ଓଡ଼ିଆ ଗଳ୍ପଓଡ଼ିଶା

ଆସନ୍ତୁ ପଢିବା ଆଜିର ରାତ୍ରି କାହାଣୀ

ମାଆ କ'ଣ ଆଉ ମାଉସୀ କ'ଣ

ମାଆ କ’ଣ ଆଉ ମାଉସୀ କ’ଣ

ବିବେକ, ତିନୋଟି ବର୍ଷ ହେଲା, ସୁଦୂର ସୁଦୂର ମୁମ୍ବାଇ ସହରରେ ଚାକିରୀ କରୁଛି । ଚାରି ମହଲା ଉପରେ ଘର ଟିଏ ନେଇ ରହୁଛି।ଏବେ ଅଫିସ୍ କାମ ତ ଘରୁ ନିଆ ଯାଉଛି,! କାମ ସରାଇ ଦେଇ କିଛି ଖାଇବା ଅଡର୍ କଲା । ଖାଇବା ଗୁଡିକୁ ଆଉ ଥରେ ଗରମ୍ କରି ଭଲ ଭାବରେ ହାତକୁ ଧୋଇ ଖାଇ ବସିଲା। ଖାଇ ସାରିଲା ବେଳକୁ ଦେହଟା ଲୋଟି ପଡିବାକୁ ଚାହୁଁଥିଲା, ବସିଥିବା ଖଟଟା ଉପରେ। କଷ୍ଟ ମଷ୍ଟରେ ହାତ ଧୋଇ ଦେହଟାକୁ ଲୋଟାଇ ଦେବାକୁ ଯାଉଛି, ହଠାତ୍ ଫୋନ୍ ର ଘଣ୍ଟିଟା ବାଜିଉଠିଲା। ରାତି ଏଗାରଟା ତିରିଶ୍ ହେବ, ମୋବାଇଲ୍ ସ୍କ୍ରିନ୍ ରେ ଦେଖିଲା ବିବେକ୍, ସୁଧା ମାଉସୀଙ୍କର ପୁଅ ଭାଇଟା ଫୋନ କରିଛି। ଭାବିଲା, ଏତେ ରାତିରେ, କାହିଁକି ସୁଧା ମାଉସୀ ଙ୍କର ପୁଅ ଫୋନ୍ କଲା..? ଭାବି କଲଟି ରିସିଭ୍ କଲା। ମାଉସୀ ପୁଅ ଭାଇ ଆଉ ବିଳମ୍ବ ନ କରି କହିଲା, “ତାଙ୍କର ବୋଉ ଏଇ ଘଣ୍ଟାଏ ହେଲା ଚାଲି ଗଲା.! ମାନେ ସୁଧା ମାଉସୀ ଚାଲିଗଲେ।
ହଠାତ୍ ସୁଧା ମାଉସୀ ଚାଲିଯିବା କଥାଟା ଶୁଣି ବିବେକ ନିଜକୁ ଆଉ ସମ୍ଭାଳି ପାରିଲା ନାହିଁ । ବ୍ୟସ୍ତ ହୋଇ ପଡିଲା। ଏମିତି କେମିତି ସୁଧା ମାଉସୀ ଚାଲି ଗଲେ..? ମାଉସୀଙ୍କ ପୁଅ ଭାଇ ପାଖରେ ଆଉ ଅଧିକ କିଛି କହିବା ପାଇଁ ସମୟ ନଥିଲା। ସେମାନେ ନିଜ ବଂଶ ଘର ଲୋକଙ୍କୁ ଖବର ଦେବେ।
ନିଜ ମୁଣ୍ଡର ବାଳ ଗୁଡିକୁ ହାତର ଆଙ୍ଗୁଳିରେ ଟାଣିବାରେ ଲାଗିଲା। କେବଳ ଏଇ ସୁଧା ମାଉସୀ ଚାଲିଯିବା ଯନ୍ତ୍ରଣା ସହି ଯିବାପାଇଁ । ମସ୍ତିଷ୍କରେ ଅଜଣା ଚାପ ସୃଷ୍ଟି ହୋଇ ବହିପଡିଲା କେତେଧାର ଲୁହ। ହଜି ଯାଇଥିବା ସ୍ମୃତିର ଦିନ ଗୁଡିକ ଆଉ ଥରେ ଜୀବନ୍ତ ରୂପ ନେଲେ..!

