Breaking PLUSକଳା ସଂସ୍କୃତି ଓ ସାହିତ୍ୟଭକ୍ତିମୁଖ୍ୟ ଖବର

ବନ୍ଦ ରହିଛି ଲିଙ୍ଗରାଜଙ୍କ ନୀତିକାନ୍ତି, ଉପାସ ରହିଛନ୍ତି ପ୍ରଭୁ

ଗତକାଲି ଭଳି ଆଜି ମଧ୍ୟ ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ରାରୋପଣ ବା ପଇତା ଲାଗି ନୀତିର ୨୦୨୦ ମସିହାରୁ ଲାଗି ରହିଛି। ଆଉ ଯାହାର ସମାଧାନ ଆଜି ଯାଏଁ ହୋଇପାରୁନାହିଁ। ଫଳରେ ଗତ ତିନି ବର୍ଷ ହେବ ମନ୍ଦିରରେ ପବିତ୍ରାରୋପଣ ନୀତି ସମ୍ଭବ ହେଉନାହିଁ। ଚଳିତ ବର୍ଷ ମଧ୍ୟ ଏହି କାରଣରୁ ଗତକାଲି ସଂଧ୍ୟାରୁ ପ୍ରଭୁଙ୍କ ନୀତିକୁ ବନ୍ଦ କରି ଦିଆଯାଇଛି। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ୨୦୨୦ ମସିହା ପୂର୍ବରୁ ପବିତ୍ରାରୋପଣରେ ପ୍ରଥମେ ପୂଜାପଣ୍ଡା ନିଯୋଗ ପକ୍ଷରୁ ୩ପଟ ପଇତା ଲାଗି କରାଯାଏ। ଏହା ପରେ ବଡୁ ନିଯୋଗ ପକ୍ଷରୁ ଠାକୁରଙ୍କୁ ୨୪ପଟ ପଇତା ଲାଗି ହୁଏ। ତାପରେ ବଲ୍ଲଭ ନୀତି ପୂଜା କରାଯାଏ। ଶେଷ ଥର ପାଇଁ ୨୦୨୦ ମସିହାରେ ବଡୁ ନିଯୋଗ ପକ୍ଷରୁ ସବୁ ପଇତା ଲାଗି କରାଯାଇଥିଲା। ଏହାକୁ ନେଇ ପୂଜାପଣ୍ଡା ନିଯୋଗ ପୂଜାରେ ଅସହଯୋଗ କରିଥିଲେ। ଏହା ପରମ୍ପରା ବିରୋଧୀ କହି ପୂଜାପଣ୍ଡା ନିଯୋଗ ଅସନ୍ତୋଷ ପ୍ରକାଶ କରିବା ସହ ୩ପଟ ଲାଗି କରିବା ପରେ ବଡ଼ୁ ନିଯୋଗ ଅନ୍ୟ ୨୪ପଟ ପଇତା ଲାଗି କରିବା ନିୟମ ରହିଥିବା କଥା କହିଥିଲେ। କିନ୍ତୁ  ଏହି ପରମ୍ପରା ଭଙ୍ଗ ଯୋଗୁଁ ପୂଜାପଣ୍ଡା ନିଯୋଗ ନୀତି ଆଗକୁ ବଢ଼ାଇନଥିଲେ। ଏହାପରେ ମନ୍ଦିର ପ୍ରଶାସନ ଉଭୟଙ୍କୁ ବୁଝା ସୁଝା କରି ମଧ୍ୟ ବିଫଳ ହୋଇଥିଲେ।  ମନ୍ଦିର ପ୍ରଶାସନ ପକ୍ଷରୁ ଦେବୋତ୍ତର ବିଭାଗକୁ ଜଣାଇବା ସହ ଶୃଙ୍କଳିତ ନୀତି ପାଇଁ କମିସନରଙ୍କ କୋର୍ଟରେ ମାମଲା ଦାୟର କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଶୁଣାଣି ହେଲା ନାହିଁ। ଫଳରେ ଲଗାତାର ତିନି ବର୍ଷ ଧରି ଏଭଳି ବିଭ୍ରାଟ ସୃଷ୍ଟି ହେବାରେ ଲାଗିଛି। ମନ୍ଦିର ପ୍ରଶାସନର ଅବହେଳା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ସେବାୟତମାନେ କହିଛନ୍ତି।

ତେବେ ଗତକାଲି ସଂଧ୍ୟା ଧୂପ ପରେ ଠାକୁରଙ୍କ ସମସ୍ତ ନୀତି ବନ୍ଦ କରାଯାଇଛି। ଆଜି ମଧ୍ୟ ଏହି ବିବାଦର ସମାଧାନ ହୋଇନଥିବା କାରଣରୁ ପୂର୍ବ ବର୍ଷ ଭଳି ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିଛି। ଠାକୁରଙ୍କ ଅନ୍ନ ଭୋଗ ହେବ ମଧ୍ୟ ହୋଇନାହିଁ ଫଳରେ ପ୍ରଭୁ ଉପାସ ରହିଛନ୍ତି। ଶୁଣାଯାଉଛି ବୁଧବାର ଯାଇ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତି ସ୍ୱାଭାବିକ ହେବ। ସେପଟେ ବଡ଼ୁ ନିଯୋଗର ସମ୍ପାଦକ କମଳାକାନ୍ତ ବଡ଼ୁ କୋର୍ଟରେ ମାମଲା ଥିବାରୁ କୌଣସି ପ୍ରତିକ୍ରିୟା ଦେଇ ପାରିବୁ ନାହିଁ ବୋଲି କହିଛନ୍ତି।

ଅନ୍ୟପଟେ ବ୍ରହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି କ୍ଷୋଭର ସହ କହିଛନ୍ତି ପ୍ରତି ଚତୃଦର୍ଶୀରେ ବର୍ଷକୁ ୨୪ ଥର ମନ୍ଦିରକୁ ମହାଦୀପ ଉଠିଥାଏ। କିନ୍ତୁ ଏହି ବିବାଦ ପାଇଁ  ୨୦୨୦ରୁ ବର୍ଷକୁ ୨୩ ଥର ମହାଦୀପ ଉଠୁଛି। ନିଯୋଗ ମଧ୍ୟରେ ଥିବା ବିବାଦ କୋର୍ଟରେ ରହିଛି। କିଭଳି ଏହା ସମାଧାନ ତୁରନ୍ତ ହେବ ଏଥିପ୍ରତି ମନ୍ଦିର ପ୍ରଶାସନ ଦୃଷ୍ଟି ଦେବା କଥା। କିନ୍ତୁ ତାହା ହେଉନାହିଁ। ଯହେତୁ ଟ୍ରଷ୍ଟ ବୋର୍ଡରେ ଅଭିଜ୍ଞ ଲୋକ ନାହାନ୍ତି ତେଣୁ ପ୍ରତିକ୍ଷେତ୍ରରେ ଏଭଳି ସମସ୍ୟା ଉପୁଜୁଛି। ତେବେ ୨୦୧୯ ପୂର୍ବରୁ ଯେଉଁ ଭଳି ନୀତି ଚାଲି ଆସୁଥିଲା ସେହି ଅନୁସାରେ ନୀତି କରିବାକୁ ସେ ଦାବି କରିଛନ୍ତି।

Show More

Related Articles

Back to top button