Breaking PLUSଦେଶମୁଖ୍ୟ ଖବର

ରାଜଧାନୀରେ ବାୟୁ ପ୍ରଦୂଷଣ ଯୋଗୁଁ ୨୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ

ବିନା ଅନୁମତିରେ ପଶିପାରିବନି ଟ୍ରକ

ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ଥିତିରେ କୌଣସି ପ୍ରକାର ସୁଧାର ଆସିନାହିଁ । ଯାହାଫଳରେ ଏନେଇ ଲଗାଯାଇଥିବା କଟକଣା ବଳବତ୍ତର ରହିଛି । ଏହି ପରିପ୍ରେକ୍ଷୀରେ ଲାଗୁ ହୋଇଥିବା କଟକଣାକୁ ଆହୁରି କିଛି ଦିନ ବଢ଼ାଇ ଦେଇଛନ୍ତି । ବାୟୂ ପ୍ରଦୂଷଣ ହେଉଥିବା ଯୋଗୁଁ ସରକାରୀ ସ୍କୁଲକୁ ଆଗାମୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯିବ ।

ଏହା ଭିତରେ ଅନଲାଇନରେ ବୋର୍ଡ ପରୀକ୍ଷା ଜାରି ରହିବ । ଗତକାଲି ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏ ବାବଦରେ ଏକ ନିର୍ଦ୍ଦେଶ ଜାରି କରି ବିଦ୍ୟାଳୟଗୁଡ଼ିକ ବନ୍ଦ ରଖିବା ନେଇ ନିଆଯାଇଥିବା ନିଷ୍ପତ୍ତିକୁ ଆହୁରି ବଢ଼ାଇ ଦେଇଛନ୍ତି । ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ସ୍କୁଲର ପ୍ରିନ୍ସିପାଲ୍, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଏହି ଆଦେଶ ସମ୍ପର୍କରେ ଅବଗତ କରାଇବାକୁ କୁହାଯାଇଛି ।

କିଛି ଦିନ ହେବ ପ୍ରଦୂଷଣ ହେତୁ ବାୟୁ ଖରାପ ହେଉଥିବାରୁ ଗୁଣବତ୍ତା ପରିଚାଳନା ଆୟୋଗ ନିର୍ଦ୍ଦେଶ ଜାରି କରି ସବୁ ସ୍କୁଲ ଓ କଲେଜକୁ ଆଗାମୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ କୁହାଯାଇଥିଲା । ଏହି ପରିପ୍ରେକ୍ଷୀରେ ରବିବାର ଦିନ ସ୍କୁଲ-କଲେଜ୍ ବନ୍ଦ ରଖିବାର ଆଦେଶକୁ ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ରଖିବାକୁ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି । ଏହି ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ସରକାରୀ, ସରକାରୀ ସହାୟତା ପ୍ରାପ୍ତ, ସ୍ୱୀକୃତିପ୍ରାପ୍ତ, ନୂଆଦିଲ୍ଲୀ ମ୍ୟୁନିସିପାଲିଟି କାଉନସିଲ୍ (ଏନଡିଏମସି), ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ଦିଲ୍ଲୀ କ୍ୟାଣ୍ଟ ବୋର୍ଡର ସମସ୍ତ ବିଦ୍ୟାଳୟକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜଧାନୀରେ ଆଗାମୀ ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ସବୁ ପ୍ରକାର ନିର୍ମାଣ ଗତିବିଧି କିମ୍ବା ବିଲ୍ଡିଂ ଆଦି ଭାଙ୍ଗିବା ଭଳି କାର୍ଯ୍ୟକଳାପକୁ ରୋକିବାକୁ କୁହାଯାଇଛି । ଏହା ସହିତ ଦିଲ୍ଲୀକୁ ବିନା ଅନୁମତିରେ କୌଣସି ପ୍ରକାର ଟ୍ରକ୍ ପ୍ରବେଶ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

Show More

Related Articles

Back to top button