ପଞ୍ଚମ ଶ୍ରେଣୀ ପରୀକ୍ଷା ସରିଯିବା ପରେ ବୋଉ ଗୋଟିଏ କପଡା ବ୍ୟାଗ୍ ରେ ପ୍ୟାଣ୍ଟ,ସାର୍ଟ ଭର୍ତ୍ତି କରି ଦେଇ କହିଥିଲା…

–ଦେଖ୍ ବାପା, ଆମ ଗାଁ ରେ ତ ଆଉ ଅଧିକ ପଢିବାକୁ ସ୍କୁଲ ନାହିଁ । ତୋ’ତେ ମାଉସୀ ଘରକୁ ଯାଇ ମ୍ୟାଟ୍ରିକ୍ ପର୍ଯ୍ୟନ୍ତ ପଢିବାକୁ ହେବ। ମଉସା ସିନା ସହରରେ ମାଷ୍ଟ୍ର କାମ କରୁଛନ୍ତି, ସେହି ଦରମାରେ ସହରରେ ନିଜେ ଚଳି, ବାପ, ମାଆଙ୍କର ରୋଗ ବୈରାଗ ଦେଖିବାକୁ ବହୁତ୍ କଷ୍ଟ ହେଉଛି।
ମାଉସୀ ନିଜର ସବୁ ଗହଣା ବିକ୍ରି କରି ଘର ଖଣ୍ଡିଏ କରିଦେଇଥିବାରୁ ସେମାନେ ସହରର ଘର ଭଡାରୁ ବଞ୍ଚି ଯାଉଛନ୍ତି । ବେକରେ ମାଉସୀ କଳାମାଳି ପକାଇ ଆଭାବି ସଂସାର ଚଳାଇ ନେଉଛି। ଏମିତିରେ ବି ତୋତେ ପଢାଇବା ପାଇଁ ରାଜି ହେଇଗଲା। ଆମେ ଅମଳ ପରେ କିଛି ଚାଉଳ ସିନା ତାକୁ ଦେଇ ଦେବୁ, ତୁ ତାଙ୍କର ଘରେ ରହିଲେ, ମାଉସୀ ଉପରେ ନିଶ୍ଚିତ ଭାବରେ ଅଧିକ ପରିଶ୍ରମ ପଡିବ। ନିଜର ମାଆର ଭଉଣୀ ଭାବି ଯେମିତି ଚଳାଇବ ସେମିତି ଚଳିଯିବୁ ବାପା..! ପାଠ ପଢାଇବାରେ ସହଯୋଗ କରି ମାଉସୀ, ତୋ’ର ଜୀବନ ଗଢୁଛି ବୋଲି ଭାବିବୁ। ଏମିତି ଭାବିଲେ, ମାଉସୀ ହାତର ବଢା ପଖାଳରେ ବି ଅବଢା ଅନ୍ନ ର ମହକ ବାରି ପାରିବୁ।
ବାପା ପର ଦିନ ସକାଳୁ ସହରକୁ ନେଇ ମାଉସୀ ଘରେ ଛାଡି ଆସିଲେ। ବାପା ମାଉସୀ ଘରେ ଛାଡି ଗାଁ କୁ ଚାଲିଯିବାରୁ ବହୁତ୍ ଲୁଚାଇ ଲୁଚାଇ କାନ୍ଦି ଥିଲା ବିବେକ୍। ସେଇ ଲୁହ ଭରା କୁନି ଆଖି ଆଗରେ ମାଆର ସୁନ୍ଦର ମୁହଁଟା ଖାଲି ଦିଶିଯାଉଥିଲା। ହଠାତ୍ ମାଆର ମୁହଁ ଭିତରୁ ସୁଧା ମାଉସୀ ଙ୍କର ମୁହଁ ଟା ଆସି ଲୁହ ଦୁଇ ଧାର ପୋଛି ଦେଇ କହିଥିଲା…
–କାନ୍ଦୁଛୁ ବାପା, ବୋଉ ମନେ ପଡୁଛି..? ମାଆ କ’ଣ ଆଉ ମାଉସୀ କ’ଣ.?
