ଦେଶଦେଶ ବିଦେଶସ୍ୱତନ୍ତ୍ର

ରୁଷ୍‌ର ଆକ୍ରମଣ ଫଳରେ ୟୁକ୍ରେନ୍‌ ଛାରଖାର୍

ୟୁକ୍ରେନ୍‌ର ଅନେକ ସହରରେ ବିଦ୍ୟୁତ୍ ଏବଂ ଗ୍ୟାସ୍ ଯୋଗାଣ ବନ୍ଦ୍

ମସ୍କୋ : ରୁଷ୍‌-ୟୁକ୍ରେନ୍‌ର ଘମାଘୋଟ ଯୁଦ୍ଧକୁ  ୧୧ ଦିନ ପୁରିଲାଣି । ଏହାରି ମଧ୍ୟରେ ରବିବାର ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି। ଯୁଦ୍ଧ ବନ୍ଦ ପାଇଁ ପଶ୍ଚିମ ରାଷ୍ଟ୍ରମାନେ ବିଭିନ୍ନ କଟକଣା କରୁଥିବାବେଳେ ଏହାକୁ  ଖାତିର୍‌ ନକରି ପୁଟିନ କହିଛନ୍ତି ଯେ ରୁଷ୍ ନିଜର ସୁରକ୍ଷା ସଂକ୍ରାନ୍ତରେ ୟୁକ୍ରେନ୍‌ ଆଗରେ ଯେଉଁ ସବୁ ସର୍ତ୍ତ ରଖିଛି ତାହାକୁ ୟୁକ୍ରେନ୍‌ ମାନିବାକୁ ହେବ। ନଚେତ୍ ଏହି ଯୁଦ୍ଧ କଦାପି ବନ୍ଦ ହେବନାହିଁ ଏବଂ ଆମେ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେବୁ ବୋଲି ସିଧା ସିଧା ଶୁଣାଇ ଦେଇଛନ୍ତି  ପୁଟିନ । ଏହାକୁ କେହି ଅଟକ‌ାଇପାରିବେ ନାହିଁ। ନାଟୋ ରାଷ୍ଟ୍ରମାନଙ୍କ ସହିତ ସଲାସୁତରାରେ ୟୁକ୍ରେନ୍‌ ଯେଉଁ ଚାଲ୍‌ ଖେଳୁଛି ତାହା ସଫଳ ହେବନାହିଁ। ଆବଶ୍ୟକ ହେଲେ ଆମେ ୟୁକ୍ରେନ୍‌ର ରାଷ୍ଟ୍ରମାନ୍ୟତାକୁ ଲୋପ କରିଦେବୁ ବୋଲି ପୁଟିନ ଧମକ ଦେଇଛନ୍ତି। ଯଦି ୟୁକ୍ରେନ୍‌ କର୍ତ୍ତୃପକ୍ଷଙ୍କ ବର୍ତ୍ତମାନର ନୀତି ଜାରି ରହେ ତା’ହେଲେ ଏହି ରାଷ୍ଟ୍ର ଆଉ ରାଷ୍ଟ୍ର ହୋଇ ରହିବ ନାହିଁ। ୟୁକ୍ରେନ୍‌କୁ ସଂପୂର୍ଣ୍ଣ ଦଖଲ କରିବା ପରେ ଏହାକୁ ରୁଷ୍‌ରେ ପୁଣି ମିଶାଇ ଦିଆଯିବ ବୋଲି ପୁଟିନ ପରୋକ୍ଷରେ ଚେତାଇ ଦେଇଥିବାରୁ ଏହାକୁ ନେଇ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ହଇଚଇ ସୃଷ୍ଟି ହୋଇଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ ଏବଂ ତୁର୍କୀ ରାଷ୍ଟ୍ରପତି ରିସିପ ତାଇପ୍‌ ଏର୍ଡୋଗାନଙ୍କ ସହ ଆଲୋଚନା ବେଳେ ମଧ୍ୟ ପୁଟିନ ୟୁକ୍ରେନ୍‌କୁ ନେଇ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଯୁଦ୍ଧ ବନ୍ଦ କରିବା ପାଇଁ ରୁଷ୍‌ର ସର୍ତ୍ତ ମାନିବାକୁ ୟୁକ୍ରେନ୍‌ ବାଧ୍ୟ ବୋଲି ପୁଟିନ କହିଛନ୍ତି। ପୂର୍ବ ଯୋଜନା ଅନୁଯାୟୀ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ ୟୁକ୍ରେନ ମଧ୍ୟ ଲଢ଼େଇ କରିବା ବନ୍ଦ କରୁ।

