ଆଇପିଏଲ ୨୦୨୧ ପୂର୍ବରୁ ଟିମ୍ ଇଣ୍ଡିଆର ୮ଜଣ ଖେଳାଳୀଙ୍କୁ ଦିଆଗଲା ବିଶ୍ରାମ
ଇଣ୍ଡିଆନ୍ ପ୍ରମିୟର ଲିଗ୍ (IPL)ର ୨୦୨୧ ସଂସ୍କରଣ ଆସନ୍ତା ଏପ୍ରିଲ ମାସର ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ହେବାନେଇ ଜୋରଦାର ପ୍ରସ୍ତୁତି ଜାରି ରଖିଛି ବିସିସିଆଇ । କିନ୍ତୁ ବର୍ତ୍ତମାନ ସୁଦ୍ଧା ନିର୍ଦ୍ଧିଷ୍ଟ ଭାବେ ତାରିଖ ଘୋଷଣା ହୋଇନାହିଁ । କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଭାରତ ତାର ଟପ୍ ୧୦ ଖେଳାଳୀମାନଙ୍କ ମଧ୍ୟରୁ ୮ଜଣଙ୍କୁ ବିଶ୍ରାମ ଦେଇଛି
ଯେଉଁମାନେକି ୨୦୨୦ ଆଇପିଏଲ ପରେ ବାୟୋ ବବଲ୍ରେ ରହୁଛନ୍ତି ।ସୂଚନାଯୋଗ୍ୟ, କରୋନା ମହାମାରୀ କାରଣରୁ ୨୦୨୦ରେ ହେବାକୁ ଥିବା ଆଇପିଏଲ, ବିଳମ୍ବରେ ଅର୍ଥାତ ଡିସେମ୍ବର ୧୯ରୁ ୟୁଏଇରେ ଖେଳାଯାଇଥିଲା । ତେବେ ଇଂଲଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଓ୍ବାଶିଂଟନ୍ ସୁନ୍ଦର ଏବଂ ଋଷଭ ପନ୍ତଙ୍କୁ ଛାଡି ଅନ୍ୟ ୮ ଜଣ ଖେଳାଳୀଙ୍କୁ ଆଇପିଏଲ ଆରମ୍ଭ ପୂର୍ବରୁ ବିଶ୍ରାମ ମିଳିବ । ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତର ଷ୍ଟାର ବୋଲର ଯଶପ୍ରୀତ ବୁମରାହ ଇଂଲଣ୍ଡ ବିପକ୍ଷ ୪ ର୍ଥ ଟେଷ୍ଟରୁ ବାଦ ପଡିଛନ୍ତି ।
ରୋହିତ ଶର୍ମାଙ୍କୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରୁ ଆରାମ ଦିଆଯାଇପାରେ । ସୂତ୍ରାନୁସାରେ ଓ୍ବାଶିଂଟନ୍ ସୁନ୍ଦର, ଋଷଭ ପନ୍ତ ଏବଂ ରୋହିତ ଶର୍ମାଙ୍କୁ ପୁଣେରେ ୨୩,୨୬ ଏବଂ ୨୮ ମାର୍ଚ୍ଚରେ ହେବାକୁ ଥିବା ଦିନିକିଆ ସିରିଜ୍ରେ ମଧ୍ୟ ଆରାମ ଦିଆଯାଇପାରେ । ଜୁନ୍ ମାସରେ ଭାରତ ବିଶ୍ବ ଟେଷ୍ଟ୍ ଚାମ୍ପିୟନ୍ସିପ୍ ଫାଇନାଲ ମ୍ୟାଚ୍ ଖେଳିପାରେ । ଏହା ପରେ ଟି-ଟ୍ବେଣ୍ଟି ବିଶ୍ବକପ୍ ଆରମ୍ଭ ହୋଇଯିବ । ତେଣୁ ଖେଳାଳୀମାନଙ୍କୁ ଉପଯୁକ୍ତ ବିଶ୍ରାମ ମଧ୍ୟ ଦରକାର ।