ଦେଶ ବିଦେଶମୁଖ୍ୟ ଖବର

ଦେଶରେ କେବେ କମିବ କୋଭିଡର ତୃତୀୟ ଲହର?

ବିଶେଷଜ୍ଞଙ୍କ ଦାବି, ଫେବୃଆରୀ ମାସର ଏହି ତାରିଖରୁ ହ୍ରାସ ପାଇବ ସଂକ୍ରମଣ

ଦେଶରେ କରୋନା ସଂକ୍ରମଣର ତୃତୀୟ ଲହର ଏବେ ଭୟାନକ ରୂପ ନେଇଛି । ଓମିକ୍ରନ୍‌ ଭ୍ୟାରିଆଣ୍ଟକୁ ନେଇ ବିଭିନ୍ନ ପ୍ରକାର ଆକଳନ କରାଯାଉଥିବା ବେଳେ ଭାରତରେ ଏହାର ପିକ୍‌ କେବେ କମିବ ତାହା ବଡ ପ୍ରଶ୍ନ । ଏହାରି ମଧ୍ୟ ବିଶେଷଜ୍ଞ ମାନେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରଖିଛନ୍ତି । ଆସନ୍ତା ଫେବୃଆରୀ ୧୫ ତାରିଖରୁ ଦେଶରେ କରୋନାର ପ୍ରକୋପ ଧିରେ ଧିରେ କମିବ । ଟିକାକରଣ ବ୍ୟାପକ ହୋଇଥିବାରୁ ଓମିକ୍ରନର ପ୍ରଭାବ ମଧ୍ୟ ସେତେ ଭୟଙ୍କର ହେଉନାହିଁ । ପ୍ରଥମ ଏବଂ ଦ୍ବିତୀୟ ଲହର ତୁଳନାରେ ତୃତୀୟ ଲହରରେ କରୋନା ପ୍ରଭାବ ଖୁବ କମ ରହୁଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

କୋଭିଡର ଦ୍ବିତୀୟ ଲହର ସମୟରେ ଭାରତରେ ଯେଉଁଭଳି ଭୟାବହତା ଦେଖିବାକୁ ମିଳିଥିଲା ଏବେ ତାହା ଆଦୌ ଦେଖାଯାଉ ନାହିଁ । ବିଶେଷ କରି କରୋନାରେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ଶରୀରରେ ମାତ୍ର ୨/୩ ଦିନ ଲକ୍ଷଣ ଦେଖାଯାଉଛି । ଏପରିକି କୋଭିଡ୍ ଆକ୍ରାନ୍ତ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହେଉଥିବା ସଂଖ୍ୟା ମଧ୍ୟ ଖୁବ କମ୍ । ଦ୍ବିତୀୟ ଲହର ସମୟରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବ୍ୟାପକ ଭାବେ ବୃଦ୍ଧି ପାଇଥିଲା । କେବଳ ସେତିକି ନୁହେଁ ଅନେକ ମାତ୍ରାରେ ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ଦେଶର ଅନେକ ହସ୍ପିଟାଲରେ ଅକ୍ସିଜେନ୍‌ ଏବଂ ବେଡ୍‌ ଅଭାବ ଦେଖିବାକୁ ମିଳିଥିଲା । କେବଳ ଅକ୍ସିଜେନ୍ ଅଭାବରୁ ଅନେକ ଲୋକ ପ୍ରାଣ ହରାଇଥିଲେ ।

ଏବେ ତୃତୀୟ ଲହର ପିକ୍‌ରେ ଥିବାବେଳେ ଏହା କେବେ କମିବ ସେ ନେଇ ସସ୍‌ପେନ୍ସ ଲାଗି ରହିଛି । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଆସନ୍ତା ଫେବୃଆରୀ ୧୫ ତାରିଖ ପରଠାରୁ ଭାରତରେ ତୃତୀୟ ଲହର କମିବ । ଏହା ସହିତ ଓମିକ୍ରନ୍‌ ଭ୍ୟାରିଆଣ୍ଟ ମଧ୍ୟ ଧିରେ ଧିରେ କମ ହେବ । କିଛି ରାଜ୍ୟରେ ସଂକ୍ରମଣ ଅଧିକ ଥିବାରୁ ପିକ୍‌ ଧିରେ ଧିରେ ହ୍ରାସ ପାଇବ ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩ ଲକ୍ଷ ୬ ହଜାର ୬୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ଗତ ୪ ଦିନର କୋଭିଡ୍‌ ରିପୋର୍ଟ ତୁଳନାରେ ୮ ପ୍ରତିଶତ କମ୍ । ସେହିଭଳି ୨୪ ଘଣ୍ଟା ମଧ୍ୟରେ ୪୩୯ ଜଣଙ୍କର ମୃତ୍ୟୁ ଘଟିଛି ଯାହାକି ଗତ ୫ ଦିନର ରିପୋର୍ଟ ଅନୁସାରେ କମ୍ । ବର୍ତ୍ତମାନ କର୍ଣ୍ଣାଟକରେ ସର୍ବାଧିକ ୩ ଲକ୍ଷ ୫୭ ହଜାର ୮୨୬ ଆକ୍ଟିଭ୍ କେସ୍ ରହିଛି । ଟିକାକରଣ କଥା କହିବାକୁ ଗଲେ, ଦେଶରେ ସୋମବାର ସୁଦ୍ଧା ମୋଟ ୧୬୨ କୋଟିରୁ ଉର୍ଦ୍ଧ୍ବ ଡୋଜ୍‌ ଭ୍ୟାକସିନ୍‌ ଦିଆସରିଛି ।

Show More

Related Articles

Back to top button