Breaking PLUSଓଡ଼ିଶାମୁଖ୍ୟ ଖବର

ଆସିଲା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ବାଣ ଫୁଟାଇବାକୁ ମିଳିଲା ଅନୁମତି

ଆସିଲା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଏବର୍ଷ ଦୀପାବଳିରେ ବାଣ ଫୁଟାଇ ପାରିବେ ରାଜ୍ୟବାସୀ । ଏନେଇ ମିଳିଲା ହାଇକୋର୍ଟଙ୍କ ଅନୁମତି । ତେବେ ସବୁଜ ବାଣ ଫୁଟାଇବା ସହ କେବଳ ୨ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଆଜି ହାଇକୋର୍ଟ ଅନୁମତି ଦେଇଛନ୍ତି । ଆସନ୍ତା ଗୁରୁବାର ହେଉଛି ଆଲୋକର ପର୍ବ ଦୀପାବଳି । ବାଣ ବିନା କିନ୍ତୁ ଫିକା ଲାଗେ ଦୀୱାଲି । ତେଣୁ ଚଳିତ ଦୀପାବଳିରେ ବାଣ ସମ୍ପୂର୍ଣ୍ଣ ବନ୍ଦ ହେବ କି ନା ତାକୁ ନେଇ ସମସ୍ତେ ଉତ୍କଣ୍ଠାର ସହ ଅନେଇ ବସିଥିଲେ ।

ତେବେ ଏହି ପ୍ରତୀକ୍ଷାର ମିଠା ଫଳ ମିଳିଛି । ଏଥର ଦୀପାବଳିରେ ବାଣ ଫୁଟିବ । କିନ୍ତୁ କେବଳ ଗ୍ରୀନ କ୍ରାକର ହିଁ ଫୁଟିବ । ପିଇଏସଓ(ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ ସେଫ୍ଟି ଅର୍ଗାନାଇଜେସନ) ଅନୁମତି ପ୍ରାପ୍ତ କ୍ରାକର ଫୁଟାଇବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି । ଅନ୍ୟପକ୍ଷରେ କେବଳ ଦୀପାପଳି ଦିନ ୨ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି । ଦୀପାବଳିରେ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି ।

କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ । ତେବେ ସବୁଜ ବାଣ ବିକ୍ରିକୁ ଅନୁମତି ଦେବା ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବାଣ ବ୍ୟବସାୟୀ ସଂଘ । ହାଇକୋର୍ଟ ଗତ ଶୁକ୍ରବାର ଆବେଦନର ଶୁଣାଣି କରି ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ଜଣାଇବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବାଣଫୁଟାକୁ ନେଇ ଏନ୍‌ଜିଟି ଗାଇଡଲାଇନ୍ସ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଏବଂ କୋଭିଡ୍ ପ୍ରୋଟୋକଲ ତଥା ସଂକ୍ରମଣ ସ୍ଥିତିକୁ ନଜରରେ ରଖି ଏସଆରସି ବିଭିନ୍ନ ପକ୍ଷ ସହ ଆଲୋଚନା କରିଛନ୍ତି ।

Show More

Related Articles

Back to top button