ଅପରାଧଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ମନି ଲଣ୍ଡରିଂ ସଂପର୍କିତ ତଥ୍ୟକୁ ନେଇ ଉଭୟ ଅର୍ଚ୍ଚନା-ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବ ଇଡି

ଭୁବନେଶ୍ୱର : ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ସଂପର୍କିତ ତଥ୍ୟକୁ ନେଇ ଆଦୌ ସନ୍ତୁଷ୍ଟ ନୁହେଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ତେଣୁ ତାଙ୍କୁ ଆଉଥରେ ରିମାଣ୍ଡରେ ନେବ। ଏଥିସହ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମଧ୍ୟ ରିମାଣ୍ଡରେ ନେବ ଇଡି। ଉଭୟଙ୍କୁ ରିମାଣ୍ଡରେ ନେବା ପାଇଁ ଆଜି ଅନୁମତି ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଜ୍‌ କୋର୍ଟ। ଅର୍ଚ୍ଚନାଙ୍କୁ ଆଉ ୬ ଦିନ ଓ ଜଗବନ୍ଧୁ ଚାନ୍ଦଙ୍କୁ ୯ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଉଭୟଙ୍କୁ ମୁହାଁମୁହିଁ ବସାଇ ଇଡି ଜେରା କରିବାର ସମ୍ଭାବନା ରହିଛି।

ହନିଟ୍ରାପ୍‌ ସହ ବ୍ଲାକ୍‌ମେଲିଂ କରି ପାହାଡ଼ ଭଳି ସମ୍ପତ୍ତି ଛିଡ଼ା କରିଥିଲେ ନାଗଫାଶର ନାୟିକା। ସେଦିନ ତାଙ୍କୁ ବାନ୍ଧିଥିଲା କମିଶନରେଟ୍‌ ପୁଲିସ୍‌। ଆଜି ଗିରଫ କରିଛି ଇଡି। ୭ ଦିନିଆ ରିମାଣ୍ଡରେ ନେଇ ଜେରା କରିବା ଭିତରେ ବେଆଇନ୍‌ ଆର୍ଥିକ କାରବାରର ପ୍ରମାଣ ପାଇବା ପରେ ମନି ଲଣ୍ଡରିଂ ଆକ୍ଟରେ ଆଜି ଅର୍ଚ୍ଚନାଙ୍କୁ ଗିରଫ କରିଛି ଇଡି। କେବଳ ଗିରଫ କରିନାହିଁ, ଆଉ ସପ୍ତାହେ ରିମାଣ୍ଡରେ ନେବା ପାଇଁ  କୋର୍ଟରେ ଆବେଦନ କରିଥିଲା। ସେଥିପାଇଁ ଆଜି କୋର୍ଟରେ ଅର୍ଚ୍ଚନାଙ୍କୁ ହାଜର କରିଥିଲା ଇଡି। କୋର୍ଟ ୬ ଦିନିଆ ରିମାଣ୍ଡ ନେବା ପାଇଁ ଅନୁମତି ଦେଇଛନ୍ତି।

ଅର୍ଚ୍ଚନାଙ୍କ ପରେ ଝାରପଡ଼ା ଜେଲ୍‌ରେ ଥିବା ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ ରିମାଣ୍ଡରେ ନେଇ ଇଡ଼ି ତଥ୍ୟ ଆଦାୟ କରିବ। ସେହି ଉଦ୍ଦେଶ୍ୟରେ ଜଗବନ୍ଧୁଙ୍କୁ ଆଜି କଡ଼ା ସୁରକ୍ଷା ବଳୟରେ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ୯ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି। ଅର୍ଥାତ ନାଗ-ଚାନ୍ଦ ଦମ୍ପତିକୁ ଏଣିକି ସାମ୍ନାସାମ୍ନି ବସାଇ ଭୁବନେଶ୍ୱର ସତ୍ୟବିହାରର ଆଲିସାନ୍‌ ବଙ୍ଗଳା, କେସିଙ୍ଗା ସ୍ଥିତ ଅଖି ଦୃଶିଆ କୋଠା, ନାମୀ ଦାମୀ ସୌଖିନ କାର, ପୂଳା ପୂଳା ସୁନା ଅଳଙ୍କାର ଅର୍ଜନର ତଥ୍ୟ କାଢ଼ିପାରେ ଇଡ଼ି।

ଡିସେମ୍ବର ୬ ତାରିଖରେ ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନାଙ୍କୁ ପ୍ରଥମେ ୭ ଦିନିଆ ରିମାଣ୍ଡରେ ନେଇଥିଲା ଇଡି। ହେଲେ ମୁହଁ ଖୋଲି ନଥିଲେ ଅର୍ଚ୍ଚନା। ଏପରିକି ଇଡ଼ିକୁ ତଦନ୍ତରେ ସହଯୋଗ କରିନଥିଲେ। ଅର୍ଚ୍ଚନା ଇଡ଼ି ଅଧିକାରୀଙ୍କୁ ଭୂଆଁ ବୁଲାଇଥିବା ଚର୍ଚ୍ଚା ହେଉଛି। ତେଣୁ ସନ୍ତୋଷଜନକ ଉତ୍ତର ନପାଇବାରୁ ଆଜି ଇଡ଼ି ପୁଣି ଥରେ ୭ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା କୋର୍ଟରେ। ତେବେ ଅର୍ଚ୍ଚନାର ଓକିଲ ଦେବାଶିଷ ମହାପାତ୍ର କହିଛନ୍ତି, ଅର୍ଚ୍ଚନା ଇଡ଼ିକୁ ସହଯୋଗ କରୁଛନ୍ତି।

ସେପଟେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏହି ମାମଲାରେ ପ୍ରଥମ ଥର ପାଇଁ ମିଡ଼ିଆ ସାମ୍ନାକୁ ଆସିଛନ୍ତି ଅର୍ଚ୍ଚନା ନାଗ୍ର ବାପା ସୁରେନ୍ଦ୍ର ନାଗ। ନିଜକୁ ଜଣେ ସାମାଜିକ କର୍ମୀର ପରିଚୟ ଦେବା ସହ କହିଛନ୍ତି, ମୁଁ ଜମି ବିକ୍ରି କରି ୫୦-୬୦ ଲକ୍ଷ ଟଙ୍କା ଝିଅକୁ ଦେଇଛି। ମୋ’ ସ୍ତ୍ରୀ ମଧ୍ୟ ଚାକିରି କରୁଛି। ଝିଅ  ବିଜନେସ୍ କରୁଥିଲା। ମୋ’ ଝିଅ ନିର୍ଦ୍ଦୋଷ। ଶ୍ରଦ୍ଧାଞ୍ଜଳି ଓ ପ୍ରଯୋଜକମାନେ ମୋ ଝିଅକୁ ଫସାଇଛନ୍ତି ବୋଲି ସେ କହିଛନ୍ତି।

 

Show More

Related Articles

Back to top button