ଓଡ଼ିଆ ଗଳ୍ପଜୀବନଚର୍ଯ୍ୟା

ପରିବାର ହେଉଛି ପିଲାମାନଙ୍କ ସଂସ୍କାରଶାଳା

ସର୍ବପ୍ରଥମେ ସ୍ଵୟଂ ଅନ୍ତର୍ମୁଖୀ ହେବା ଶିଖିବା ଉଚିତ

ପିଲାମାନଙ୍କୁ ଉତ୍ତମ ସଂସ୍କାର ଦେବାର କେନ୍ଦ୍ର ରୂପେ ପରିବାରକୁ ଗଢ଼ିବାର ଆବଶ୍ୟକତା ରହିଛି । ଏପରି କରିବା ବେଳେ ପିଲାମାନଙ୍କ ଉପରେ ଅନାବଶ୍ୟକ ଚାପ ପକାଇବେ ନାହିଁ ଏଥିପ୍ରତି ଧ୍ୟାନ ଦେବେ । ସେମାନଙ୍କ ସହିତ କେବେ ବି ଜବରଦସ୍ତି କରନ୍ତୁ ନାହିଁ । ଭୁଲରେ ମଧ୍ୟ ହିଂସା କରନ୍ତୁ ନାହିଁ, ବଡ଼ ପ୍ରେମରେ, ନିଜ ଜୀବନର ପରିବର୍ତ୍ତନ ଦ୍ଵାରା, ବହୁତ ଶାନ୍ତିରେ, ବହୁତ ସରଳତାରେ ପିଲାମାନଙ୍କୁ ବୁଝାନ୍ତୁ । ଆଦେଶ ଦିଅନ୍ତୁ ନାହିଁ, ଏପରି କର- ଏମିତି କହନ୍ତୁ ନାହିଁ; କାରଣ ଯେତେବେଳେ ବି କେହି କହିଥାଏ, ଏପରି କର ସେତେବେଳେ ଶୁଣୁଥିବା ବ୍ୟକ୍ତି ଭିତରେ ଓ ସ୍ବତଃ ଏହି ଧ୍ବନି ଉତ୍ପନ୍ନ ହୋଇଥାଏ ଯେ ମୁଁ ଏପରି କରିବି ନାହିଁ ।

ଏହା ବିଲକୁଲ ସହଜ ଆଉ ସ୍ଵାଭାବିକ । ତେଣୁ ସେମାନଙ୍କୁ ଏପରି କର- ଏମିତି କୁହ ନାହିଁ, ବରଂ ସେମାନଙ୍କୁ କୁହ ଯେ ମୁଁ ଏପରି କରିଛି ଆଉ ଆନନ୍ଦ ପାଇଛି, ଯଦି ତୁମେ ଆନନ୍ଦ ପାଇବାକୁ ଚାହୁଁଛ, ତ ଏହି ଦିଶାରେ ବିଚାର କର । ସେମାନଙ୍କୁ ବୁଝାଇବା ଏବଂ ପରାମର୍ଶ ଦେବା ଉଚିତ । ସେମାନଙ୍କୁ ଆଦେଶ ଓ ଉପଦେଶ ଦେବା ଉଚିତ ନୁହେଁ । ଉପଦେଶ ଓ ଆଦେଶ ମନୋବୈଜ୍ଞାନିକ ରୂପେ ବଡ଼ ବିପଜ୍ଜନକ ସିଦ୍ଧ ହୋଇଛି ।

ଛୋଟ ପିଲାମାନଙ୍କୁ ବହୁତ ଆଦର କରନ୍ତୁ, କାରଣ ଯାହାର ଆମେ ଆଦର କରୁ, ତାକୁ ହିଁ କେବଳ ଆମେ ନିଜ ହୃଦୟର ନିକଟକୁ ଆଣି ପାରୁ । ଏହା ବିରୋଧାଭାସ ପରି ଜଣା ପଡ଼ିବ । ଆମେ ତ ଚାହୁଁ ଯେ ଛୋଟ ପିଲାମାନଙ୍କୁ ଆଦର କରାଯାଉ । ଆମେ ସେମାନଙ୍କର କିପରି ଆଦର କରିବା, ଯଦି ଆମେ ଚାହୁଁ ଯେ ଛୋଟ ପିଲାମାନେ ମା-ବାପାଙ୍କର ବି ଆଦର କରନ୍ତୁ, ତେବେ ପ୍ରଥମେ ସେମାନଙ୍କୁ ଆଦର କରିବାକୁ ପଡ଼ିବ । ମା-ବାପା ସେମାନଙ୍କୁ ଅନାଦର କରିବେ ଆଉ ପିଲାମାନଙ୍କ ଠାରୁ ଆଦର ପାଇବେ, ଏହା ଅସମ୍ଭବ ।