ଗତ ୧୧ ଦିନର ଯୁଦ୍ଧରେ ୟୁକ୍ରେନ୍‌ର ବ୍ୟାପକ କ୍ଷୟକ୍ଷତି ହୋଇଛି। ୧୫ ଲକ୍ଷରୁ ଅଧିକ ଲୋକ ଦେଶଛାଡ଼ି ପଳାଇବା ସହିତ ଖାରକିଭ୍‌ ସମେତ ଅନେକ ପ୍ରମୁଖ ସହର ଛାରଖାର ହୋଇଯାଇଛି । ରୁଷ୍‌ ସେନା ଆଜି ୟୁକ୍ରେନ୍‌ର ବିନିତ୍‌ସିଆ ସହରକୁ ଦଖଲକୁ ନେଇଛି ଏବଂ ଏହାର ମୁଖ୍ୟ ବିମାନ ବନ୍ଦରକୁ ନଷ୍ଟ କରିଦେଇଛି। ରାଜଧାନୀ କିବ୍‌କୁ ବାଦଦେଇ ଅଧିକାଂଶ ସହରରେ ବିଦ୍ୟୁତ ଓ ଗ୍ୟାସ ଯୋଗାଣ ବନ୍ଦ ହୋଇଯାଇଥିବାରୁ ନାହିଁ ନଥିବା ସଙ୍କଟ ଆସିଛି । ତୁହାକୁ ତୁହା କ୍ଷେପଣାସ୍ତ୍ର ମାଡ଼ କରି ବିଭିନ୍ନ ସହରରେ ଥିବା ସେନା ପ୍ରତିଷ୍ଠାନ ଏବଂ ବିମାନ ବନ୍ଦରକୁ ନଷ୍ଟ କରାଯାଉଛି। ରୁଷ୍‌ ଆକ୍ରମଣରେ ୟୁକ୍ରେନ୍‌ ସେନାର ପ୍ରାୟ ସବୁ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ ନଷ୍ଟ ହୋଇସାରିଛି ଏବଂ ଏହା ୬୦ରୁ ଅଧିକ ଯୁଦ୍ଧ ବିମାନ ହରାଇଛି। ୟୁକ୍ରେନ୍‌ ନୌସେନାକୁ ମଧ୍ୟ ନିଷ୍କ୍ରିୟ କରିଦିଆଯାଇଛି। ଅନ୍ୟପକ୍ଷରେ ୟୁକ୍ରେନ୍‌ ଦାବି କରିଛି ରୁଷ୍‌ ସେନା ୧୧ ହଜାର ସୈନିକ ନହିତ ହୋଇଛନ୍ତି ଏବଂ ୨୬୯ଟି ଟ୍ୟାଙ୍କ ଧ୍ବସ୍ତ କରାଯାଇଛି। ରୁଷ୍‌ର ୯୪୫ଟି ଯୁଦ୍ଧ ବାହନ ମଧ୍ୟ ନଷ୍ଟ କରିଥିବା ୟୁକ୍ରେନ୍‌ ଦାବି କରିଛି। ଜାତିସଂଘ ପକ୍ଷରୁ କୁହାଯାଇଛି ଯେ ଯୁଦ୍ଧରେ ଏପର୍ଯ୍ୟନ୍ତ ୩୬୪ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଲେଣି ଏବଂ ପ୍ରାୟ ୮୦୦ ଆହତ ହୋଇଛନ୍ତି

Show More

Related Articles

Back to top button