ବାଣିଜ୍ୟ

ହୁ ହୁ ହୋଇ ବଢିବାରେ ଲାଗିଛି ଖାଇବା ତେଲ ଦାମ

ଋଷ ଏବଂ ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବ ଏବେ ସାରା ବିଶ୍ବ ଉପରେ ପଡୁଛି । ହୁ ହୁ ହୋଇ ବଢିବା​‌ରେ ଲାଗିଛି ଦର ଦାମ । କ୍ରୁଡ୍‌ ଅଏଲ ଦାମ ଅହେତୁକ ଭାବେ ବୃଦ୍ଧି ଫଳରେ ଏହାର ପ୍ରଭାବ ସିଧାସଳଖ ଭାବେ ଖାଉଟିଙ୍କ ଉପ​‌ରେ ମଧ୍ୟ ପଡିବାରେ ଲାଗିଛି । ଏହାରି ମଧ୍ୟରେ ଭାରତରେ ଖାଇବା ତେଲ ଦର ଲଗାତାର ଭାବେ ବୃଦ୍ଧି ପାଇପାରେ ଲାଗିଛି । ଅଶୋଧିତ ତୈଳ ଦର ଆକାଶ ଛୁଆଁ ହୋଇଯାଇଥିବାରୁ ଭାରତରେ ପାମ୍‌ ଅଏଲ, ସନ୍‌ଫ୍ଲାଓ୍ବାର ଅଏଲ, ସୋୟା ଏବଂ ବନସ୍ପତି ତେଲ ଦାମ ବୃଦ୍ଧି ପାଇଛି । ତେବେ ସୋରିଷ ତେଲ ଦାମରେ କମ ବୃଦ୍ଧି ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତୀ ଦେଇଛି । ଦର ଦାମ ଅହେତୁକ ବୃଦ୍ଧି ସରକାରଙ୍କୁ ମଧ୍ୟ ଅକଳରେ ପକାଇଛି । ଦର ବୃଦ୍ଧିକୁ ଆୟତରେ ରଖିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି କେନ୍ଦ୍ର ସରକାର । ଏ ନେଇ ପୂର୍ବରୁ ମଧ୍ୟ ୨ ଥର ବୈଠକ ହୋଇସାରିଛି । ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଦରଦାମ ବୃଦ୍ଧି ନେଇ ସମୀକ୍ଷା କରିପାରନ୍ତି । ତେବେ ଗତ ୨୦ ଦିନର ଦରଦାମ ରିପୋର୍ଟ ଦେଖିବାକୁ ଗଲେ, ଫେବୃଆରୀ ୧୫ ତାରିଖରୁ ମାର୍ଚ୍ଚ ୫ ତାରିଖ ଯାଏଁ ତେଲ କମ୍ପାନୀ ଗୁଡିକ ୧୦ ରୁ ୩୬ ଟଙ୍କା ଯାଏଁ ବୃଦ୍ଧି ଘଟାଇଲେଣି ।

ରାଜଧାନୀ ଦିଲ୍ଲୀରେ ୧୩୨ ଟଙ୍କାରେ ବିକ୍ରି ହେଉଥିବା ପାମ୍‌ ଅଏଲ ଏବେ ୧୬୦ ଟଙ୍କା ହୋଇଯାଇଛି । ସେହିଭଳି ମୁମ୍ବାଇରେ ୧୩ ଟଙ୍କା, ଓଡିଶାରେ ୨୩ ଟଙ୍କା, ଚେନ୍ନାଇରେ ପାମ୍‌ ଅଏଲ ୨୫ ଲିଟର ପିଛା ୨୫ ଟଙ୍କା ବୃଦ୍ଧି ପାଇଲାଣି । ସେହିଭଳି ସୋୟା ତେଲ ଦର ମଧ୍ୟ ଅହେତୁକ ବୃଦ୍ଧି ଘଟିଛି । ଦିଲ୍ଲୀରେ ପୂର୍ବରୁ ଦାମ ୧୫୭ ଟଙ୍କା ଥିବା ବେଳେ ଏବେ ସେଥିରେ ୨୨ ଟଙ୍କା ବୃଦ୍ଧି ଘଟି ୧୭୯ ଟଙ୍କା ହୋଇଯାଇଛି । କୋଲକାତାରେ ସୋୟା ତେଲ ଦର ଲିଟର ପିଛା ୧୭ ଟଙ୍କା ବୃଦ୍ଧି ପାଇଥିବା ବେଳେ, ହାଇଦ୍ରାବାଦରେ ୧୪ ଟଙ୍କା, ୟୁପିରେ ୨୫ ଟଙ୍କା, ହିମାଚଳ ପ୍ରଦେଶରେ ୨୨ ଟଙ୍କା ବୃଦ୍ଧି ଘଟିଛି । ବନସ୍ପତି ତେଲ ଦର ମଧ୍ୟ ଅନେକ ସହରରେ ବୃଦ୍ଧି ଘଟିଛି । ଦିଲ୍ଲୀରେ ଲିଟର ପିଛା ୨୦ ଟଙ୍କା ଲେଖାଏଁ ବୃଦ୍ଧି ଘଟିଥିବା ବେଳେ, ଶ୍ରୀନଗରରେ ୨୫ ଟଙ୍କା, ପାଟନାରେ ୨୦ ଟଙ୍କା, ବେଙ୍ଗାଲୁରୁରେ ୨୩ ଟଙ୍କା ଯାଏଁ ବୃଦ୍ଧି ପାଇଛି । ଉତ୍ତରାଖଣ୍ଡରେ ସର୍ବାଧିକ ୫୯ ଟଙ୍କା ବୃଦ୍ଧି ପାଇ ବନସ୍ପତି ତେଲ ଦର ୧୯୫ ଟଙ୍କା ହୋଇଯାଇଛି । ସେହିଭଳି ଆମ ରାଜ୍ୟ ଓଡିଶାରେ ବନସ୍ପତି ତେଲ ଦର ଲିଟର ପିଛା ୩୦ ଟଙ୍କା ବୃଦ୍ଧି ପାଇଛି । ଦେଶର ବିଭିନ୍ନ ସ୍ଥାନରେ ସନଫ୍ଲାୟାର ତେଲ ଦର ୬ରୁ ୩୧ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଛି ।

Show More

Related Articles

Back to top button