Breaking PLUSଓଡ଼ିଶାବିଧାନସଭା

ଆଜି ବସିବ କ୍ୟାବିନେଟ୍‍ ବୈଠକ

ଆଜି ରାଜ୍ୟ ସରକାରଙ୍କ କ୍ୟାବିନେଟ୍‍ ବୈଠକ ଡକାଯାଇଛି। ପୂର୍ବାହ୍ଣରେ ଏହି ବୈଠକ ବସିବାକୁ ଯାଉଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଗ୍ରହଣ କରାଯାଇଛି। ଏହା ବିଗତ ଦୁଇଦିନ ଧରି ବିଧାନସଭାରେ ଚାଲିଥିବା ଅଚଳାବାସ୍ଥାକୁ ଦୂର କରିପାରେ ବୋଲି ବି ସମ୍ଭାବନା ସୃଷ୍ଟି ହୋଇଛି। ନବୀନଙ୍କ ନେତୃତ୍ୱରେ ପଞ୍ଚମ ପାଳିର ସରକାରରେ ଏହା ହେଉଛି ୬୭ତମ ବୈଠକ। ପୂର୍ବରୁ ରାଜ୍ୟ ସରକାରଙ୍କ କ୍ୟାବିନେଟ୍‍ ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ଲାଗି ଏକ ପ୍ରସ୍ତାବ ପାରିତ କରିଥିଲେ।  ସେଥିରେ ଆଦିବାସୀଙ୍କ ମାଲିକାନାରେ ଥିବା ଜମିକୁ ସେମାନେ ଉଚ୍ଚଶିକ୍ଷା, ଚାଷ କିମ୍ବା ବ୍ୟବସାୟ, ଘର ନିର୍ମାଣ ଲାଗି ବିକ୍ରି ବା ବନ୍ଧକ ରଖିବାକୁ ଅନୁମତି ପ୍ରଦାନ କରିଥିଲେ।  ଏହି ନିଷ୍ପତ୍ତି ବିଧାନସଭାରେ ବିଧେୟକ ଆକାରରେ ଉପସ୍ଥାପନ କରାଯାଇ ଆଇନରେ ପରିଣତ ହୋଇଥାଆନ୍ତା। ଶୀତ ଅଧିବେଶନରେ ତାହା ହେବ ବୋଲି ସମ୍ଭାବନା ବ୍ୟକ୍ତ କରାଯାଇଥିଲା। କିନ୍ତୁ ଦୁଇଦିନ ପରେ ରାଜ୍ୟ ସରକାରଙ୍କ କ୍ୟାବିନେଟର ଏହି ନିଷ୍ପତ୍ତି ସାରା ରାଜ୍ୟର ଆଦିବାସୀ ସମ୍ପ୍ରଦାୟକୁ ନିରୁତ୍ସାହିତ କରିଥିଲା। ସରକାର ଶିଳ୍ପ ଓ ଶିଳ୍ପପତିଙ୍କୁ ଜମି ଦେବା ଲାଗି ଏପରି ନିଷ୍ପତ୍ତି ନେଇଛନ୍ତି ଯାହା ଆଦିବାସୀଙ୍କ ସ୍ୱାର୍ଥ ବିରୋଧୀ ବୋଲି ଚର୍ଚ୍ଚା ହୋଇଥିଲା। ଉଭୟ ବିରୋଧୀଦଳ କଂଗ୍ରେସ ଏବଂ ବିଜେପି ସରକାରଙ୍କୁ ସମାଲୋଚନା କରିଥିଲେ। ଫଳରେ ରାଜସ୍ୱମନ୍ତ୍ରୀ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିବା ପ୍ରକାଶ କରିଥିଲେ। କିନ୍ତୁ ଏହି ନିଷ୍ପତ୍ତିକୁ କ୍ୟାବିନେଟରେ ପ୍ରତ୍ୟାହାର କରିବା ପାଇଁ ବିଜେପି ଦାବି କରିଥିଲା। ନହେଲେ ଏଥିଲାଗି ବିଧାନସଭାରେ ଆଲୋଚନା କରିବାକୁ ଜିଦ୍‍ ଧରି ଏକ ପ୍ରସ୍ତାବ ଆଣିବାକୁ ବାଚସ୍ପତିଙ୍କ ଅନୁମୋଦନ ମାଗିଥିଲା। କିନ୍ତୁ ବାଚସ୍ପତି ଏଥିଲାଗି ଅନୁମତି ନଦେବାରୁ ଗୃହ କାର୍ଯ୍ୟ ଦୁଇଦିନ ଧରି ଅଚଳ ହୋଇଛି। ଏହି ଅଅଚଳାବସ୍ଥା ଦୂର କରିବା ଲାଗି ଆଜି ରାଜ୍ୟର କ୍ୟାବିନେଟ୍‍ ବିଧିବଦ୍ଧ ଭାବେ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବ ବୋଲି ଆଶା କରାଯାଉଛି।

Show More

Related Articles

Back to top button