ବାଣିଜ୍ୟ

ପେଟ୍ରୋଲ-ଡିଜେଲ ମୂଲ୍ୟକୁ ନେଇ କେନ୍ଦ୍ର-ରାଜ୍ୟ ଖେଳ

ପେଟ୍ରୋ ଓ ଡିଜେଲକୁ ନେଇ କେନ୍ଦ୍ର ଓ କିଛି ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଥିବା ଖେଳରେ ଲୋକେ କେଉଁଠି ଠକି ହେଲେଣି ତ କେଉଁଠି କମ ମୂଲ୍ୟରେ ପାଇ ବେଶ୍ ଖୁସ୍।

ଗୋଟିଏ ଦେଶର ଅଲଗା ଅଲଗା ରାଜ୍ୟରେ ଏବେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଆକାଶ ପାତାଳ ଫରକ। ମାତ୍ର ଦେଢ କିଲୋମିଟର ରେ ବଦଳି ଯାଉଛି ଇନ୍ଧନ ଦର। ଏଣୁ କେଉଁଠି ବିକ୍ରି ବଢି ଚାଲିଛି ତ କେଉଁଠି ଫିଲିଂ ଷ୍ଟେସନ ଏବେ ପୁରା ଫାଙ୍କା ପଡୁଛି। ଉଦାହରଣ ଭାବେ ଏବେ ରାଜସ୍ଥାନ ଓ ପଞ୍ଜାବକୁ ନିଆଯାଇପାରେ। ଉଭୟ ରାଜ୍ୟରେ କଂଗ୍ରେସ ସରକାର। ହେଲେ ରାଜସ୍ଥାନ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ମୂଲ୍ୟଯୁକ୍ତ ଶୁଳ୍କ (ଭାଟ) ଛାଡ କରୁନଥିବା ବେଳେ ପଞ୍ଜାବ ସରକାରଙ୍କ ରିହାତି ଦୁଇ ରାଜ୍ୟଙ୍କ ସୀମାବର୍ତ୍ତି କ୍ଷେତ୍ରରେ ମୂଲ୍ୟରେ ତାରତମ୍ୟ ସୃଷ୍ଟି କରିଛି। ପଞ୍ଜାବ ସୀମାକୁ ଲାଗି ରହିଥିବା ରାଜସ୍ଥାନର ପେଟ୍ରୋଲ ପମ୍ପର ବିକ୍ରି ଦର ପଞ୍ଜାବ ଠାରୁ ଲିଟର ପିଛା ୨୦ ଟଙ୍କା ଅଧିକ। ଏଣୁ ରାଜସ୍ଥାନ ସୀମାରେ ତେଲ ପକାଇ ଲୋକେ ଠକି ହେଉଥିବା ପରି ଅନୁଭବ କରୁଛନ୍ତି।

ଏଭଳି ପରିସ୍ଥିତି କେବଳ ପଞ୍ଜାବ-ରାଜସ୍ଥାନରେ ନୁହେଁ ୟୁପି-ବିହାର, ନୋଏଡା-ଦିଲ୍ଲୀ, ଗାଜିଆବାଦ-ଦିଲ୍ଲୀ ଓ ଝାଡଖଣ୍ଡ-ବେଙ୍ଗଲରେ ଏପରି ଅସ୍ୱଭାବିକ ଅବସ୍ଥା ଦେଖିବାକୁ ମିଳୁଛି। ଏହି ସବୁ ରାଜ୍ୟଙ୍କ ସୀମାରେ ଥିବା ପେଟ୍ରୋଲ ପମ୍ପମାନଙ୍କରେ ଦର ପ୍ରାୟ ୮ରୁ ୧୦ ଟଙ୍କା ଅନ୍ତର ରହୁଛି। ନୋଏଡାରେ ପେଟ୍ରୋଲ ଲିଟର ପିଛା ଦର ୯୫ଟଙ୍କା ୪୯ ପଇସାରେ ବିକ୍ରି ହେଉଥିବା ବେଳେ ଦିଲ୍ଲୀ ମୟୁରବିହାର ଫେଜ-୧ ପେଟ୍ରୋଲ ପମ୍ପରେ ଦର ୧୦୩ ଟଙ୍କା ୯୭ ପଇସା। ଉତ୍ତରପ୍ରଦେଶର ନୋଏଡା ଓ ଦିଲ୍ଲୀ ମୟୁର ବିହାର ଦୂରତା ମାତ୍ର କିଛି କିଲୋମିଟର ହେଲେ ଲିଟରକ ତେଲରେ ୮ ଟଙ୍କା ୫୧ ପଇସାର ଅନ୍ତର ରହୁଛି। ବିହାର ଜମୁଇରେ ଲିଟରପିଛା ପେଟ୍ରୋଲ ୧୦୭ଟଙ୍କା ୯୫ ପଇସାରେ ବିକ୍ରି ହେଉଥିବା ବେଳେ ଝାଡଖଣ୍ଡ ଦେଓଘରରେ ଲିଟର ପିଛା ଦର ୯୮ଟଙ୍କା ୨୦ ପଇସାରେ ମିଳୁଛି। ଫଳରେ ମାତ୍ର ଦେଢ଼ କିଲୋମିଟରର ଦୂରତା ଲାଗି ଲୋକେ ୯ଟଙ୍କା ୭୫ ପଇସା ଅଧିକ ଦେବାକୁ ବାଧ୍ୟ ହେଉଛନ୍ତି। ସେହିପରି ଝାଡଖଣ୍ଡର ଧାନବାଦରେ ପେଟ୍ରୋଲ ଲିଟର ୯୮ ଟଙ୍କା ୪୧ ପଇସାରେ ବିକା ହେଉଥିବା ବେଳେ ପଶ୍ଚିମବଙ୍ଗ ପୁରୁଲିଆ ଲିଟର ୧୦୫ଟଙ୍କା ୭୫ ପଇସା। ଏଣୁ ଏପରି ସୀମାବର୍ତ୍ତି କ୍ଷେତ୍ରରେ ରହୁଥିବା ଲୋକେ ଏବେ ପ୍ରାୟ ପେଟ୍ରୋଲ ଡିଜେଲ କିଣି କେବେ ଠକେଇରେ ପଡୁଥିବା ଭଳି ଅନୁଭବ କରୁଥିବା ବେଳେ କେବେ କେବେ ଶସ୍ତାରେ ପକାଇ ଖୁସି ହେବାକୁ ବାଧ୍ୟ ହେଉଛନ୍ତି।

Show More

Related Articles

Back to top button