗୋଷ୍ଠୀ ଓ କିଛି ଚାଷୀ ବିରୋଧ କରିଥିଲେ ।

ଆମେ ପୂରା ନିଷ୍ଠା ଓ ସ୍ୱଚ୍ଛତାର ସହ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲୁ । କିଛି ଲୋକ ଏହାକୁ ବୁଝିଥିବା ବେଳେ ଆଉ କିଛି ବୁଝି ନଥିଲେ । କିଛି ଚାଷୀଙ୍କୁ ଆମେ ବୁଝାଇ ପାରି ନଥିବାରୁ କ୍ଷମା ମାଗୁଛି । ବୋଧେ ଆମ ତରଫରୁ କିଛି ଭୁଲ ରହିଗଲା । ଏବେ କାହାକୁ ଦୋଷ ଦେବା ଠିକ ହେବନି । ତେଣୁ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସମ୍ମାନ ଜଣାଇ ଆମେ ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ । ଏବେ ଦୀର୍ଘ ଦିନ ହେଲା ରାସ୍ତାରେ ବସିଥିବା ଚାଷୀମାନେ ନିଜ ନିଜ ଘରକୁ ଫେରି ଯାଆନ୍ତୁ ।

ଆମେ ଆସନ୍ତା ସଂସଦର ଶୀତ ଅଧିବେଶନରେ ଆଇନକୁ ପ୍ରତ୍ୟାହାର କରିବାକୁ ସବୁ ପ୍ରକାରର ସାମ୍ବିଧାନିକ ବ୍ୟବସ୍ଥା ଗ୍ରହଣ କରିବୁ । ଏହି ଆଇନକୁ ସଂସଦରେ ବିତର୍କ ଓ ଆଲୋଚନା ପରେ ପାରିତ କରାଯାଇଥିଲା ମୋଦି କହିଛନ୍ତି ।

 

Show More

Related Articles

Back to top button