କେହି ଅନ୍ତର୍ମୁଖୀ ସେତେବେଳେ ହୋଇ ପାରିବ, ଯେତେବେଳେ ତା’ ଭିତରେ ଆନନ୍ଦର ଧ୍ୱନି ଗୁଞ୍ଜରିତ ହେବାକୁ ଲାଗିବ । ଆମର ଚିତ୍ତ ସେଠାକୁ ଚାଲିଯାଏ, ଯେଉଁଠି ଆନନ୍ଦ ପ୍ରାପ୍ତ ହୋଇଥାଏ । ଯଦି କେହି ସେଠାରେ ଗୋଟିଏ ବୀଣା ବଜାଇବାକୁ ଲାଗେ ଆଉ ଗୀତ ଗାଇବାକୁ ଲାଗେ ତ ପୁଣି ଆମର ମନକୁ ସେଠାକୁ ନେଇଯିବାକୁ ପଡ଼େ ନାହିଁ, ବରଂ ତାହା ସ୍ୱତଃ ଚାଲିଯାଏ । ଆମେ ହଠାତ୍ ଅନୁଭବ କରୁ ଯେ ଆମର ମନ ଆମ କଥା ଶୁଣୁ ନାହିଁ, ତାହା ବୀଣା ଶୁଣୁଛି । ଯେଉଁଠି ସୁଖ ଅଛି, ଯେଉଁଠି ସଂଗୀତ ଅଛି, ଯେଉଁଠି ରସ ଅଛି, ମନ ସେଇଠିକୁ ଚାଲିଯାଏ । ପିଲାମାନେ ବହିର୍ମୁଖୀ ଏଥିପାଇଁ ହୋଇଯାଆନ୍ତି, କାରଣ ମା-ବାପାଙ୍କୁ ବାହାର ଆଡ଼କୁ ଦୌଡ଼ୁଥିବାର ଦେଖିଥାନ୍ତି ।

ପିଲାମାନେ ସେମାନଙ୍କୁ ଦେଖନ୍ତି ଯେ ସେମାନେ ବହୁତ ବଢ଼ିଆ ବସ୍ତ୍ର ଆଡ଼କୁ ଦଉଡ଼ିଥାନ୍ତି, ମୋବାଇଲ ଦିଗରେ ଦଉଡ଼ିଥାନ୍ତି, ବଡ଼ କୋଠା ଦିଗରେ ଦଉଡ଼ିଥାନ୍ତି, ତେଣୁ ସେହି ପିଲାମାନଙ୍କ ଜୀବନ ବର୍ହିମୁଖୀ ହୋଇଯାଏ । ଯଦି ପିଲାମାନେ ମା-ବାପାଙ୍କର ଆଖି ବନ୍ଦ ହୋଇଥିବାର ଏବଂ ତାଙ୍କର ଚେହେରା ଉପରେ ଆନନ୍ଦ ଝରୁଥିବାର ଦେଖନ୍ତେ ତଥା ସେମାନଙ୍କୁ ପ୍ରେମରେ ଭରି ହୋଇଥିବାର ଦେଖନ୍ତେ ଏବଂ ତାଙ୍କର ଛୋଟ ଘରେ ମଧ୍ୟ ପ୍ରଫୁଲ୍ଲିତ ଓ ଆନନ୍ଦିତ ଥିବାର ଦେଖନ୍ତେ, ଆଉ କେବେ କେବେ ମା’ -ଆଖି ବନ୍ଦ କରି କୌଣସି ଆନନ୍ଦ ଲୋକକୁ ଚାଲି ଯାଉଥିବାର ସେମାନେ ଦେଖନ୍ତେ ତ ପଚାରନ୍ତେ ଯେ ଏହା କ’ଣ ? ତାହା ହେଲେ ସେମାନେ ତାହାର କାରଣ ଜାଣିବାକୁ ଚାହିଁବେ ଏବଂ ତାହା ଜାଣିବା, ତାହା ପଚାରିବା, ସେହି ଜିଜ୍ଞାସା ପୁଣି ସେମାନଙ୍କ ଜୀବନର ମାର୍ଗ ହୋଇଯିବ ।

