ଅନୁଚିନ୍ତା

ପୁର୍ନଜନ୍ମ କାହିଁକି ହୋଇଥାଏ….

ଜନ୍ମ ପରେ ମୃତ୍ୟୁ ସତ୍ୟ ଏକଥା ସମସ୍ତେ ଜାଣନ୍ତି ଓ ଆଖିରେ ଦେଖନ୍ତି ମଧ୍ୟ କିନ୍ତୁ ମୃତ୍ୟୁ ପରେ ଜୀବ ଜନ୍ମଗ୍ରହଣ କରେ , ଏକଥା ବହୁଲୋକ ବିଶ୍ଵାସ କରନ୍ତି ନାହିଁ । କାରଣ ଯେଉଁ ଦେହଟା ସହିତ ସମସ୍ତେ ସମ୍ପର୍କ ରଖି ସଂସାରରେ ଚଳପ୍ରଚଳ ହେଉଥାନ୍ତି , ସେହି ଦେହଟାକୁ ମଲାପରେ ପୋତି ପକାନ୍ତି ବା ପୋଡି ପକାନ୍ତି । ସେ ଦେହଟା ଯେ ପୁଣି ଫେରି ଆସିବ ଏ ସମ୍ଭାବନା ମୋଟେ ନ’ ଥାଏ । ତେଣୁ ମୃତ୍ୟୁ ପରେ ଜନ୍ମ ଅଛି ଏହା ସତ୍ୟ କି’ ? ଜୀବ କହିଲେ କେବଳ ଯେ ଦେହଟାକୁ ବୁଝାଏ , ଏହା ଅଜ୍ଞାନୀମାନଙ୍କର ଭ୍ରାନ୍ତ ଧାରଣା । ଏ ଶରୀରଟା ଗୋଟିଏ ଜଡ ବସ୍ତୁ । ଏହା ପଞ୍ଚଭୂତ ଅର୍ଥାତ ଜଳ,ବାୟୁ ,ଅଗ୍ନି ,ପୃଥିବୀ ଓ ଆକାଶ ତତ୍ତ୍ଵରୁ ତିଆରି । ଆମ ଶରୀରଟା ପିତାର ବୀର୍ଯ୍ୟ ଏବଂ ମାତାର ରଜରେ ଥିବା ତତ୍ତ୍ଵରୁ ମାତୃ ଗର୍ଭରେ ତିଆରି ହୁଏ । ଶରୀର ଗଠନ ଆରମ୍ଭ ହେବା ପରେ ଈଶ୍ଵର ଆତ୍ମାରୂପୀ ଶକ୍ତିକୁ ମସ୍ତକ ବାଟରେ ପ୍ରବେଶ କରାଇ ଏହାକୁ ସକ୍ରିୟ କରିଦିଅନ୍ତି । ତେଣୁ ଈଶ୍ଵରଙ୍କୁ ବଜପ୍ରଦ ପିତା ବୋଲି କୁହାଯାଏ । ଆତ୍ମା ଶରୀର ତ୍ୟାଗ କରି ଚାଲିଗଲେ , ଏ ଜଡ ଦେହଟା ମରିଯାଏ । ଆତ୍ମାର ମୃତ୍ୟୁ ନାହିଁ । ଏହା ଗୋଟିଏ ଦେହ ଛାଡି ଅନ୍ୟ ଦେହରେ ପ୍ରବେଶ କରେ ଅର୍ଥାତ ଅନ୍ୟ ମାତା ଗର୍ଭରେ ପ୍ରବେଶ କରି ପୁଣି ସକ୍ରିୟ ହୁଏ । ଏହା ହେଉଛି ଜନ୍ମ ମୃତ୍ୟୁର ରହସ୍ୟ ।

କେଉଁ କର୍ମ କଲେ କେଉଁ ଜନ୍ମ ଲାଭ ହୁଏ- ଗରୁଡ଼ ପୁରାଣରେ ପୂର୍ବଜନ୍ମ ବିଷୟରେ କୁହାଯାଇଅଛି ଯେ ପ୍ରାଣୀ ମାତୃ ଗର୍ଭରେ ବଢୁଥିବା ସମୟରେ ତାକୁ ତା’ର ପୂର୍ବଜନ୍ମ ବିଷୟରେ ସବୁ ଜଣାଥାଏ , ସେ କିପରି ମୃତ୍ୟୁବରଣ କରିଥିଲା, କ’ଣ କ’ଣ ପାପ କରିଥିଲା ଆଦି କଥା । କିନ୍ତୁ ଯେତେବେଳେ ସେ ମାତୃ ଗର୍ଭରୁ ବାହାରକୁ ଆସେ ଏବଂ ପ୍ରକୃତିର ବାୟୁ ତାକୁ ସ୍ପର୍ଶ କରେ ସେତେବେଳେ ସେ ତାର ପୂର୍ବଜନ୍ମକୁ ପୂରା ଭୁଲି ଯାଏ । ଏହା ହେଉଛି ଜନ୍ମ ମୃତ୍ୟୁ ଚକ୍ରର ନିୟମ ।