ପାଠ ପଢି ଭଲ ମଣିଷ ଟିଏ ହେବୁ। ବାପା, ଚାଷ କାମ କରି ଅନ୍ନ ଉତ୍ପନ୍ନ କରୁଛନ୍ତି, ମଉସା ପାଠ ପଢାଇ ତୋ’ର ପରି ଅଜ୍ଞାନ ପିଲାଙ୍କ ମନରୁ ଅଜ୍ଞାନ ହଟାଉଛନ୍ତି। ତୁ ବି ବଡ ହେଲେ, ଏମିତି କିଛି ଭଲ କର୍ମ କରିବୁ। ମଉସା ଙ୍କର ସ୍କୁଲରେ ତ ପାଠ ପଢିବୁ, ମାଉସୀ ପାଖରେ ରହିବୁ, କାହିଁକି କାନ୍ଦିବୁ କହିଲୁ..? ଛୁଟି ହେଲେ ବୋଉ ପାଖକୁ ଚାଲିଯିବୁନି ।
ମାଉସୀ ଏମିତି କଥା କହି ବୁଝାଇଲା ବେଳକୁ ବିବେକ୍ ର ଆଖିଟା ଯାଇ ମାଉସୀ ଙ୍କର ବେକରେ ଝୁଲୁଥିବା କଳାମାଳି ଉପରେ ପଡିଥିଲା। ମାଉସୀ ସହରର ଘର ଭଡା ଖର୍ଚ୍ଚ ରୁ ବଞ୍ଚିବା ପାଇଁ ସବୁ ଗହଣା ବିକ୍ରି କରି ଘର ଖଣ୍ଡିକ କରି ଛନ୍ତି ବୋଲି, ବୋଉ କହୁଥିଲା। ବୋଉ ସବୁ ସତ କଥା କହେ ବୋଲି ମନ ମାନି ଯାଇଥିଲା।
ବିବେକ୍ ର କୋମଳ ମନଟି ସେତେବେଳେ କହିଥିଲା, ମାଉସୀ ଯଦି ମୋ’ର ପାଇଁ ଏତେ ସବୁ କରୁଛନ୍ତି, ନିଜର ଗହଣା ବିକ୍ରି କରିଥିବା ଘରଟିର ଭିତରେ ମୋତେ ଆଶ୍ରୟ ଦେଇଛନ୍ତି। ମୋ’ର ଜୀବନ ଗଢିବାରେ ସହାୟତା କରୁଛନ୍ତି। ମୁଁ କେବଳ ମାଉସୀ ବେକରେ ଝୁଲୁଥିବା କଳାମାଳି ଜାଗାରେ ସୁନାର ହାର ଟିଏ ଝୁଲାଇବାର ପ୍ରୟାସ କରିବି।
ଓଳିଏ ପତଳା ଡାଲି ଆଉ ଓଳିଏ ଗରମ୍ ଚାରୁ ସହିତ ଗରମ୍ ଭାତ ଭଜା ବାଢିଦେଇ ମାଉସୀ କହନ୍ତି…

–ବାବୁରେ, ଏଇ ମଉସା ଙ୍କର ମାଷ୍ଟ୍ର ଦରମାଟାରେ ଦୁଇ ଓଳି ଆଉ ଡାଲି ଖାଇ ହେଉନି। ସେଥିପାଇଁ ଓଳିଏ ତେନ୍ତୁଳି ଚାରୁ ଖୁଆଇ ଦେଉଛି। ରବି ବାର ଦିନ ଟାରେ ମାଛ ଖୋଇବା ପାଇଁ । ଏମିତି ଅଭାବି ଦିନରେ ଚଳି, ବଡ ଲୋକ ହେଇଗଲେ ଦେଖିବୁ, ମାଉସୀ ଥାଉ କି ନ ଥାଉ ଏଇ ମାଉସୀଟା ତୋ’ର ଦିନେ ମନେ ପଡିବ। ମାଉସୀର ଆଉ କ’ଣ ଲୋଡା କହିଲୁ..?

