ଖେଳ

IPL 2022: ଶେଷରେ ଜିତିଲା ଚେନ୍ନାଇ ସୁପର କିଙ୍ଗ୍ସ

ବେଙ୍ଗାଲୁରୁକୁ ୨୩ ରନରେ ଦେଲା ମାତ୍

ଆଇପିଏଲର ୨୨ତମ ମ୍ୟାଚ୍‌ର ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ଚେନ୍ନାଇ ସୁପର କିଙ୍ଗ୍ସ। କ୍ରମାଗତ ଚାରୋଟି ମ୍ୟାଚ୍ ହାରିବା ପରେ ଶେଷରେ ଜିତିଛି ଚେନ୍ନାଇ ସୁପର କିଙ୍ଗ୍ସ। ଚେନ୍ନାଇ ବେଙ୍ଗାଲୁରୁକୁ ୨୩ ରନରେ ପରାସ୍ତ କରିଛି। ଅନ୍ୟପଟେ ପାଞ୍ଚଟି ମ୍ୟାଚ୍‌ରୁ ଦ୍ଵିତୀୟ ପରାଜୟ ଭୋଗିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଥମେ ବ୍ୟାଟିଂ କରି ରବିନ ଉଥପ୍ପାଙ୍କ ବିସ୍ଫୋରକ ୮୮ ରନ ଏବଂ ଶିବମ ଦୁବେଙ୍କ ୯୫ ରନ ବଳରେ ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୨୧୬ ରନ କରିଥିଲା। ଜବାବରେ ବେଙ୍ଗାଲୁରୁ ୯ ଓ୍ଵିକେଟ୍ ହରାଇ ୧୯୩ ରନ କରିବାକୁ ସକ୍ଷମ ହୋଇଛି। ଶେହବାଜ ଅହମ୍ମଦ ୪୧, ସୁୟସ ପ୍ରଭୁଦେଶାଇ ଏବଂ ଦିନେଶ କାର୍ତ୍ତିକ ୩୪ ରନ ଲେଖାଏଁ କରିଛନ୍ତି। ମହିଷ ତିକସାନା ୩୩ ରନରେ ୪ ଓ୍ଵିକେଟ୍ ଏବଂ ଜାଡେଜା ୩ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ମୁଖ୍ୟ ଭୁମିକା ଗ୍ରହଣ କରିଛନ୍ତି। ୨୧୭ ରନ ବିଶାଳ ଲକ୍ଷ୍ୟ ପିଛା କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଆରମ୍ଭ ନୈରାଶ୍ୟଜନକ ଥିଲା। ଦଳୀୟ ସ୍କୋର ୧୪ ରନରେ ଫାଫ ଡୁପ୍ଲେସିସ୍(୮) ଏବଂ ୨୦ ରନ ସ୍କୋରରେ ବିରାଟ କୋହଲି(୧) ଆଉଟ୍ ହେବା ଦଳକୁ ବହୁତ ବଡ ଝଟକା ଲାଗିଥିଲା। ଅନୁଜ ରାଓ୍ଵତ(୧୨)ଙ୍କ ପରେ ମ୍ୟାକ୍ସଓ୍ଵେଲ ୧୧ ବଲ୍‌ରୁ ୨ ଚୌକା ଏବଂ ୨ ଛକା ସହ ଦ୍ରୁତ ୨୬ ରନ କରି ପାଭିଲିୟନ ଫେରିଥିଲେ। ୫୦ ରନରେ ୪ ଓ୍ଵିକେଟ୍ ହରାଇ ଚାପରେ ରହିଥିଲା ବେଙ୍ଗାଲୁରୁ। ତେବେ ମଧ୍ୟକ୍ରମରେ ଶେହବାଜ ଅହମ୍ମଦ ଏବଂ ସୁୟସ ପ୍ରଭୁଦେଶାଇ ଦ୍ରୁତ ବ୍ୟାଟିଂ କରି ପଞ୍ଚମ ଓ୍ଵିକେଟ୍ ପାଇଁ ୬୦ ରନ ଯୋଡି ଦଳ ପାଇଁ କିଛିଟା ବିଜୟ ଆଶା ସଞ୍ଚାର କରିଥିଲେ। ସୁୟସ ପ୍ରଭୁଦେଶାଇ ୧୮ ବଲରୁ ୫ ଚୌକା ଏବଂ ୧ ଛକା ସହ ୩୪ ରନ କରି ଆଉଟ୍ ହୋଇଥିଲେ। ଶେହବାଜ ଅହମ୍ମଦ ୨୭ ବଲରୁ ୪ ଚୌକା ସହ ୪୧ ରନର ଭଲ ଇନିଂସ ଖେଳିଥିଲେ।

