Breaking PLUSଦେଶମୁଖ୍ୟ ଖବର

ଆଜିଠୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ

୪ ହଜାରରୁ ଅଧିକ ବ୍ୟାଙ୍କ ଶାଖା ବନ୍ଦ

ବ୍ୟାଙ୍କ ଘରୋଇକରଣ ଲାଗି କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ବି‌ରୋଧ କରି ଆଜିଠାରୁ  (ୟୁଏଫ୍‌ବିୟୁ) ପକ୍ଷରୁ ଦୁଇ ଦିନିଆ ଧର୍ମଘଟ କରାଯିବ । ଏହାର ପ୍ରଭାବରେ ରାଜ୍ୟରେ ୪ ହଜାରରୁ ଅଧିକ ବ୍ୟାଙ୍କ ଶାଖା ବନ୍ଦ ରହିବ । ଏହି ଧର୍ମଘଟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ରାଜ୍ୟର ୨୧ ହଜାରରୁ ଅଧିକ କର୍ମଚାରୀ ଭାଗ ନେବେ ।

ସର୍ବଭାରତୀୟ ସ୍ତରରେ ଏହି ଧର୍ମଘଟ ପ୍ରଭାବରେ ୧ଲକ୍ଷ ୫୮ ହଜାର ବ୍ୟାଙ୍କ ଶାଖା ବନ୍ଦ ରହିବ ଓ ଏଥିରେ ୧୦ ଲକ୍ଷରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିବେ । ତେଣୁ ସରକାରୀ ବ୍ୟାଙ୍କର ଗ୍ରାହକମାନେ ଏହି ଦୁଇ ଦିନ ଶାଖାରେ ବ୍ୟାଙ୍କ ସେବା ପାଇବେ ନାହିଁ । କିନ୍ତୁ ଏଟିଏମ୍‌ଗୁଡ଼ିକ ଖୋଲାରହିବ । ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଓ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ସ୍ୱାଭାବିକ ଭାବେ କାର୍ଯ୍ୟ କରିବ । ମୋବାଇଲ୍‌ ଆପ୍‌ ଜରିଆରେ ପେମେଣ୍ଟ୍‌ କରିବାରେ ଅସୁବିଧା ହେବ ନାହିଁ । ଏହି ଧର୍ମଘଟରେ କିଛି ନିର୍ଦ୍ଧିଷ୍ଟ ପୁରୁଣା ଘରୋଇ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଛନ୍ତି । ସେହି ବ୍ୟାଙ୍କଗୁଡ଼ିକର ଶାଖା ବନ୍ଦ ରହିବାର ଆଶଙ୍କା ରହିଛି । କିନ୍ତୁ ପ୍ରମୁଖ ଘରୋଇ ବ୍ୟାଙ୍କଗୁଡ଼ିକ ଯେହେତୁ ୟୁନିଅନ୍‌ର ଅଂଶ ନୁହନ୍ତି, ତେଣୁ‌ ସେମାନଙ୍କ ଶାଖାଗୁଡ଼ିକରେ କାରବାର ସ୍ୱାଭାବିକ ରହିବ ବୋଲି ଆଶା କରାଯାଉଛି ।

ୟୁଏଫ୍‌ବିୟୁର ଓଡ଼ିଶା ରାଜ୍ୟ ୟୁନିଟ୍ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇକରଣ କରିବା ଲାଗି ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ବିରୋଧରେ ଜନ ଆନ୍ଦୋଳନ ହେବ । ଘରୋଇକରଣର ଅର୍ଥ ହେଉଛି ଜନ ସାଧାରଣଙ୍କ ସଞ୍ଚୟକୁ ବିପନ୍ନ କରିବା ଓ ଚାକିରି ଓ ଚାକିରିର ନିରାପତ୍ତା ଉପରେ ଆକ୍ରମଣ କରିବା । ୟୁନିଅନ୍ ପକ୍ଷରୁ ବ୍ୟାଙ୍କିଙ୍ଗ୍ ଆଇନ (ସଂଶୋଧନ) ବିଲ୍ ୨୦୨୧କୁ ବିରୋଧ କରାଯାଇଛି । ସାର୍ବଜନୀନ ବ୍ୟାଙ୍କଗୁଡ଼ିକର ଘରୋଇକରଣ ଅନୁଚିତ, ଜନ ବିରୋଧୀ ଓ ଆତ୍ମଘାତୀ ପଦକ୍ଷେପ । ଲକ୍ଷ ଲକ୍ଷ କୋଟି ଟଙ୍କାର ସାଧାରଣ ଜନତାଙ୍କ ଜମା ରାଶି ସହିତ ହଜାର ହଜାର ଶାଖାକୁ ପୁଞ୍ଜିପତିମାନଙ୍କ ହାତକୁ ଟେକି ଦେବା ଲାଗି ସରକାର ମସୁଧା କରିଛନ୍ତି । ଏହା ଅକ୍ଷମଣୀୟ, ଅସଙ୍ଗତ, ମନମୁଖୀ ଓ ସ୍ବେଚ୍ଛାଚାରୀ ନିଷ୍ପତ୍ତି । ଅନାଦେୟ ଋଣ ଆଦାୟ କରିବା ଲାଗି କଠୋର ନିୟମ ପ୍ରଣୟନ କରି ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ୟାଙ୍କ ଶିଳ୍ପ ବାରମ୍ବାର ଦାବି କରୁଛି । କିନ୍ତୁ ସରକାର ସେ ଦିଗରେ ପଦକ୍ଷେପ ଗ୍ରହଣ ନକରି ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାକୁ ଦୋଷ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ୟୁନିଅନ୍ ପକ୍ଷରୁ କୁହାଯାଇଛି ।

ଏହି ଅବସରରେ ୟୁଏଫ୍‌ବିୟୁର ରାଜ୍ୟ ସଂଯୋଜକ ରଘୁନାଥ ପ୍ରସାଦ ଦାସ, ବେଫିର ସାଧାରଣ ସମ୍ପାଦକ ପ୍ରକାଶ ରାୟ, ଏଆଇବିଓଏର ସାଧାରଣ ସମ୍ପାଦକ ଅଜୟ କୁମାର ରାଉତରାୟ, ଏଆଇବିଓସିର ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ମହାପାତ୍ର ଓ ଏସ୍‌ବିଆଇ ଅଫିସର ସଂଘର ସାଧାରଣ ସମ୍ପାଦକ ଅରୁଣ ବିଶୋୟୀ ଉପସ୍ଥିତ ଥିଲେ । ଧର୍ମଘଟ ସଫଳ କରିବାକୁ ବ୍ୟାଙ୍କ ଅଫିସର ସଂଘର ଉପଦେଷ୍ଟା ଦାମୋଦର ନନ୍ଦ ଆହ୍ବାନ ଦେଇଛନ୍ତି ।

Show More

Related Articles

Back to top button