ମୁଖ୍ୟ ଖବର

କେବେ ଖୋଲିବ ମନ୍ଦିର ?

ଜୋର ଧରିଲା ଦାବି

ରାଜ୍ୟ ସରକାର ଦୋକାନ ବଜାର, ସ୍କୁଲ୍ କଲେଜ୍, ଜିମ୍, ପାର୍ଲର ସବୁ ଖୋଲି ସାରିଲେଣି । ହେଲେ ମନ୍ଦିର କାହିଁକି ଖୋଲାଯାଉନାହିଁ । ମନ୍ଦିର ଖୋଲିବାକୁ ଦାବି ଉଠାଇଲାଣି ଓଡ଼ିଶା ସେବାୟତ ସଂଘ । ମନ୍ଦିର ଉପରେ ନିର୍ଭର କରି ଚଳୁଥିବା ବ୍ୟକ୍ତି , ଶ୍ରଦ୍ଧାଳୁ, ଭକ୍ତ ମନ୍ଦିର ଖୋଲିବାକୁ ଦାବି ଉଠାଇଛନ୍ତି । ଆସନ୍ତା ୧ ତାରିଖରେ ସରକାର ଅନଲକ୍ ପ୍ରକ୍ରିୟା ନେଇ ଘୋଷଣା କରିବାକୁ ଥିବାରୁ ଧର୍ମାନୁଷ୍ଠାନ ଖୋଲିବାକୁ ଦାବି ଜୋର ଧରିଲାଣି।ଭୁବନେଶ୍ଵର ବାସିନ୍ଦା ଅଶୋକ କୁମାର ମହାପାତ୍ର । ଘାଟିକିଆ ଶିବ ମନ୍ଦିରର ମୂଖ୍ୟ ପୂଜକ । ବୟସ ୫୦ ଡେଇଁଲାଣି । ୟାଙ୍କ ବାପା ମଧ୍ୟ ଏଠାରେ ପୂଜା କରୁଥିଲେ, ଏବେ ସେ ପୂଜା କରୁଛନ୍ତି। ଦୁଇ ବର୍ଷ ହେଲା ମନ୍ଦିର ବନ୍ଦ ଅଛି । କିନ୍ତୁ ପୂଜା ଅଟକିନି । ସକାଳୁ ଆସି ଶିବଙ୍କୁ ଆରାଧନା କରିବା ସହ ପାର୍ଶ୍ଵ ଦେବଦେବୀଙ୍କ ପୂଜା ରୀତିନୀତିପେ କରିଆସୁଛନ୍ତି । ହେଲେ ଏବେ କୋଭିଡ ନିୟମ ପାଇଁ ଶ୍ରଦ୍ଧାଳୁ ମନ୍ଦିରକୁ ଆସୁନାହାନ୍ତି । ଶ୍ରଦ୍ଧାଳୁ ଆସୁଥିବା ବେଳେ ଦାନ ଦକ୍ଷିଣା ମିଳୁଥିଲା । ପରିବାର ଚଳୁଥିଲା । କିନ୍ତୁ ଏବେ ସବୁ ଠପ ହୋଇଯାଇଛି। ଅଶୋକଙ୍କ ପରିବାର ତାଙ୍କ ଉପରେ ନିର୍ଭର କରନ୍ତି ।ମନ୍ଦିର ବନ୍ଦ ଥିବାରୁ ପରିବାର ଚଳାଇବା କଷ୍ଟକର ହେଲାଣି । ପୂଜା ସରିଲେ ମନ୍ଦିର ତାଲା ମାରି ଘରକୁ ଯାଉଛନ୍ତି ଅଶୋକ । ରାଜ୍ୟ ସରକାର ଦୋକାନ ବଜାର, ବସ୍ ଚଳାଚଳ, ଅଫିସ ଆଦି ଖୋଲିବାକୁ ଅନୁମତି ଦେଇଥିବାରୁ ମନ୍ଦିର ଖୋଲିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି ଅଶୋକ। ସେହିଭଳି ମନ୍ଦିର ଖୋଲିବା ପାଇଁ ଓଡ଼ିଶା ସେବାୟତ ସଂଘ ପୁଣି ଦାବି ଉଠାଇଛି। ଏନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦିଆଯାଇଛି ।

ଯଦି ସରକାର ଦାବି ନ ମାନନ୍ତି ତେବେ ଆଗାମୀ ଦିନରେ ରାଜଧାନୀରେ ସେବାୟତ ସଙ୍ଘ ମିଳିତ ଭାବେ ସ୍ଵର ଉତ୍ତୋଳନ କରିବେ ବୋଲି ସଂଘ ଚେତାବନୀ ଦେଇଛି ।କେବଳ ମନ୍ଦିର ନୁହେଁ କୋଭିଡ଼ ଯୋଗୁଁ ସିନେମା ହଲ ବନ୍ଦ ଅଛି । ଜିମ୍‌ , ପାର୍ଲର ଖୋଲିବାକୁ ଅନୁମତି ମିଳିଥିବାରୁ ସିନେମା ହଲ୍‌ ଖୋଲିବାକୁ ଦାବି କରିଛନ୍ତି ସିନେମା ହଲ୍ ମାଲିକ । ଓଡ଼ିଶା ଅପେକ୍ଷା ଦିଲ୍ଲୀରେ କୋଭିଡ଼ ସ୍ଥିତି ସଂଙ୍ଗୀନ ଥିଲା । ଦିଲ୍ଲୀରେ କୋଭିଡ଼ ସ୍ଥିତିରେ ସୁଧାର ଆସିବା ପରେ ଦିଲ୍ଲୀ ସରକାର ସିନେମା ହଲ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ତେଣୁ ଓଡ଼ିଶାରେ ସିନେମା ହଲ ଖୋଲିବାକୁ ଦାବି ଉଠାଇଛନ୍ତି ହଲ୍‌ ମାଲିକ ଓ କର୍ମଚାରୀ ।ସେପଟେ ଓଡ଼ିଶାରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । କହିଛନ୍ତି ସଂକ୍ରମଣ ପୂରା କମିନଥିବାରୁ ଆଉ କିଛି ଦିନ କଟକଣା ରହିବା ଉଚିତ । ମାତ୍ର ଅଳ୍ପ କିଛି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ଉପରେ ରହିଛି । କୋଭିଡ ଗାଇଡ଼ ଲାଇନ୍ ଅନୁପାଳନ, ସଂକ୍ରମଣ ହାର, କେସ ଲୋଡ଼, ଦେଖିକି ଅନଲକ ନିଷ୍ପତ୍ତି ନିଆଯିବ । ସାମଗ୍ରୀକ ସ୍ଥିତି ସମୀକ୍ଷା ପରେ ନିଷ୍ପତ୍ତି ନିଆଯିବ । ସେହିପରି ୧୦ ରୁ ୧୫ ଦିନ ମଧ୍ୟରେ ବଳକା ମୃତ୍ୟୁ ସଂଖ୍ୟାର ଅଡ଼ିଟ ଶେଷ ହେବ । ଛୋଟ ପିଲାଙ୍କୁ ଟିକା ଦେବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଦଳୀୟ ବୈଠକରେ କହିଛନ୍ତି । ମାତ୍ର ସରକାରୀ ସ୍ତରରେ ଅନୁମୋଦନ ମିଳିନି । ଗାଇଡ ଲାଇନ ଆସିବା ପରେ ଟିକାକରଣ ନେଇ ରାଜ୍ୟ ସରକାର ପ୍ରସ୍ତୁତି ହେବେ ବୋଲି ସେ କହିଛନ୍ତି।ରାଜ୍ୟରେ ସଂକ୍ରମଣ କମିଛି ସତ ହେଲେ ସ୍ଥିତିରେ ବିରାଟ କିଛି ସୁଧାର ଆସିନାହିଁ । ଖୋର୍ଦ୍ଧା ଓ କଟକରେ ସଂକ୍ରମଣ ୩ ଅଙ୍କରେ ରହିଛି । ତେବେ ଅଗଷ୍ଟରୁ ଅକ୍ଟୋବର ଭିତରେ ତୃତୀୟ ଲହର ଆସିବାର ଅଛି। ଏଭଳି ସ୍ଥିତିରେ ସରକାର ଅନଲକ୍ ନେଇ ୧ ତାରିଖରେ କଣ ନିଷ୍ପତ୍ତି ନେଉଛନ୍ତି ତାକୁ ଅପେକ୍ଷା କରାଯାଇଛି।

Show More

Related Articles

Back to top button