ସର୍ବପ୍ରଥମେ ସ୍ଵୟଂ ଅନ୍ତର୍ମୁଖୀ ହେବା ଶିଖିବା ଉଚିତ । ଅନ୍ତର୍ମୁଖୀ ହେବାର ଅର୍ଥ ହେଉଛି କିଛି ସମୟ ପାଇଁ ଚତୁର୍ଦିଗରୁ ଚୁପ୍ ହୋଇଯିବା, ମୌନ ହୋଇଯିବା । ନିଜ ଭିତରୁ ଆନନ୍ଦକୁ ଉଠିବାକୁ ଦିଅନ୍ତୁ, ଭିତରୁ ଶାନ୍ତିକୁ ଉଛୁଳିବାକୁ ଦିଅନ୍ତୁ । ସବୁ ଆଡୁ ମୌନ ଓ ଶାନ୍ତ ହୋଇ ଘଡ଼ିଏ ଦୁଇ ଘଡ଼ି ପାଇଁ ବସିଯିବା ଉଚିତ । ଯେଉଁ ମାତା-ପିତା ଚବିଶ ଘଣ୍ଟାରେ ଘଣ୍ଟେ-ଦୁଇ ଘଣ୍ଟା ମଧ୍ୟ ମୌନ ହୋଇ ବସନ୍ତି ନାହିଁ, ସେମାନଙ୍କ ପିଲାଙ୍କ ଜୀବନରେ ମୌନ ବିକଶିତ ହୋଇପାରିବ ନାହିଁ ।

ଯଦି ପିଲାମାନେ ମାତା-ପିତାଙ୍କୁ କଳହ କରିବାର ଦେଖନ୍ତି, ଲଢ଼ିବାର, ପରସ୍ପରକୁ ଦୁର୍ବଚନ କହିବାର ଦେଖନ୍ତି, ସେମାନଙ୍କ ମଧ୍ୟରେ କୌଣସି ଗଭୀର ପ୍ରେମର ସମ୍ବନ୍ଧ ଥିବାର ଦେଖନ୍ତି ନାହିଁ, କୌଣସି ଶାନ୍ତି ଦେଖନ୍ତି ନାହିଁ, କୌଣସି ଆନନ୍ଦ ଦେଖନ୍ତି ନାହିଁ, ସେମାନେ ମଧ୍ୟ ସେହି ଭଳି ଭାବ ବିକଶିତ କରିଥାନ୍ତି । ସେମାନେ ଯେବେ ଉଦାସ, ବିଚଳନ, ଉଦ୍‌ବିଗ୍ନତା, ହଇରାଣ ହେବା ଆଦି ଦେଖନ୍ତି ତ ସେମାନଙ୍କ ଜୀବନର ଦିଶା ଠିକ୍ ସେହିପରି ହୋଇଯାଏ ।

ପିଲାମାନଙ୍କୁ ବଦଳାଇବାର ଅଛି ତ ନିଜକୁ ବଦଳାଇବା ଦରକାର । ଯଦି ପିଲାମାନଙ୍କ ପ୍ରତି ପ୍ରେମ ଅଛି ତ ନିଜକୁ ବଦଳାଇଦେବା ଏକାନ୍ତ ଆବଶ୍ୟକ । ଯେତେବେଳ ପର୍ଯ୍ୟନ୍ତ ଆମର କୌଣସି ପିଲା ନଥିଲେ, ସେତେବେଳ ପର୍ଯ୍ୟନ୍ତ ଆମର କୌଣସି ଦାୟିତ୍ଵ ନ ଥିଲା । ପିଲା ହେବା ପରେ ଗୋଟିଏ ଦାୟିତ୍ଵ ଆମ ଉପରକୁ ଆସିଯାଏ । ପରିବାର ପିଲାମାନଙ୍କ ସଂସ୍କାରଶାଳା ଅଟେ । ସେଠାରେ ସେମାନଙ୍କୁ ବ୍ୟବହାର ଶିଖାଇବା ଉଚିତ । ସେମାନଙ୍କୁ ସଂସ୍କାରିତ କରିବା ଉଚିତ । ଆମେ ସମସ୍ତେ ଏହି ଦିଗରେ ପ୍ରୟାସ କରିବା ଆବଶ୍ୟକ ।

Show More

Related Articles

Back to top button