ଓଡ଼ିଶା

ଲଗାଣ ବର୍ଷା ଓ ସମୁଦ୍ର ଜୁଆର କବଳରେ ଭିୟୁ ଟାୱାର

ଜଗତସିଂହପୁର ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ଶିଆଳି ବେଳାଭୂମିର ଭିୟୁ ଟାୱାର ପ୍ରତି ପୁଣିଥରେ ସୃଷ୍ଟି ହୋଇଛି ବିପଦ । ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ସମୁଦ୍ର ଜୁଆର ପାଇଁ ଭିୟୁ ଟାୱାର ଚାରି ପାଖରୁ ବାଲି ଓ ମାଟି ଅତଡ଼ା ଖସିବାକୁ ଆରମ୍ଭ କରିଛି । ଲଗାତାର ଜୁଆର ମାଡ଼ ଯୋଗୁଁ ଟାୱାରର ତଳ ଅଂଶ ବିଶେଷ କ୍ଷତିଗ୍ରସ୍ତ ହେଉଛି ତେଣୁ ଯେକୌଣସି ମୁହୂର୍ତରେ ଏହା ଭୁଶୁଡ଼ି ପଡ଼ିବାର ଆଶଙ୍କା ଦେଖା ଦେଇଛି ।

ଏହି ସମସ୍ୟା ଆଜିର ନୁହଁ । ପ୍ରତିବର୍ଷ ଏହି ସମସ୍ୟା ପ୍ରଶାସନକୁ ଅବଗତ କରାଯାଉଛି । କିନ୍ତୁ ତାହାକୁ ଅଣଦେଖା କରାଯାଉଥିବାରୁ ବର୍ତମାନ ତାହା ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଲାଣି । ଏପରିକି ସମୁଦ୍ର ଜୁଆରିଆ ଥିବାରୁ ଓ ଉଚ୍ଚା ଲହଡ଼ି ମାଡ଼ି ଆସୁଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ମଧ୍ୟ ଆତଙ୍କ ଦେଖାଦେଇଛି । କାରଣ ସମୁଦ୍ର ଜୁଆରରେ ଯଦି ଭିୟୁ ଟାୱାରକୁ କ୍ଷତି ପହଞ୍ଚିବ ତେବେ ନିକଟସ୍ଥ ଜନବସତି ଆଡ଼କୁ ସମୁଦ୍ର ଜୁଆର ମାଡ଼ିଯିବା ଆଶଙ୍କା ରହିଛି ।

ପ୍ରତ୍ୟେକ ବର୍ଷ ବର୍ଷା ଦିନ ଆସିଲେ ସମୁଦ୍ର ଜୁଆରରେ ବେଳାଭୂମି ଚାରି ପାଖର ମାଟିଗଦା କ୍ଷୟ ହୋଇଚାଲିଛି । ଏହାର ପାଖକୁ ଲାଗି ସମୁଦ୍ର ଜୁଆର ଅଟକାଇବାକୁ ଦୃଢ଼ ପଥର ବନ୍ଧ ବ୍ୟବସ୍ଥା କରାଯାଉ ନାହିଁ । ତେଣୁ ଏହି ପର୍ଯ୍ୟଟନସ୍ଥଳୀ ସମୁଦ୍ର ଗର୍ଭରେ ଲୀନ ହୋଇ ସତ୍ତା ହରାଇବ ଓ ପର୍ଯ୍ୟଟକମାନେ ଭିୟୁ ଟାୱାରର ମଜା ଉଠାଇବାରୁ ବଞ୍ଚିତ ହେବେ ।

ବ୍ଲକ ପ୍ରଶାସନ ପକ୍ଷରୁ ୧୦ ବର୍ଷ ପୂର୍ବେ ସମୁଦ୍ର କୂଳେ କୂଳେ ଭଲା ପୋତାଯାଇ ବାଲି ବସ୍ତାର ବନ୍ଧ କରାଯାଇଥିଲା ଏବଂ ଭିୟୁ ଟାୱାରକୁ ରକ୍ଷା କରିବା ପାଇଁ ଦୁର୍ବଳ ପଥର ବନ୍ଧ ନିର୍ମାଣ କରାଯାଇଥିଲା । ଏହି ଦୁର୍ବଳ ବନ୍ଧଟି ସମୁଦ୍ରରେ ଭାସିଯିବା ଆଶଙ୍କା ଥିବାରୁ ଏବେ ଭିୟୁ ଟାୱାରକୁ ବିପଦ ମାଡ଼ି ଆସିଛି। ଏ ସମ୍ପର୍କରେଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଭିୟୁ ଟାୱାର ପ୍ରତି ଦେଖା ଦେଇଥିବା ବିପଦ ପ୍ରତି ଜଳସଂପଦ ବିଭାଗ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରାଯାଇଛି । ସେମାନେ ତୁରନ୍ତ ସେଠାକୁ ଯାଇ ବାଲି ବସ୍ତା ପକାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସରପଞ୍ଚ କେଶବ ପାତ୍ର କହିଛନ୍ତି ଏହି ଟାୱାର ପ୍ରତି ଥିବା ବିପଦ ସମ୍ପର୍କରେ ଏକାଧିକବାର ପ୍ରଶାସନକୁ ଅବଗତ କରାଯାଇଥିଲେ ସୁଦ୍ଧା ସେଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି । ଆଗାମୀ ଦିନରେ ଦେବୀ ମୁହାଣ ଠାରୁ ଜଟାଧାରୀ ମୁହାଣ ପର୍ଯ୍ୟନ୍ତ ପଥର ବନ୍ଧ ନିର୍ମାଣ କରାନଗଲେ ଏଠାକାର ସମୁଦ୍ର ଉପକୂଳ ଗାଁଗୁଡ଼ିକ ସମୁଦ୍ର ଗର୍ଭରେ ଲୀନ ହୋଇଯିବା ଆଶଙ୍କା ରହିଛି ।

Show More

Related Articles

Back to top button