Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଆଗକୁ ରାଜ୍ୟରେ କମିବ ଶୀତ

୨୭ରୁ ୩ ଦିନ ଯାଏଁ ବର୍ଷା ସମ୍ଭାବନା

ଆସନ୍ତା ୨୮, ୨୯ ଓ ୩୦ ତାରିଖରେ ରାଜ୍ୟରେ ପାଗ ମେଘୁଆ ରହିବ । ୨୯ ଓ ୩୦ ତାରିଖ ଦୁଇ ଦିନ ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ତେବେ ଉପକୂଳ ଓଡ଼ିଶାରେ ପାଗ ଶୁଖିଲା ଓ ଖରାଟିଆ ରହିବ । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି । ତେବେ ଏହି ସମୟରେ ଭୂମଧ୍ୟସାଗରରୁ ପାକିସ୍ତାନ ଦେଇ ଦେଶର ଉତ୍ତର ପଶ୍ଚିମ ଭାଗକୁ ପବନ ବହିବ । ଏହାର ପ୍ରଭାବରେ ପାହାଡିଆ ଅଞ୍ଚଳରେ ବରଫପାତ ହେବ । ସେହିଭଳି ସମତଳ ଅଞ୍ଚଳରେ ବର୍ଷା ହୋଇପାରେ । ଉତ୍ତରପ୍ରଦେଶ, ପଞ୍ଜାବ, ହରିଆନା, ଛତିଶଗଡ,ଝାଡଖଣ୍ଡ ଓ ପଶ୍ଚିମ ଓଡ଼ିଶା ଓ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି ।

ସେହିପରି ଆଞ୍ଚଳିକ ପାଣିପାଗ ବିଭାଗ ମଧ୍ୟ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି । ୨୭, ୨୮ ଓ ୨୯ ତାରିଖରେ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହେବ । ସୁନ୍ଦରଗଡ, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର ଓ ଦେବଗଡ଼ରେ ୨୭ ତାରିଖରେ ବର୍ଷା ହୋଇପାରେ । ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ରେ ୨୮ ଓ ୨୯ ତାରିଖରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି ବୋଲି ବିଭାଗ ପୂର୍ବାନୁମାନ କରିଛି । ସେପଟେ ରାଜ୍ୟର ଅଧିକାଂଶ ସ୍ଥାନରେ ଆସନ୍ତା ଦୁଇ ଦିନ ଯାଏ ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବଢ଼ିବ । ଶୁକ୍ରବାର ବି ରାଜ୍ୟର ଅଧିକାଂଶ ଜିଲ୍ଲାରେ ରାତି ତାପମାତ୍ରା ବଢିଛି। ଦାରିଙ୍ଗିବାଡ଼ି ଓ ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରହିଛି । ଗତ ଦୁଇ ଦିନକୁ ଦେଖିଲେ ଏଠାରେ ରାତି ତାପମାତ୍ରା ପ୍ରାୟ ୩ ଡିଗ୍ରୀରୁ ଅଧିକ ବଢିଲାଣି। ଶୁକ୍ରବାର ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ରହିଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ସବୁଠୁ କମ୍‌ ବା ୬.୫ ଡିଗ୍ରୀ ରହିଛି ।

Show More

Related Articles

Back to top button