ବିବେକ୍ ମାଉସୀ ପୁଅ ଭାଇ ମାନଙ୍କ ସହିତ ମିଶି ମନ ଆନନ୍ଦରେ ପେଟେ ଭାତ ଖାଇଦେଇ ଉଠିପଡୁଥିଲା । କେତେବେଳେ ମ୍ୟାଟ୍ରିକ୍ ପଢା ସରିଗଲା ଆଉ ଜଣାବି ପଡିଲାନି।
କଲେଜ୍ ପଢା ପରେ ସେ ମୁମ୍ବାଇ ରେ ଚାକିରି କଲା। ପ୍ରଥମ ଦରମା ପାଇବା ପର ଠାରୁ ଆରମ୍ଭ କରିଥିଲା ଟଙ୍କାର ସଞ୍ଚୟ । ଗୋଟିଏ ବର୍ଷରେ ସୁନାର ଚେନ୍ ପାଇଁ ଟଙ୍କା ସଂଞ୍ଚୟ ହୋଇ ଯାଇଥିଲା।
ସୁନା ଚେନ୍ ଟି ଧରି ମାଉସୀ ଘରକୁ ଗଲା ବେଳକୁ ଦେଖିଲା, ମାଉସୀ ଙ୍କର ଘରେ ଆଉ ସେହି ଅଭାବର ଦିନ ନାହିଁ । ସେ ଭାଇ ମାନଙ୍କ ସହିତ ତଳେ ବସି ଖାଉଥିବା ସ୍ଥାନରେ, ଖାଇବା ଟେବୁଲ୍ ପଡିଛି। ବିବେକ୍ ଏଥର ଆଖି ପକାଇଲା ମାଉସୀ ଙ୍କର ବେକ ଆଡକୁ। ଦେଖିଲା ମାଉସୀ ଙ୍କର ବେକରେ ସୁନ୍ଦର ସୁନାର ମଙ୍ଗଳ ସୂତ୍ରଟିଏ ଝୁଲୁଛି। ଭାବିଲା ମାଉସୀ ପୁଅ ଭାଇ ବୋଧ ହୁଏ ମାଉସୀ ଙ୍କର ବେକରେ ମଙ୍ଗଳ ସୂତ୍ର ଝୁଲାଇ ଦେଲେଣି।
ସେ ନିଜର ପକେଟ୍ ରୁ ସୁନାର ଚେନ୍ ଟି କାଢି, ଝୁଲାଇ ଦେଇଥିଲା ମାଉସୀ ଙ୍କର ବେକରେ। ପୁତୁରା ଏତେ ଦାମିକା ଚେନ୍ ବେକରେ ଝୁଲାଉଥିବା ଦେଖି ମାଉସୀ ଅଳ୍ପ ଚିନ୍ତିତ ହୋଇ କହିଥିଲେ…..

–ଆରେ ପାଗଳାଟା, ପ୍ରଥମ ରୋଜଗାରରେ ବୋଉ ପାଇଁ ସିନା କିଛି କରି ଥାଆନ୍ତୁ। ମୋ’ର ପାଇଁ କାହିଁକି ଆଣିଲୁ, କହିଲୁ…?