ଦୁଇ ବ୍ୟାଟସମ୍ୟାନ ଆଉଟ୍ ହେବା ପରେ ଦିନେଶ କାର୍ତ୍ତିକଙ୍କ ଉପରେ ଦଳ ନିର୍ଭରଶୀଳ ଥିଲା। ତେବେ ଅନ୍ୟପଟେ ଓ୍ଵିକେଟ୍ ଖସିବାରୁ ଏକା ସଂଘର୍ଷ କରିଥିଲେ କାର୍ତ୍ତିକ। ସେ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୪ ବଲରୁ ୨ ଚୌକା ଏବଂ ୩ ଛକା ସହ ୩୪ ରନ କରିଥିଲେ। କାର୍ତ୍ତିକ ଆଉଟ୍ ହେବା ସହ ବେଙ୍ଗାଲୁରୁର ବିଜୟ ଆଶା ମଉଳି ଯାଇଥିଲା। ଦଳ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୯୩ ରନ କରିଥିଲା।

ଚେନ୍ନାଇ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇର ଆରମ୍ଭ ନିରାଶଜନକ ରହିଥିଲା। ଋତୁରାଜ ଗାଏକଓ୍ଵାଡ(୧୭) ଆଉଟ୍ ହୋଇଥିଲେ। ମୋଇନ ଅଲ୍ଲୀ(୩) ପୁଣି ଥରେ ନିରାଶ କରିଥିଲେ। ଦଳୀୟ ସ୍କୋର ୩୬ ରନରେ ୨ଟି ଓ୍ଵିକେଟ୍ ହରାଇଥିବା ଚେନ୍ନାଇର ଇନିଂସ ସମ୍ଭାଳିଥିଲେ ରବିନ ଉଥପ୍ପା ଓ ଶିବମ ଦୁବେ। ଦୁଇ ବ୍ୟାଟସମ୍ୟାନ ପ୍ରଥମେ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। କ୍ରିଜରେ ସେଟ୍ ହେବା ପରେ ଧୂଆଁଧାର ବ୍ୟାଟିଂ କରିଥିଲେ ଉଥପ୍ପା ଓ ଦୁବେ। ଉଭୟ ଅର୍ଦ୍ଧଶତକ ହାସଲ କରିଥିଲେ। ଛକା ଏବଂ ଚୌକା ବର୍ଷା କରି ତୃତୀୟ ଓ୍ଵିକେଟ୍‌ରେ ୧୭୦ ରନ ଯୋଡି ଦଳର ସ୍କୋରକୁ ୨୧୦ ରନରେ ପହଞ୍ଚାଇଥିଲେ। ଉଥାପ୍ପା ୫୦ ବଲରୁ ୫ ଚୌକା ଏବଂ ୯ ଛକା ସହ ୯୦ ରନ କରିଛନ୍ତି। ଶିବମ ଦୁବେ ୪୦ ବଲରେ ୫ ଚୌକା ଏବଂ ୫ ଛକା ସହ ୮୦ ରନ କରିଥିଲେ।

Show More

Related Articles

Back to top button