ଓଡ଼ିଶା

ଦୀପାବଳି ସମୟରେ କଞ୍ଚାମାଲ୍‌ ଦରବୃଦ୍ଧି ଚିନ୍ତାରେ କୁମ୍ଭାର ପରିବାର

ଆସନ୍ତା ୧୨ ତାରିଖରେ ଆଲୋକର ପର୍ବ ଦୀପାବଳି ଆସୁଛି। ଏହି ଅବସରରେ ନିଜ ଘରକୁ ରଙ୍ଗ ବେରଙ୍ଗର ଆଲୋକରେ ସଜାଇବାକୁ ସମସ୍ତେ ତତ୍ପର ହୋଇଥାନ୍ତି। କିନ୍ତୁ ଏବେ ବଜାରକୁ କବ୍‌ଜା କଲାଣି ରଙ୍ଗିନ୍‌ ଏଲ୍‌ଇଡି ଓ ମହମବତି।ତଥାପି ମାତ୍ର ଲୋକଙ୍କ ଭିତରେ ମାଟି ଦୀପର ମୋହ କମିନି। ତେଣୁ ସହର ସମେତ ଉପକଣ୍ଠ‌ରେ ଥିବା କୁମ୍ଭାର ପରିବାରମାନେ ଦୀପ ତିଆରିରେ ଲାଗିପଡ଼ିଛନ୍ତି। କିନ୍ତୁ ଦୀପ ନିର୍ମାଣ ପାଇଁ ଆବଶ୍ୟକ କଞ୍ଚାମାଲ୍‌ର ଦରବୃଦ୍ଧି କୁମ୍ଭାର ପରିବାରର ଚିନ୍ତା ବଢ଼ାଇଛି। ମାଟିର ଅଭାବ, କାଠ, କୋଇଲା, ଘସି ଭଳି ଜାଳେଣିର ମୂଲ୍ୟ ବୃଦ୍ଧି ସମସ୍ୟା ସୃଷ୍ଟି କରିଛି। ତେଣୁ ବୃତ୍ତିକୁ ବଜାୟ ରଖି ପର୍ବପର୍ବାଣୀରେ ଦୀପ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରି ଗୁଜୁରାଣ ମେଣ୍ଟାଇବା ପାଇଁ ଲାଗିପଡ଼ିଥିବା କୁମ୍ଭାର ପରିବାର ବିକ୍ରିଜନିତ ସମସ୍ୟାରେ ଚିନ୍ତାଗ୍ରସ୍ତ। ଲୋକେ ମାଟି ଦୀପ ନ କିଣିଲେ, ସେମାନଙ୍କ ଗୁଜୁରାଣ ଅକଳରେ ପଡ଼ିବ।ତଥାପି ‌କୁମ୍ଭାରମାନେ ମାଟି ଦୀପ ତିଆରିରେ ସପରିବାର ଲାଗିପଡ଼ିଛନ୍ତି। ସେମାନେ ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ନୂଆ ନୂଆ ଆକୃତିର ଦୀପ ତିଆରି କରୁଛନ୍ତି। ଶଙ୍ଖାକୃତି, ପାନପତ୍ରାକୃତି, ଚତୁର୍ମୁଖୀ, ପଞ୍ଚମୁଖୀଠାରୁ ଆରମ୍ଭ କରି ସପ୍ତମୁଖୀ ପର୍ଯ୍ୟନ୍ତ ବିଭିନ୍ନ ରଙ୍ଗ ବେରଙ୍ଗର ଦୀପ ତିଆରି କରାଯାଉଛି। ଗତ କିଛି ବର୍ଷ ହେଲା ବଜାରରେ ଉପଲବ୍‌ଧ ହେଉଛି ରଙ୍ଗ ବେରଙ୍ଗର ଚାଇନା ଲାଇଟ୍‌ ମାଳ। ପୁଣି ରାଜ୍ୟ ବାହାରୁ ଆସୁଥିବା ଦୀପର ବିକ୍ରି ମଧ୍ୟ ବଢ଼ୁଛି। କହିବାକୁ ଗଲେ, ସମ୍ପ୍ରତି ସ୍ଥାନୀୟ ତିଆରି ମାଟି ଦୀପ ପ୍ରତି ରାଜଧାନୀର ନୂଆ ନୂଆ ବାସିନ୍ଦା ବା ଗ୍ରାହକଙ୍କ ମନ କମିଛି। କିନ୍ତୁ ଏହି ପରମ୍ପରା ହଜିନାହିଁ। ତେଣୁ ବହୁ କୁମ୍ଭାର ପରିବାର ନିଜର କୌଳିକ ବୃତ୍ତି ଛାଡ଼ିବାକୁ ବସିଥିଲେ ବି ଅନେକ ଏହି ବୃତ୍ତିରେ ଅଛନ୍ତି। ସ୍ଥାନୀୟ ଦୀପ ପ୍ରସ୍ତୁତକାରୀ କହିଛନ୍ତି ଏହା ଆମର ‌କୌଳିକ ବୃତ୍ତି। ଦିନକୁ ଦିନ ଦୀପ ତିଆରି ଖର୍ଚ୍ଚ ବଢ଼ୁଛି, ବିକ୍ରି କମୁଛି। ବିକ୍ରି ବଢ଼ିଲେ, ବାଧନ୍ତା ନାହିଁ। ବଜାରକୁ ବାହାର ରାଜ୍ୟରୁ ଆସୁଥିବା ଦୀପକୁ ଲୋକେ ଚଢ଼ା ଦରରେ କିଣୁଛନ୍ତି, କିନ୍ତୁ ଆମଠାରୁ ହାତ ତିଆରି ଦୀପ ନେଉନାହାନ୍ତି। ଆଉ ଏବେ ମାଟିର ଦାମ୍‌ ବହୁତ ବଢ଼ିଗଲାଣି। ଏମିତିକି ମାଟି ପାଇଁ ଅନେକ ଦୂର ବୁଲିବାକୁ ମଧ୍ୟ ପଡ଼ୁଛି। ସେହିଭଳି‌ କଞ୍ଚା ଦୀପକୁ ପୋଡ଼ିବା ପାଇଁ ଜାଳେଣି କାଠ ଦର ମଧ୍ୟ ବଢ଼ିଛି। ଦୀପ ତିଆରି କରି ବିକିଲେ ମଧ୍ୟ ପାରିଶ୍ରମିକ ମିଳିପାରୁ ନଥିବାରୁ ଏହି ବୃତ୍ତି ଛାଡ଼ି ଦେଇଛୁ।

Show More

Related Articles

Back to top button