ବିବେକ୍ ମାଉସୀ ଙ୍କର କାନ୍ଧ ଉପରେ ହାତ ରଖି କହିଲା…

–ମୁଁ କ’ଣ ଜାଣିଥିଲି, ତୁମେ ଅଜା ଘରୁ ଆଣିଥିବା ଗହଣା ବିକ୍ରି କରି ଏଇ ଘର କରିଛ ବୋଲି..? ବୋଉ ଏଇ କଥା ମୋ’ତେ କହିଲାରୁ ସିନା ମୁଁ ଜାଣିଲି..! ସେଇ ଘରେ ଯଦି ମୋତେ ଆଶ୍ରୟ ଦେଇ ପାଠ ପଢିବାରେ ସହାୟତା କଲା, ସେ ଗହଣା ସବୁ ଫେରାଇ ନ ପାରିଲେ, କିଛି ତ କରି ପାରିବି ଭାବି ଏଇ ଚେନ୍ ଟି କେବଳ କରିପାରିଲି। ବୋଉର ବେକରେ ଏବେବି ଅଜା ଘର ହାର ରହିଛି। ମୁଁ ସେଦିନ ବୋଉକୁ ମନେ ପକାଇ କାନ୍ଦୁଥିଲାବେଳେ, ତୁମେ ଲୁହ ପୋଛି କହି ନଥିଲ; “ମାଆ କ’ଣ ଆଉ ମାଉସୀ କ’ଣ..?”

–ବଡ ହେଇ ଗଲୁଣି, ଏଇ ବୁଡୀ ମାଉସୀ କ’ଣ ଆଉ ତୋତେ କଥାରେ ପାରିବ…? ହୋଉ ଜୀବନ ଟା ଛାଡିଲା ପର୍ଯ୍ୟନ୍ତ ଏଇ ଚେନ୍ ଟା ଏମିତି ବେକରେ ଝୁଲାଇ ରଖିଥିବି, ତୋତେ ମନେ ପକୋଉଥିବି।
ମାଉସୀ ଖାଇବା ଟେବୁଲ୍ ଉପରେ ଭାତ ସହିତ ହରଡ ଡାଲି ସହିତ ରୋହି ମାଛ ଭଜା ବାଢିଦେଇ କହିଲେ..
— ଆଉ ସେଇ ଅଭାବର ଦିନ ନାହିଁ ରେ ବାପା। ମଉସା ଙ୍କର ପେନ୍ ସନ୍ ଟଙ୍କାଟା ବି ଆମର ସରୁନି। ଉପରେ ଭାଇ ସବୁ ଆଣି ଘରେ ରଖିଦେଉଛି।
ତୁ ଗଣ୍ଡିଏ ଖାଆ। କୁଆଡେ ସେଇ ମୁମ୍ବାଇ ଆଡେ ଚାଲିଯିବୁ ଯେ ଆଉ ଆଖି ଖୋଜିଲେ ବି ଦେଖିବାକୁ ପାଇବନି।
ବିବେକ୍ ଅନେକ ଦିନପରେ ମାଉସୀ ଙ୍କର ହାତର ରନ୍ଧା ଖାଉଥାଏ ସିନା ସେ ଭୃଶୁଙ୍ଗା ପତ୍ର, ହିଙ୍ଗୁ ଫୁଟା ଚାରୁର ମହକ ଖୋଜି ହେଉଥିଲା। ଶେଷରେ ସେ ମାଉସୀ ଙ୍କୁ କହିଲା….

–ଯେତେବେଳେ ଏଇ ହରଡ ଡାଲି ଖାଉଛି, ସବୁବେଳେ ତୁମର ହିଙ୍ଗୁ ଛୁଙ୍କ ଦିଆ ଚାରୁର ମହକରେ ମନଟା ମହକିତ ହେଇଯାଉଛି। ସେ ସ୍ବାଦ ଏ ହରଡ ଡାଲିରେ ଖୋଜିଲେ ବି ପାଉନି।
ମାଉସୀ ସଙ୍ଗେ ସଙ୍ଗେ ଫ୍ରିଜ୍ ରୁ ନିଜ ପାଇଁ ରଖିଥିବା ହିଙ୍ଗୁ ଛୁଙ୍କ ଦିଆ ଚାରୁ କିଛି ଆଣି ଟେବୁଲ୍ ଉପରେ ରଖି କହିଲେ…

