ଓଡ଼ିଶା

ଉତ୍ପନ୍ନା ଏକାଦଶୀ ସହ ଭଗବାନଙ୍କର ମୁରାରି ନାମ ଧାରଣ କରିବାର ଗୋଟିଏ ପୌରାଣିକ କାହାଣୀ

ଶ୍ରୀମନ ନାରାୟଣ ମୁରାସୁର ନାମକ ଏକ ଦୈତ୍ୟ ବଧ କରିଥିବାରୁ ତାଙ୍କର ଗୋଟିଏ ନାମ ମୁରାରୀl ମାର୍ଗଶୀର କୃଷ୍ଣ ଏକାଦଶୀରେ ପଡୁଥିବା ଉତ୍ପନ୍ନା ଏକାଦଶୀ ସହ ଭଗବାନଙ୍କର ଏହି ମୁରାରି ନାମ ଧାରଣ କରିବାର ଗୋଟିଏ ପୌରାଣିକ ଆଖ୍ୟାନ ଜଡ଼ିତ ଅଛି l ଭଗବାନଙ୍କ ମୁରାରୀ ନାମ ସୂଚିତ କରି ଭକ୍ତକବି ବଳରାମ ଦାସ କମଳ ଲୋଚନ ଚଉତିଶାରେ ଲେଖିଛନ୍ତି :-

ଗରୁଡ଼ ଆସନେ ମୁରାରୀ l
ଗୋପରେ ରଖିଲେ ବାଛୁରୀ ll

ଏକଦା ଧର୍ମରାଜ ଯୁଧୁଷ୍ଠିର ଶ୍ରୀକୃଷ୍ଣଙ୍କୁ ପଚାରିଲେ ଅଗ୍ରହାୟଣ ମାସ କୃଷ୍ଣଏକାଦଶୀ କାହିଁକି ଉତ୍ପନ୍ନା ନାମରେ କଥିତ ହେଲା ଏବଂ କେଉଁଥି ପାଇଁ ସେ ପବିତ୍ର ଓ ଦେବଗଣଙ୍କର ପ୍ରିୟ ଅଟେ l ଭଗବାନ ଏହାର ଉତ୍ତରରେ ସମସ୍ତ ବୃତ୍ତାନ୍ତ ଧର୍ମରାଜଙ୍କୁ ଶୁଣାଇ ଥିଲେ l
ସତ୍ୟଯୁଗରେ ‘ମୁର’ ନାମକ ଏକ ଦାନବ ଥିଲା l ଦୁଷ୍ଟ ଏବଂ ମହା ପରାକ୍ରମୀ ଏହି ଦାନଵ ଯୁଦ୍ଧରେ ଦେବଗଣଙ୍କୁ ଏବଂ ଦେବ ରାଜ ଇନ୍ଦ୍ରଙ୍କୁ ପରାଜିତ କରି ସ୍ୱର୍ଗରୁ ବିତାଡ଼ିତ କରିଥିଲା l ଦେଵତାମାନେ ଆସି ମର୍ତ୍ତ୍ୟରେ ବିଚରଣ କରୁଥିଲେ l ଆତଙ୍କିତ ଦେବଗଣ ନିଜ ରକ୍ଷା ପାଇଁ ଭଗବାନ ଶଙ୍କରଙ୍କ ଶରଣାଗତ ହେଲେ l ତାଙ୍କ ଆକୁଳ ପ୍ରାର୍ଥନାରେ ମହାଦେବ କହିଲେ,ହେ ଦେବରାଜ ଏବଂ ସମସ୍ତ ଦେଵଗଣ ! ଯେଉଁ ଠାରେ ଶରଣ ସୋଦର ପ୍ରଭୁ ଜଗନ୍ନାଥ, ଗରୁଡ଼ ଧ୍ବଜ ନାରାୟଣ ବିରାଜ ମାନ କରିଛନ୍ତି ତୁମ୍ଭେମାନେ ସେହିଠାକୁ ଯାଇ ତାଙ୍କୁହିଁ ପ୍ରାର୍ଥନା କର l ସେ ନିଶ୍ଚୟ ତୁମ୍ଭମାନଙ୍କର ରକ୍ଷାର ଉପାୟ କରିବେ l

ମହାଦେବଙ୍କ ଉପଦେଶ ଅନୁଯାୟୀ ଦେବ ରାଜ ଇନ୍ଦ୍ର ଦେବଗଣଙ୍କ ସହିତ କ୍ଷୀର ସାଗର ତୀରକୁ ଗମନ କଲେ l କ୍ଷୀରାର୍ଣ୍ଣଵ ମଧ୍ୟରେ ସୁପ୍ତ ଅନନ୍ତ ଶାୟୀ ଶ୍ରୀବିଷ୍ଣୁଙ୍କୁ ପ୍ରଣାମକରି କୃତାଞ୍ଜଳି ପୁଟରେ ତାଙ୍କର ସ୍ତବ କରି ଆପଣାର ଦୈନ୍ୟ ଓ ଦୁଃଖର ନିରାକରଣ ନିମନ୍ତେ ଦେଵଗଣ ନିବେଦନ କଲେl ନାରାୟଣ କହିଲେ, ହେ ଇନ୍ଦ୍ର ! ମୋତେ ସେହି ମୁର ଅସୁରର ବଳ ବୀର୍ଯ୍ୟ ବିଷୟରେ ଅବଗତ କରାଅ l

