ଖେଳ

ଭାରତ ପାଇଁ ଟି-୨୦ ଖେଳିବେନି ରୋହିତ ଶର୍ମା

ଟିମ ଇଣ୍ଡିଆର ଦିନିକିଆ ଓ ଟେଷ୍ଟ ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଭାରତ ପାଇଁ ଆଉ ଟି-୨୦ ଖେଳି ନପାରନ୍ତି ରୋହିତ ଶର୍ମା। ସେ ନିଜର ଭବିଷ୍ୟତ ସମ୍ପର୍କରେ ବିସିସିଆଇ ସହ ୫୦ ଓଭର ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ କଥାବାର୍ତ୍ତା ହୋଇସାରିଥିଲେ। ଏହି ଆଲୋଚନା ବେଳେ ରୋହିତ ଆଗକୁ ଭାରତ ପାଇଁ କେବଳ ଦିନିକିଆ ଓ ଟେଷ୍ଟ ଖେଳିବେ ବୋଲି ବିସିସିଆଇକୁ ଜଣାଇ ଦେଇଥିବା ଜଣାପଡ଼ିଛି। ବିସିସିଆଇ ସୂତ୍ରରେ କୁହାଯାଇଛି ଯେ ରୋହିତ ଟି-୨୦ ଖେଳିବେ ନାହିଁ ବୋଲି ଖବରରେ କୌଣସି ନୂଆ ନାହିଁ। ସେ ପ୍ରାୟ ବର୍ଷେ ହେଲା ଭାରତ ପାଇଁ ଟି-୨୦ ଖେଳି ନାହାନ୍ତି। ସେ ବିଶ୍ୱକପ ଉପରେ ଫୋକସ କରିଥିଲେ। ଏ ସମ୍ପର୍କରେ ସେ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କ ସହ ବିସ୍ତୃତ ଭାବେ କଥା ହୋଇଛନ୍ତି। ସେ ନିଜ ଆଡ଼ୁ ଟି-୨୦ରୁ ଦୂରେଇ ରହିବେ ବୋଲି ଅଗରକରଙ୍କୁ ଜଣାଇଥିଲେ। ଏହା ସଂପୂର୍ଣ୍ଣ ଭାବେ ରୋହିତଙ୍କ ନିଷ୍ପତ୍ତି ବୋଲି ଏହି ସୂତ୍ରରେ କୁହାଯାଇଛି। ରୋହିତ ଟି-୨୦ ଖେଳିବାକୁ ନଥିବାରୁ ଏବେ ଶୁବମନ ଗିଲ, ଯଶସ୍ୱୀ ଜୈସୱାଲ, ଈଶାନ କିଶନ ଓ ଋତୁରାଜ ଗାଏକ୍ୱାଡ ଦଳର ଓପନର ବ୍ୟାଟର ଭାବେ ଉଭା ହୋଇଛନ୍ତି। ଏମାନେ ଆଇପିଏଲରେ ନିଜ ଦକ୍ଷତାର ପରିଚୟ ଦେଇ ସାରିଛନ୍ତି। ଯଦି ଏହି ୪ ଯୁବ ବ୍ୟାଟର ଭଲ ପ୍ରଦର୍ଶନ କରିବେ ନାହିଁ, ତା’ହେଲେ ବିଶ୍ୱକପ ବେଳକୁ ବିସିସିଆଇ ପୁଣିଥରେ ରୋହିତଙ୍କୁ ନିଜର ନିଷ୍ପତ୍ତି ଉପରେ ବିଚାର କରିବାକୁ କହିପାରେ। ବର୍ତ୍ତମାନ ସମୟରେ ରୋହିତ ୱାର୍କଲୋଡକୁ ଠିକ ଭାବେ ପରିଚାଳନା କରିବାକୁ ଚାହୁଁଛନ୍ତି। ରୋହିତ ପ୍ରାରମ୍ଭିକ ସମୟରେ ଆହତ ହେଉଥିଲେ। କିନ୍ତୁ ଅଧିକାଂଶ ସମୟ ସେ ମ୍ୟାଚ ଖେଳିବାକୁ ଉପଲବ୍ଧ ରହୁଥିଲେ। ୩୬ ବର୍ଷୀୟ ରୋହିତଙ୍କ ପାଇଁ ୩ଟି ଯାକ ଫର୍ମାଟ ଓ ଆଇପିଏଲ ଖେଳିବା ଆଦୌ ସମ୍ଭବ ନୁହେଁ।ଡିସେମ୍ବର ୨୦୨୩ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ଭାରତ ୭ଟି ଟେଷ୍ଟ ମ୍ୟାଚ ଖେଳିବ। ତେଣୁ ରୋହିତ ରେଡ ବଲ କ୍ରିକେଟ ଉପରେ ଅଧିକ ଫୋକସ କରିବାକୁ ଚାହୁଁଥିବା କୁହାଯାଉଛି। ୨୦୨୫ରେ ଯଦି ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲକୁ ଯାଉଛି, ତା’ହେଲେ ଏହାର ନେତୃତ୍ୱ ମଧ୍ୟ ରୋହିତ ଶର୍ମା ନେବେ।ଅନ୍ୟପକ୍ଷରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ସମୟରେ ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି ଓ ମହମ୍ମଦ ସିରାଜ ଭାରତ ପାଇଁ ଖେଳିବେ। କିନ୍ତୁ ଘରୋଇ ପରିବେଶରେ ଭାରତ ଖେଳିବାକୁ ଥିବା ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ ସିରିଜରେ ରୋଟେସନ ପଲିସି ଗ୍ରହଣ କରାଯିବ।

 

Show More

Related Articles

Back to top button