ସ୍ୱାସ୍ଥ୍ୟ

ବୃଦ୍ଧି ପାଉଛି ବ୍ରେଷ୍ଟ କ୍ୟାନସର ସମସ୍ୟା: କରନ୍ତୁ ଏହି ଚିକିତ୍ସା

ସ୍ୱାସ୍ଥ୍ୟ ଉପରେ ପଡ଼ିନଥାଏ କୁପ୍ରଭାବ

ବିଶ୍ୱରେ ମହିଳାମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ସମସ୍ତ ପ୍ରକାର କର୍କଟ ରୋଗ ମଧ୍ୟରେ ବ୍ରେଷ୍ଟ କ୍ୟାନସର ବା ସ୍ତନ କର୍କଟ ରୋଗ ଏବେ ୧ ନମ୍ବର ସ୍ଥାନ ଗ୍ରହଣ କରିଛି । ୨୦୧୮ ମସିହାରେ ବିଶ୍ୱର ମୋଟ ୨୦,୮୮, ୮୪୯ ବ୍ରେଷ୍ଟ କ୍ୟାନସର ରୋଗୀ ଚିହ୍ନଟ ହୋଇଥିଲେ। ଯାହା ସମସ୍ତ କର୍କଟ ରୋଗର ୧୧.୬ ପ୍ରତିଶତ । ଏମାନଙ୍କ ମଧ୍ୟରେ ୬୨, ୬୭୯ ରୋଗୀ ବ୍ରେଷ୍ଟ କ୍ୟାନସର ରୋଗରେ ପ୍ରାଣ ହରାଇଛନ୍ତି । ଏବେ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳି ଯୋଗୁଁ ବ୍ରେଷ୍ଟ କ୍ୟାନସର ଯେକୌଣସି ଷ୍ଟେଜର ମଧ୍ୟ ୯୦ ଭାଗ ରୋଗୀ ଅତି କମରେ ୫ ବର୍ଷ ବଞ୍ଚି ପାରୁଛନ୍ତି । କର୍କଟ ରୋଗର ଚିକିତ୍ସାରେ ମୁଖ୍ୟତ ଶଲ୍ୟ ଚିକିତ୍ସା, ରେଡିଏସନ ଚିକିତ୍ସା ଓ କେମୋଥେରାପି ଅନ୍ତର୍ଭୁକ୍ତ ।

ଶଲ୍ୟ ଚିକିତ୍ସା ଦ୍ୱାରା ଆମେ ସାଙ୍ଗେସାଙ୍ଗେ ଟ୍ୟୁମର କବଳରୁ ରକ୍ଷା ପାଇଯାଉ। ଶଲ୍ୟ ଚିକିତ୍ସାର ମୂଳ ଲକ୍ଷ ହେଉଛି କିପରି ସେହି ସ୍ଥାନରେ କର୍କଟ ରୋଗ ନିୟନ୍ତ୍ରଣ ଓ ଟ୍ୟୁମରକୁ ସେହି ସ୍ଥାନରେ ଆଉ ଥରେ ହେବାରୁ ରକ୍ଷା କରିବା। ବର୍ତ୍ତମାନ ଯୁଗରେ ବ୍ରେଷ୍ଟ କ୍ୟାନସର ରୋଗୀ ଅଧିକ ଦିନ ବଞ୍ଚି ରହିବା ସହିତ କିପରି ମହିଳା ମାନେ ବ୍ରେଷ୍ଟ ସଂରକ୍ଷଣ କରି ସାମାନ୍ୟ ଜୀବନଯାପନ କରିବେ ତାହା ଉପରେ ଗୁରୁତ୍ୱାରୋପ କରାଯାଉଛି ।

ବ୍ରେଷ୍ଟ ସଂରକ୍ଷଣ ଚିକିତ୍ସାରେ ମୁଖ୍ୟତ ଟ୍ୟୁମରକୁ ବାହାର କରାଯାଏ । ଏହି ସ୍ଥଳରେ ଅନ୍ୟ ଏକ ଚିକିତ୍ସା ହେଉଛି ପ୍ରଭାବିତ ହୋଇଥିବା ବ୍ରେଷ୍ଟକୁ ସମ୍ପୁର୍ଣ୍ଣ ରୂପେ ଅସ୍ତ୍ରୋପଚାର ଦ୍ୱାରା ବାହାର କରିବାରୁ ପଡ଼େ। ସମ୍ପୁର୍ଣ୍ଣ ବ୍ରେଷ୍ଟକୁ ବାହାର କରିବା ଦ୍ୱାରା ମହିଳାମାନେ ମାନସିକ ଆଘାତ ପାଇଥାଆନ୍ତି। ସେଥିପାଇଁ ରିକନଷ୍ଟ୍ରକ୍ସନ ଥେରାପି ସବୁଠାରୁ ଭଲ। ଏହାଦ୍ୱାରା ସ୍ୱାସ୍ଥ୍ୟ ଉପରେ କୌଣସି କୁପ୍ରଭାବ ପଡ଼ି ନଥାଏ। କିନ୍ତୁ ବିଭିନ୍ନ ଟ୍ରାଏଲରୁ ଜଣାପଡ଼ିଛି ଉଭୟ ରିକନଷ୍ଟ୍ରକ୍ସନ ଓ ସମ୍ପୁର୍ଣ୍ଣ ଅସ୍ତ୍ରୋପଚାର ଚିକିତ୍ସାରେ ରୋଗୀ ସମାନ ସମୟ ବଞ୍ଚି ରହିଥାନ୍ତି । କିନ୍ତୁ ମନେ ରଖିବା ଉଚିତ ଯେ ରିକନଷ୍ଟ୍ରକ୍ସନ ଚିକିତ୍ସା କେବଳ ତାଲିମ ପ୍ରାପ୍ତ ଦକ୍ଷ କର୍କଟ ରୋଗ ଶଲ୍ୟ ଚିକିତ୍ସକଙ୍କ ଦ୍ୱାରା କରାଇବା ଉଚିତ । ନହେଲେ ରୋଗୀଙ୍କ ଜୀବନ ପ୍ରତି ବିପଦ ଥାଏ ।

ଅନେକ ପାଶ୍ଚାତ୍ୟ ଦେଶରେ ଯେହେତୁ ବ୍ରେଷ୍ଟ କ୍ୟାନ୍ସର ଶିଘ୍ର ନିରୁପଣ ହୋଇ ପାରୁଛି ସେହି ଦେଶମାନଙ୍କରେ ୮୦ ରୁ ୯୦ ଭାଗ ରିକନଷ୍ଟ୍ରକ୍ସନ ଚିକିତ୍ସା ହୋଇପାରୁଛି । ଏବେ ସୁଦ୍ଧା ଆଧୁନିକ ଚିକିତ୍ସା ଦ୍ୱାରା ବ୍ରେଷ୍ଟ କ୍ୟାନ୍ସର ରୋଗୀମାନେ ଅନ୍ୟ ସାଧାରଣ ଲୋକଙ୍କ ଭଳି ଜୀବନଯାପନ କରିପାରୁଛନ୍ତି। ଏହି ରୋଗରୁ ଭଲ ହେବା ପାଇଁ ଲାଜ ଓ ଡର ଛାଡ଼ି ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ । ମହିଳାମାନଙ୍କ ମଧ୍ୟରେ ଏଥିପାଇଁ ସଚେତନତା ସୃଷ୍ଟିହେଲେ ବ୍ରେଷ୍ଟ କ୍ୟାନ୍ସର ରୋଗୀଙ୍କ ସଂଖା କମିପାରିବ।

Show More

Related Articles

Back to top button