ଓଡ଼ିଶାସ୍ୱାସ୍ଥ୍ୟ

ସୁନ୍ଦରଗଡ଼ ଜିଲାରେ ଡେଙ୍ଗୁ ଆତଙ୍କ,ଏଯାଏଁ ୧୧୪ଜଣ ଡେଙ୍ଗୁ ରୋଗୀ ଚିହ୍ନଟ

ସୁନ୍ଦରଗଡ଼ ଜିଲାରେ ଡେଙ୍ଗୁ ଆତଙ୍କ । ଗତ ୩ଦିନ ମଧ୍ୟରେ ଚିହ୍ନଟ ହେଲେଣି ୧୧୪ଜଣ ଡେଙ୍ଗୁ ରୋଗୀ । ଡେଙ୍ଗୁରୋଗୀଙ୍କ ମଧ୍ୟରୁ ସର୍ବାଧିକ ୯୯ଜଣ ହେଉଛନ୍ତି ରାଉରକେଲା ସହରାଞ୍ଚଳର ବୋଲି ସ୍ବାସ୍ଥ୍ୟ ବିଭାଗ ରିପୋର୍ଟରୁ ଜଣାପଡିଛି।

ସ୍ବାସ୍ଥ୍ୟ ବିଭାଗ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ,ରାଉରକେଲା ଆଇଜିଏଚ୍‌ରେ ୯୩ଜଣ, ଆରଜିଏଚ୍‌ରେ ୧୨ଜଣ ,ସୁନ୍ଦରଗଡ଼ ପୌରାଞ୍ଚଳରେ ୨ଜଣ, ବୀରକେରା, ବିଶ୍ରା, ଗୁରୁଣ୍ଡିଆ, ବଣାଇଁରେ ଜଣେ ଲେଖାଏଁ ଓ ମଝାପଡାରେ ୨ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ ପଡୋଶୀ କେଉଁଝର ଜିଲାର ୨ଜଣ ଓ ଝାଡଖଣ୍ଡ ରାଜ୍ୟର ଜଣେ ରୋଗୀ ଚିହ୍ନଟ ହୋଇ ଏଠାରେ ଚିକିତ୍ସିତ ହେଉଛନ୍ତି। ଡେଙ୍ଗୁର ମୁକାବିଲା ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଆର୍‌ଏସ୍‌ପି ପକ୍ଷରୁ ମିଳିତ ଭାବେ ତ୍ୱରିତ ପଦକ୍ଷେପ ଆରମ୍ଭ ହୋଇଛି।

ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ସରୋଜ କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ ଗତ କିଛିଦିନ ଲଗାଣ ବର୍ଷା ଯୋଗୁ ରାଉରକେଲା ସହରରେ କିଛି ଅଞ୍ଚଳରେ ବର୍ଷାପାଣି ଜମି ରହି ଡେଙ୍ଗୁ ମଶା ବୃଦ୍ଧି ହୋଇ ବର୍ତ୍ତମାନ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଗତବର୍ଷ ୧୭୪୨ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେହି ତୁଳନାରେ କମ୍‌ ରହିଛି। ସୁନ୍ଦରଗଡ଼ ଜିଲା ଡେଙ୍ଗୁ ପାଇଁ ଏକ ସମ୍ବେଦନଶୀଳ ଜିଲା। ରାଜ୍ୟ ମଧ୍ୟରେ ଓ ରାଜ୍ୟ ବାହାରର ଡେଙ୍ଗୁ ପ୍ରବଣ ଅଞ୍ଚଳରୁ ଆସୁଥିବା ବ୍ୟକ୍ତିମାନଙ୍କ ଏଠାରେ ଥିବା ଶିଳ୍ପାଞ୍ଚଳ, ଜମିରହୁଥିବା ପାଣିରେ ଡେଙ୍ଗୁ ଭୂତାଣୁ ବଢାଉଛି।

 

Show More

Related Articles

Back to top button