Breaking PLUSଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ରାସ୍ତା କଡ଼ରେ ତମ୍ବୁ ଟାଣି ଶୋଇଥିବା ଶ୍ରମିକଙ୍କ ଉପରେ ମାଡିଗଲା ବାଲି ବୋଝେଇ ଡମ୍ଫର

ଭଦ୍ରକ : ରାସ୍ତା କଡରେ ତମ୍ୱୁ ଟାଣି ଶୋଇଥିବା ବେଳେ ମାଡ଼ି ଆସିଲା ମୃତ୍ୟୁ। ରାସ୍ତା କଡ଼ରେ ତମ୍ବୁ ଟାଣି ରହୁଥିବା ଶ୍ରମିକ ଶୋଇଥିବା ଅବସ୍ଥାରେ ତାଙ୍କ ଉପରେ ମାଡ଼ିଗଲା ବାଲି ବୋଝେଇ ଡମ୍ଫର। ଏଥିରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୫ରୁ ଊର୍ଦ୍ଧ୍ୱ ଶ୍ରମିକ ଗୁରୁତର ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଆଜି ଭୋରରୁ ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଛକ ନିକଟରେ ଘଟିଛି। ମୃତକଙ୍କ ପରିଚୟ ଜଣାପଡ଼ି ନ ଥିବା ବେଳେ ତାଙ୍କ ଘର ମଧ୍ୟପ୍ରଦେଶରେ ବୋଲି ସୂଚନାମିଳିଛି। ସୂଚନାଯୋଗ୍ୟ, ଭଣ୍ଡାରିପୋଖରୀ ଛକ ନିକଟରେ ରାଜପଥ ସମ୍ପ୍ରସାରଣ କାମ ଚାଲିଛି। ଡିବିଏଲ କମ୍ପାନୀ ଏହି କାମ ନେଇଥିବା ବେଳେ ଏଥିରେ ଅଣ ଓଡ଼ିଆ ଶ୍ରମିକ ନିୟୋଜିତ ହୋଇଛନ୍ତି। ଏହି କାମରେ ନିୟୋଜିତ ୧୦ କର୍ମଚାରୀ ରାଜପଥ ପାର୍ଶ୍ୱରେ ତମ୍ବୁ ଟାଣି ରହୁଛନ୍ତି। ଗତ ରାତିରେ କାମ ସରିବା ପରେ ୧୦ ଶ୍ରମିକ ତମ୍ବୁ ଭିତରେ ଶୋଇଥିଲେ। ଆଜି ଭୋରୁ ହଠାତ୍‌ ଏକ ବାଲି ବୋଝେଇ ଡମ୍ଫର ଭାରସାମ୍ୟ ହରାଇ ତମ୍ବୁ ଭିତରକୁ ମାଡି ଯାଇଥିଲା। ଘଟଣାସ୍ଥଳରେ ହିଁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫ ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ଅଛି। ଅନ୍ୟମାନେ ଏହା ଦେଖି ଘଟଣାସ୍ଥଳରୁ ଦୌଡ଼ି ବାହାରକୁ ପଳାଇଥିଲେ। ଖବର ପାଇ ଭଣ୍ଡାରିପୋଖରୀ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ଭଣ୍ଡାରିପୋଖରୀ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଘଟଣାସ୍ଥଳରୁ ଡମ୍ଫର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୁଲିସ୍‌ ଏହାର ତଦନ୍ତ ଆରମ୍ଭ କରିଛି।

Show More

Related Articles

Back to top button