ଖେଳ

ଚଳିତ ବିଶ୍ୱକପରେ ଭାରତର ଅପରାଜେୟ ଧାରାରେ ବ୍ରେକ ଲଗେଇଲା କଙ୍ଗାରୁ ଦଳ

ଶୂନଶାନ ହେଲା ପୂରା ଭାରତ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ଠାରୁ ଆରମ୍ଭ କରି ଓଡ଼ିଶାର ବାଲେଶ୍ୱର ଯାଏ ସବୁଠି ହତାଶର ଚିହ୍ନ। କାରଣ ଅଧା ରହିଗଲା ଭାରତର ବିଶ୍ୱକପ ଜିତିବା ସ୍ୱପ୍ନ। ଅନେକ ଆଶା ଓ ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆଜି ରୋହିତ ଶର୍ମା ଆଣ୍ତ କୋ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ଓହ୍ଲାଇଥିଲା। ଭାରତ ମାଟିରେ ବିଶ୍ୱ ବିଜେତା ହୋଇ ନୂଆ ଇତିହାସ ରଚିବା ଲକ୍ଷ୍ୟରେ ଥିଲା ଦଳ।  କିନ୍ତୁ ଟ୍ରାଭିସ ହେଡ୍‌ ଭାରତର ସବୁ ସ୍ୱପ୍ନକୁ ଭାଙ୍ଗି ଚୂରମାର କରି ଦେଇଛନ୍ତି। ବିଶ୍ୱକପର ଫାଇନାଲରେ ସେ ଚମତ୍କାର ଶତକ ହାସଲ କରି ଅଷ୍ଟ୍ରେଲିଆକୁ ୬ଷ୍ଠ ଥର ପାଇଁ ବିଶ୍ୱ ବିଜେତା କରିଛନ୍ତି। ଆଜି ହେଡ୍‌ ୧୨୦ ବଲରେ ୧୩୭ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୧୫ଟି ଚୌକା ଓ ୪ଟି ଛକା ମାରିଛନ୍ତି। ଲାବୁଶେନ ଶେଷ ଯାଏ ୧୧୦ ବଲରେ ୫୮ ରନ କରି ଅପରାଜିତ ରହିଥିଲେ।  ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ପ୍ରଥମଥର ପାଇଁ ବିଶ୍ୱକପ ଖେଳିବା ସହ ଫାଇନାଲରେ ପ୍ରବେଶ କରିଥିଲା ଭାରତ। କିନ୍ତୁ ଫାଇନାଲରେ ଦଳକୁ ହାରିବାକୁ ପଡ଼ିଛି। ଏଥିସହ ଚଳିତ ବିଶ୍ୱକପରେ ଭାରତର ଅପରାଜେୟ ଧାରାରେ ବ୍ରେକ ଲାଗିଛି। ଦୀର୍ଘ ୧୨ ବର୍ଷ ପରେ ବିଶ୍ୱକପର ଅତି ନିକଟକୁ ଆସି ଭାରତ ନିରାଶ ହୋଇଛି। ୨୦୧୧ରେ ଭାରତ ନିଜ ମାଟିରେ ବିଶ୍ୱକପ ଜିତିଥିଲା। ଏବେ ପୁଣି ଭାରତରେ ଭାରତ ଫାଇନାଲରେ ପ୍ରବେଶ କରିଥିଲା। ଲାଗୁଥିଲା ୨୦୦୩ରେ ଅଷ୍ଟ୍ରେଲିଆ ଠାରୁ ଫାଇନାଲ ପରାଜୟର ପ୍ରତିଶୋଧ ନେବ ଭାରତ। କିନ୍ତୁ ପ୍ରଥମେ ଅଷ୍ଟ୍ରେଲିଆ ଘାତକ ବୋଲିଂ କରି ଭାରତକୁ ୨୪୦ ରନରେ ଅଲଆଉଟ କରିଦେଇଥିଲା। ଏହାପରେ ବ୍ୟାଟିଂରେ ହେଡ୍‌ କମାଲ କରି ଭାରତକୁ ପରାସ୍ତ କରିଛନ୍ତି। ତେବେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ୬ ୱିକେଟରେ ପରାସ୍ତ ହୋଇଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ଗ୍ରୁପ ପର୍ଯ୍ୟାୟରେ ଭାରତ ଠାରୁ ପରାଜୟର ମଧୁର ପ୍ରତିଶୋଧ ନେଇଛି। ୨୦୧୫ ବିଶ୍ୱକପ ସେମି ଫାଇନାଲରେ ଭାରତକୁ ଅଷ୍ଟ୍ରେଲିଆ ସେମି ଫାଇନାଲରୁ ବିଦା କରିଥିଲା। ଏବେ ୨୦୨୩ ବିଶ୍ୱକପରେ କଙ୍ଗାରୁ ଟିମ ଭାରତର ଶିକାର କରିଛି।

Show More

Related Articles

Back to top button