–ଯୌବନ ଜୀବନଟା ସାରା ଚାରୁ ଖାଇ ଖାଇ ଆଉ ଏଇ ବୁଢୀ କାଳକୁ ହରଡ ଡାଲି ହଜମ୍ ହୋଉନି ରେ ବାପା। ଦେହରୁ ବଳ ବି ଖସିଲାଣି, ସେଇଥିପାଇଁ ସମୟ ଦେଖି ଚାରୁ ମୋ’ର ପାଇଁ କରି ରଖିଦେଉଛି। ତୁ ଖାଆ। ମୁଁ ବି ଭାତ ଗଣ୍ଡିଏ ନେଇ ଆସୁଛି, ମାଉସୀ ପୁତୁରା ମିଶି ଖାଇବା।
ମାଉସୀ ଙ୍କର ସହିତ ବିବେକ୍ ଖାଉଥିଲା ଆଉ ଅତୀତର ସ୍ମୃତିରେ ମହକି ଯାଉଥିଲା। ମନେ ମନେ ଭାବିହେଉଥିଲା, ମାଉସୀ ସିନା ଅଭାବି ସଂସାର ଭିତରେ ତା’ର ଭବିଷ୍ୟତ ଗଢି ପାରିଥିଲେ, ସେ ମାଉସୀ ଙ୍କର ପାଇଁ କିଛି କରି ପାରୁନି। ତଥାପି ଚେନ୍ ଟି ତାଙ୍କର ବେକରେ ଝୁଲାଇ ଦେଇ ଥିବାରୁ ମନଟା ଟିକିଏ ବୁଝିଯାଇଥିଲା।
ଏଇ ଚାରିଟି ମାସ ଯାଇନି,ଏ କି ଖବର..? ସେ ବୋଉ ପାଖକୁ ଫୋନ୍ କରି ସୁଧା ମାଉସୀ ଙ୍କର କଥା ପଚାରିଲା। ବୋଉ କହିଲା…

–କିଛି ହେଇନାହିଁ, ବସିଥିଲା, ମଉସା ଡାକିଲା ବେଳକୁ ଗଡିପଡିଲା। ଭାଇ ଯୋଗକୁ ଘରେ ଅଛି। ଏବେ ମାଉସୀ ଙ୍କୁ ନେବାର ବ୍ୟବସ୍ଥା ଚାଲିଛି। ଅଭାବର ଦିନ ଦେଖିଲା ସିନା ଭାବର ଦିନ ଦେଖିବା ପାଇଁ ତା’ର ପାଖରେ ସମୟ ନାହିଁ । ମାଉସୀ ବେକରେ ତୁ ପିନ୍ଧାଇ ଥିବା ଚେନ୍ ଟା ଏବେବି ଅଛି । ଯୋଉ ସରାଗରେ ପିନ୍ଧାଇ ଥିଲୁ, ସେତିକି ନେଇ ଚାଲିଗଲା ତୋ’ର “ସୁଧା ମାଉସୀ”..!

ବିବେକ୍ ବୋଉର କଥା ସବୁ ଶୁଣୁଥିଲା, ଆଖି ଦୁଇଟି ତା’ର ଲୁହ ଧାରରେ ଭିଜି ଯାଉଥିଲା। ବିବେକ୍ ର ବୋଉ କୁ ମନେ ପକାଇ କାନ୍ଦୁଥିବା ବେଳେ ମାଉସୀ ଆସି କହିଥିବା କଥା ତା’ର କାନକୁ ଶୁଭିଯାଉଥିଲା…

–କାନ୍ଦେନା ବାପା, ମୁଁ ପରା ତୋ’ର ପାଖରେ ଅଛି, ମାଆ କ’ଣ ଆଉ ମାଉସୀ କ’ଣ..?

ରଚନା: ଅନିତା ମିଶ୍ର ଦାଶ୍

Show More

Related Articles

Back to top button