ତହୁଁ ଇନ୍ଦ୍ର କହିଲେ,ହେ ଦେବେଶ ! ପୂର୍ବକାଳରେ ବ୍ରହ୍ମ ବଂଶରେ ତାଳଜଂଘା ନାମରେ ଏକ ଅତୀବ ପରାକ୍ରମଶାଳୀ ଅସୁର ଥିଲା l ସେହି ଅସୁର ପୁତ୍ର ହେଉଛି ମୁର l ସେ ଅତି ବଳଶାଳୀ,ଭୟଙ୍କର ଓ ଅତି ଭିତ୍ତିପ୍ରଦ l ସେ ଚନ୍ଦ୍ରାବତୀ ନଗରରେ ବାସ କରୁଛି l ସ୍ୱର୍ଗଲୋକରୁ ଦେବତାମାନଙ୍କୁ ବିତାଡ଼ିତ କରି ଦେବଲୋକକୁ ସେ ସଂପୂର୍ଣ୍ଣ ଭାବେ ଅଧିକାର କରିଛି l ମୁର ଅସୁରର ଅତ୍ୟାଚାରରେ ଭୀତତ୍ରସ୍ତ ଆମ୍ଭେମାନେ ମର୍ତ୍ତ୍ୟରେ ବିଚରଣ କରୁଛୁ l ଇନ୍ଦ୍ରଙ୍କ କଥା ଶୁଣି ଶ୍ରୀନାରାୟଣ କୋପାବିଷ୍ଟ ହୋଇ ଦୁଷ୍ଟ ଦୈତ୍ୟ,ମୁରକୁ ବଧ କରିବାକୁ ପ୍ରତିଶ୍ରୁତି ଦେଲେ l ସେ ତୁରନ୍ତ ଦେବଗଣଙ୍କ ସହିତ ଚନ୍ଦ୍ରାବତି ପୁରକୁ ଯାତ୍ରାକରି ମୁରଦୈତ୍ୟ ସହିତ ଯୁଦ୍ଧ କଲେ l

ମାତ୍ର ଏ ଯୁଦ୍ଧରେ ଦେବ ଗଣ ପରାସ୍ତ ହୋଇ ପଳାୟନ କଲେ l ଯୁଦ୍ଧ କ୍ଷେତ୍ରରେ ନାରାୟଣ ଏକାକୀ ରହି ଦିବ୍ୟ ବାଣ ଦ୍ଵାରା ଅସୁରସେନା ମାନଙ୍କୁ ସଂହାର କରି ଚାଲିଲେ l ଅସୁର ସେନା ଭୟଭୀତ ହୋଇ ଇତସ୍ତତଃ ପଳାୟନ କଲେ l ମୁରାସୁର ଏକାକୀ ପ୍ରବଳ ସଂଗ୍ରାମ କରି ଅସ୍ତ୍ର ଯୁଦ୍ଧରେ ନାରାୟଣଙ୍କୁ ପରାସ୍ତ କଲା l ତା’ପରେ ନାରାୟଣ ଦୈତ୍ୟ ସହ ବାହୁ ଯୁଦ୍ଧରେ ପ୍ରବୃତ୍ତ ହେଲେ l ଶହସ୍ର ବର୍ଷ ଯୁଦ୍ଧ ହେଲେ ମଧ୍ୟ ନାରାୟଣ ଦୈତ୍ୟକୁ ପରାସ୍ତ କରିବା ନିମନ୍ତେ ଅସମର୍ଥ ରହିଲେ l ବିମର୍ଷ ଓ ଚିନ୍ତାଗ୍ରସ୍ତ ହୋଇ ପ୍ରଭୁ ବଦ୍ରିକା ଆଶ୍ରମକୁ ପଳାୟନ କଲେ l ସେଠାରେ ଏକ ଦ୍ଵାର ବିଶିଷ୍ଟ ଓ ଦ୍ଵାଦଶ ଯୋଜନ ବିସ୍ତୃତ ସିଂହାବତୀ ନାମରେ ଏକ ଗୁମ୍ଫା ରହିଛି l ଭଗବାନ ବିଷ୍ଣୁ ଯାଇ ସେହି ଗୁମ୍ଫା ମଧ୍ୟରେ ଶୟନ କଲେ l ଦୈତ୍ୟ ମଧ୍ୟ ତାଙ୍କର ପଶ୍ଚାଦ୍ଧାବନ କରି ଗୁମ୍ଫା ମଧ୍ୟରେ ପ୍ରବେଶ କଲା l ସେ ବିଷ୍ଣୁଙ୍କୁ ନିଦ୍ରା ଯାଇଛନ୍ତି ବୋଲି ଭାବି ଅଟ୍ଟହାସ୍ୟ କଲା ଓ ଉଚ୍ଚ ସ୍ୱରରେ କହିଲା,“ମୋଠାରୁ ଶତ୍ରୁ ପରାସ୍ତ ହୋଇ ଏଠାରେ ଶୋଇ ରହିଛି l ମୁଁ ଅବଶ୍ୟ ଏହାକୁ ବଧ କରିବି l”

