ଦେଶ ବିଦେଶ

ତାଲିବାନର ଅମାନୁଷିକ କାଣ୍ଡ

ଆଫଗାନିସ୍ତାନରେ ମହିଳାଙ୍କ ଉପରେ ତାଲିବାନର ବର୍ବରତା ଭୟଙ୍କର, ଯାହାକୁ ଅନୁଭବ ବି କଲେ ଦେହ ଥରି ଉଠେ । ୨୦ ବର୍ଷ ପୂର୍ବରୁ ତାଲିବାନ ମହିଳାଙ୍କ ପ୍ରତି ଅମାନବୀୟ ଓ ଅମାନୁଷିକ ଅତ୍ୟାଚାର କରୁଥିଲା ସେଥିରେ ଟିକିଏ ବି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । ଏବେ ମଧ୍ୟ ତାଲିବାନୀ ଯୁବକ ମାନେ ମହିଳାଙ୍କୁ ବିନା କାରଣରେ ମାଡ ମାରିବା ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ କଟକଣା ଲଗାଇ ନିଜର ଅସଲ ରୂପ ଦେଖାଇଛି । ଆଉ ଏବେ ତାଲିବାନର ଅସଲ ଚରିତ୍ର ଓ ଅସଲ ରୂପ ଭାରତୀୟ ଜାତୀୟ ଗଣମାଧ୍ୟମରେ ସାମ୍ନାରେ ରଖିଛନ୍ତି ଆଫଗାନିସ୍ତାନର ମହିଳା । ଆଫଗାନିସ୍ତାନରେ ତାଲିବାନର କିଭଳି ମହିଳାଙ୍କ ପାଇଁ ଆତଙ୍କ ସାଜିଛନ୍ତି ତାହାର କାହାଣୀ ବଖାଣିଛନ୍ତି ଦୁଇ ମହିଳା ।

ଖାତିରା ହାସମି । ଆଫଗାନିସ୍ତାନର ପୋଲିସ ଫୋର୍ସରେ ଇନସପେକ୍ଟର କାମ କରୁଥିବା ଏହି ମହିଳାଙ୍କ ଜୀବନ ୨୦୨୦ ଯାଏଁ ବେଶ ଭଲରେ ବିତିଥିଲା । କିନ୍ତୁ ୨୦୨୦ରେ ଯେତେବେଳେ ତାଲିବାନର ପ୍ରାର୍ଦୁଭାବ ବଢିବା ଆରମ୍ଭ ହେଲା ସେତେବେଳେ ତାଲିବାନ ପକ୍ଷରୁ ଖାତିରାଙ୍କୁ ଧମକ ମିଳିଲା । ଜଣେ ମହିଳା କିପରି ପୋଲିସ ଫୋର୍ସରେ କାମ କରିବ ଏହାକୁ ନେଇ ଖାତିରା ଓ ତାଙ୍କ ପରିବାରକୁ ଧମକ ଦେଲା ତାଲିବାନ । ଆଉ ବାରମ୍ବାର ତାଲିବାନର ଧମକ ପରେ ଖାତିରାଙ୍କୁ ପୋଲିସ ଫୋର୍ସରେ କାମ ନ କରିବାକୁ ରୋକିଥିଲେ ତାଙ୍କ ସ୍ୱାମୀ । କିନ୍ତୁ ଖାତିରା ଏହାକୁ ଖାତିର ନକରି ପୋଲିସରେ କାମ କରିଚାଲିଲେ । ଯାହା ତାଲିବାନକୁ ସହଜରେ ହଜମ ହେଲା ନାହିଁ । ଖାତିରାଙ୍କୁ ଗୁଳି ମାରି ଆଖି ଫୁଟାଇ ଦେଇଥିଲେ ନୃଂଶସ ତାଲିବାନୀ ଯୁବକ । କିନ୍ତୁ ଖାତିରାଙ୍କୁ ମରିଯାଇଥିବା ଭାବି ରାସ୍ତା ମଝିରେ ଫୋପାଡି ଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ ଖାତିରାଙ୍କୁ ପୋଲିସ ଉଦ୍ଧାର କରିବା ସହ ହସ୍ପିଟାଲରେ ଭର୍ତ୍ତି କରିଥିଲା ଯେଉଁଠି ଦୀର୍ଘଦିନ ଧରି ଖାତିରାଙ୍କ ଚିକିତ୍ସା ଚାଲିଲା । ଜୀବନ ସିନା ବଞ୍ଚିଗଲା କିନ୍ତୁ ଖାତିରାଙ୍କ ପାଇଁ ଦୁନିଆ ସବୁଦିନ ଅନ୍ଧକାର ହୋଇଗଲା ।

ତାଲିବାନ ନୃଂଶସତାର ଶିକାର ହୋଇଥିବା ଆଉ ଜଣେ ମହିଳା ହେଉଛନ୍ତି ଶାହିନ ମୋହମ୍ମଦି, ଯିଏ ଏବେ ଭାରତରେ ଶରଣାର୍ଥୀ ଭାବେ ରହୁଛନ୍ତି । ଶାହିନ ଦୀର୍ଘବର୍ଷ ହେବ ଆମେରିକା ପାଇଁ କାମ କରୁଥିଲେ । ପେଶାରେ ସାମ୍ବାଦିକା ଥିବା ଶାହିନଙ୍କର ଆମେରିକା ସେନା ସହ ଉତ୍ତମ ସର୍ମ୍ପକ ଥିଲା । କିନ୍ତୁ ଯେତେବେଳେ ତାଲିବାନ ଏକଥା ଜାଣିଲା ସେତେବେଳେ ଶାହିନଙ୍କ ମାଡ ମାରିବା ସହ ଏସିଡ ପକାଇ ମୁହଁକୁ ନଷ୍ଟ କରିଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ ଶାହିନ ପ୍ଲାଷ୍ଟିକ ସର୍ଜରୀ କରି ନିଜ ଚେହେରାକୁ କିଛି ମାତ୍ରାରେ ଠିକ୍ କରିଥିଲେ । ଶାହିନଙ୍କ କହିବା ଅନୁଯାୟୀ, ଆମେରିକା ସହ ଯେଉଁମାନେ କାମ କରୁଥିଲେ କିମ୍ବା ଆମେରିକା ସେନାକୁ ସହଯୋଗ କରୁଥିଲେ ତାଲିବାନ ସେମାନଙ୍କ ପ୍ରତି ଅତି ନୃଂଶସ ପାଲଟି ଯାଉଥିଲା । ଏପରିକି କିଛି ଲୋକଙ୍କର ହାତ ମଧ୍ୟ କାଟି ଦେବା ସହ ଏହାକୁ ଗରମ ତେଲରେ ପକାଇ ଦେଉଥିଲେ ତାଲିବାନୀ ଆତଙ୍କୀ । ଉଭୟ ମହିଳା ଓ ପୁରଷ କାହା ପ୍ରତି ଦୟା ଦେଖାଉନଥିଲେ ତାଲିବାନୀ ଯୁବକ । ନିର୍ଦ୍ଦୟୀ ତାଲିବାନୀ ଆତଙ୍କୀ ନୃଂଶସତାର ସବୁ ସୀମା ଟପି ଯାଉଥିଲେ ।

Show More

Related Articles

Back to top button