ଯେଉଁ ବ୍ୟକ୍ତି ନିଜର ପ୍ରିୟ ବନ୍ଧୁଙ୍କୁ ଅପମାନିତ କରିଥାଏ କି ତାଙ୍କ ସହ ବିଶ୍ୱାସଘାତକତା କରିଥାଏ ସେଭଳି ବ୍ୟକ୍ତିର ଆତ୍ମା ପୁନର୍ଜନ୍ମରେ ଗଧ ଜନ୍ମ ପାଇଥାଏ । କର୍ମଫଳ ସିଦ୍ଧାନ୍ତର ନିୟମ ଅନୁସାରେ ଯଦି ଆପଣ ଆପଣଙ୍କ ସାଙ୍ଗର ମନରେ ବହୁତ କଷ୍ଟ ଦେଇଥିବେ ଏବଂ ସେ ସେହି ଆଘାତକୁ ସହ୍ୟ କରିପାରି ନଥିବ, ତେବେ ବୁଝିଯିବା ଉଚିତ ଯେ ପୁନର୍ଜନ୍ମରେ ଆପଣ ୨୦ ରୁ ୨୫ ବର୍ଷ ଗଧ ରୂପରେ ଜନ୍ମ ନେଇ ମାଲିକର ଅତ୍ୟାଚାର ସହ୍ୟ କରିବେ । ଯଦି ଆପଣଙ୍କର ପାପ କ୍ଷମାଯୋଗ୍ୟ ହୋଇଥିବ ତେବେ କର୍ମଫଳ ସିଦ୍ଧାନ୍ତ ନିୟମାନୁସାରେ ଆପଣ ଗଧ ଜନ୍ମରୁ ଶୀଘ୍ର ମୁକ୍ତ ହେବେ ।

ଯେଉଁବ୍ୟକ୍ତି ନିଜର ବାପା ମାଙ୍କୁ ପଚାରେ ନାହିଁ ତାଙ୍କ ମନରେ କଷ୍ଟ ଦିଏ ଏବଂ ଘର ଥାଇ ତାଙ୍କୁ ଜରାଶ୍ରମରେ ରଖିଥାଏ ସେହି ବ୍ୟକ୍ତି ଆସନ୍ତା ଜନ୍ମରେ କଇଁଛ ଶରୀରରେ ଜନ୍ମ ନେଇଥାଏ । କଇଁଛର ଆୟୁଷ ୮୦ରୁ ୧୨୦ ବର୍ଷ ହୋଇଥାଏ ତା’ ମାନେ ଏ କର୍ମଫଳର ସଜା ବହୁତ ଲମ୍ବା ହୋଇଥାଏ । କୁହାଯାଏ ଯେ, କଇଁଚ୍ଛର ପୂର୍ବଜନ୍ମର ପାପ ଏତେ ଗଭୀର ହୋଇଥାଏ ଯେ ତାକୁ ମୃତ୍ୟୁ ସବୁବେଳେ ଗୋଡ଼ାଉଥାଏ । ତେଣୁ ସେ ନିଜ ଶରୀରକୁ ସବୁ ବେଳେ ଲୁଚାଇ ରଖିଥାଏ ।

ଯେଉଁ ବ୍ୟକ୍ତି ମାଲିକର ବିଶ୍ୱସନୀୟ ହୋଇ ମାଲିକ ସହ ବିଶ୍ୱାସଘାତ କରିଥାଏ, ସେ ପରଜନ୍ମରେ ମାଙ୍କଡ଼ ଶରୀରରେ ପ୍ରବେଶ କରିଥାଏ । ଏହି ଜୀବର ଜୀବନ କାଳ ୨୦ ବର୍ଷ ହୋଇଥାଏ । ଯିଏ ଅନ୍ୟର ଧନ ଯଥା ସୁନା, ଗହଣା, ଟଙ୍କା ଆଦିକୁ ଛଳନା ଏବଂ କପଟତା କରି ନେଇଯାଏ ସେହି ବ୍ୟକ୍ତି ପରଜନ୍ମରେ କୀଟ, ପୋକ, ମାଛି ଆଦି ଜନ୍ମ ନେଇଥାଏ । କୁଆ ଜନ୍ମ ସେହିବ୍ୟକ୍ତି ଧାରଣ କରେ ଯିଏ ଘରକୁ ଆସିଥିବା ବ୍ରାହ୍ମଣ, ଅତିଥି ଓ ଗୁରୁଜନଙ୍କୁ ସମ୍ମାନ ଦିଏ ନାହିଁ । ସେଥିପାଇଁ କୁଆ ସାରାଜୀବନ ଏକ ଅସୁନ୍ଦର ରୂପ ଧାରଣ କରି ଚାରିଆଡ଼େ ବୁଲେ । ତାକୁ କାହାରି ଆଦର କି ପ୍ରଶଂସା ମିଳେନାହିଁ ।

Show More

Related Articles

Back to top button