ଅସୁରର ଏ ପ୍ରକାର ଆସ୍ଫାଳନରେ ସଙ୍ଗେ ସଙ୍ଗେ ଶ୍ରୀ ବିଷ୍ଣୁଙ୍କ ଶରୀରରୁ ଏକ କନ୍ୟା ଜାତ ହେଲା l ଏହି କନ୍ୟାଟିର ନାମ ହେଲା ଉତ୍ପନ୍ନା ଏକାଦଶୀ l ସେ କନ୍ୟା ଅପୂର୍ବ ରୂପବତୀ, ତେଜସ୍ୱି,ଶକ୍ତିମୟୀ ଓ ଦିବ୍ୟ ଅସ୍ତ୍ର ଶସ୍ତ୍ର ଧାରିଣୀ ବିଷ୍ଣୁ ତେଜ ସମ୍ଭୁତା ଥିଲା l ଦାନବରାଜ ସେହି ଅପୂର୍ବ ତେଜ ଧାରିଣୀ ଦେବୀଙ୍କ ସହିତ ତୁମୂଳ ଯୁଦ୍ଧରେ ପ୍ରବୃତ୍ତ ହେଲା l କିଛି ସମୟ ଯୁଦ୍ଧ ଉପରାନ୍ତେ ଦେବୀଙ୍କର ହୁଙ୍କାର ଶବ୍ଦ ଦ୍ଵାରା ଅସୁର ଭସ୍ମୀଭୂତ ହୋଇଗଲା l

ଶ୍ରୀବିଷ୍ଣୁ ଜାଗ୍ରତ ହୋଇ ସେ ଭସ୍ମୀଭୂତ ଦାନଵକୁ ଦେଖି ଅତ୍ୟନ୍ତ ବିସ୍ମୟ ପ୍ରକଟକରି କହିଲେ,ମହା ପରାକ୍ରମୀ ଓ ଉଗ୍ର ମୋର ପରମ ଶତ୍ରୁ ଏହି ମୁର ଦାନବକୁ କିଏ ବଧକଲା?ଏଥିରେ ସେ ତେଜସ୍ବୀ କନ୍ୟା କହିଲେ, ଦେବତା, ଗନ୍ଧର୍ବ,ଯକ୍ଷ,ନାଗ ଓ ରାକ୍ଷସ ସହ ଇନ୍ଦ୍ରଙ୍କୁ ଏହି ଦାନବ ଜୟକରି ସ୍ୱର୍ଗ ରାଜ୍ୟରୁ ବିତାଡ଼ିତ କରିଛି l ସମ୍ପ୍ରତି ମୁଁ ମଧ୍ୟ ଲକ୍ଷ କଲି ଯେ,ସୁପ୍ତ ଭଗବାନ୍ ଶ୍ରୀହରିଙ୍କ ପଛେ ପଛେ ଧାଇଁ ଏଠାକୁ ଆସିଅଛି l ସେ ତ୍ରିଲୋକକୁ ବିନାଶ କରିବ ଆଶଙ୍କା କରି ମୁଁ ତାହାକୁ ବଧ କରିଅଛି l କନ୍ୟାର କଥା ଶୁଣି ବିଷ୍ଣୁ କହିଲେ, ଯାହା ସହିତ ଯୁଦ୍ଧରେ ମୁଁ ପରାସ୍ତ ହୋଇଛି,ତୁମେ ତାହାକୁ ବଧ କଲ କିପରି ?

ଏକାଦଶୀ ନାମ୍ନୀ ସେହି କନ୍ୟା ତହୁଁ କହିଲା, ହେ ପ୍ରଭୁ ! ଆପଣଙ୍କର ଅନୁଗ୍ରହରୁ ହିଁ ମୁଁ ତାହାକୁ ବଧ କରିବାକୁ ସମର୍ଥ ହୋଇଛି lଭଗବାନ କହିଲେ ମୁଁ ଏହି ତ୍ରିଲୋକରେ ଦେବତା ଓ ରଷି ଗଣଙ୍କ ବର ପ୍ରଦାନ କାରୀ l ହେ ଭଦ୍ରେ ! ତୁମେ ମଧ୍ୟ ତୁମର ଇପ୍ସିତ ବର ପ୍ରାର୍ଥନା କର l ତାହା ଦେବ ଗଣଙ୍କୁ ଦୁର୍ଲଭ ହୋଇଥିଲେ ମଧ୍ୟ ତୁମକୁ ମୁଁ ପ୍ରଦାନକରି ପାରେ l ଶ୍ରୀ ଏକାଦଶୀ କହିଲେ,ହେ ମହାପ୍ରଭୁ! ଆପଣ ