ଓଡ଼ିଶାଦୁର୍ଘଟଣାସ୍ୱତନ୍ତ୍ରସ୍ୱାସ୍ଥ୍ୟ

ପାଣିରୁ ଉଦ୍ଧାର ପରେ ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଯୁଯୁମୁରା: ପାଣିରୁ ଉଦ୍ଧାର ପରେ ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ହାତୀକୁ ପୋଖରୀରୁ କ୍ରେନ୍‌ ଦ୍ୱାରା ଉଦ୍ଧାର କରାଯିବାପରେ ଚିକିତ୍ସା ଚାଲିଥିଲାବେଳେ ଦନ୍ତାଟି ଆଖି ବୁଜି ଦେଇଛି । ଚିକିତ୍ସକ ଟିମ୍‌ ଉଦ୍ୟମ କରି ମଧ୍ୟ ହାତୀକୁ ବଞ୍ଚାଇ ପାରି ନାହାନ୍ତି। ଆଜି ଅପରାହ୍ନରେ ହାତୀ ଶେଷ ନିଃଶ୍ବାସ ଛାଡ଼ିଛି। ଏନେଇ ସୂଚନା ଦେଇଛନ୍ତି ଡିଏଫ୍‌ଓ ବି ନିଲାମ୍ବର ।

ସୂଚନାଯୋଗ୍ୟ, ଗତ ଗୁରୁବାର ରାତିରେ ସମ୍ବଲପୁର ବନଖଣ୍ଡ ଅନ୍ତର୍ଗତ ପଡ଼ିଆବାହାଲ ବନାଞ୍ଚଳର ବଡ଼ସାହି ବନ ସେକ୍ସନ ଅଧିନ ସାପଲହରାସ୍ଥିତ ପୋଖରୀ ପଙ୍କରେ ଫସି ଯାଇଥିଲା ହାତୀ ।  ହାତୀଟି ପାଞ୍ଚ ଦିନ ପାଣିରେ ପଡିବା ପରେ ଆଜି ସକାଳୁ ଉଦ୍ଧାର ହୋଇଥିଲା। ପୋଖରୀରେ ପଡ଼ି ହାତୀର ଗୋଟିଏ ଗୋଡ଼ ଭାଙ୍ଗିଯାଇଥିଲା । ଏନେଇ ସୂଚନା ମିଳିବା ପରେ ବନ ବିଭାଗ ପକ୍ଷରୁ ହାତୀଟିକୁ ପୋଖରୀରୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଥିଲା । ହେଲେ ସମସ୍ତ ଚେଷ୍ଟା ଫେଲ ମାରିଥିଲା । ଦିନକୁ ଦିନ ହାତୀର ସ୍ୱାସ୍ଥ୍ୟବସ୍ଥା ବିଗିଡିବାକୁ ଲାଗିଥିଲା । ଶେଷରେ ବନବିଭାଗ ଓୟୁଏଟି ଟିମ୍‌ର ସହଯୋଗ ଲୋଡିଥିଲା । ଓୟୁଏଟିର ଏକ ଟିମ୍‌ ସମ୍ବଲପୁରରେ ପହଞ୍ଚି ହାତୀର ଚିକିତ୍ସା ଆରମ୍ଭ କରିଥିଲେ ।ହାତୀକୁ ପୋଖରୀ କୂଳରେ ଅଳ୍ପପାଣିରେ ରଖି ଚିକିତ୍ସା କରାଯାଉଥିଲା । ଚିକିତ୍ସା ସମୟରେ ହାତୀଟିର ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ଆଜି କ୍ରେନ୍‌ ଓ ବେଲ୍ଟ ସହାୟତାରେ ହାତୀକୁ ପୋଖରୀ ବାହାରକୁ ଅଣାଯାଇଥିଲା। ପୋଖରୀରୁ ହାତୀକୁ କାଢିବା ପରେ ତା ଠାରେ କୌଣସି ହଲଚଲ ପରିଲକ୍ଷିତ ହୋଇ ନଥିଲା । ଉପସ୍ଥିତ ପଶୁ ଡାକ୍ତର ହାତୀର ପେଟକୁ ଚିପି ତାକୁ ବଂଚାଇବାକୁ ଚେଷ୍ଟା କରିଥିଲେ । ହେଲେ ହାତୀର ମୃତ୍ୟୁ ହୋଇସାରିଥିଲା । ଏନେଇ ସମ୍ବଲପୁର ଡିଏଫ୍‌ଓ ସୂଚନା ଦେଇଛନ୍ତି । ତେବେ ହାତୀଟିର ମୃତ୍ୟୁ ପରେ ମୃତଦେହକୁ ପୋଷ୍ଟମର୍ଟମ କରାଯିବ। ଏହାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବନବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି ।

 

Show More

Related Articles

Back to top button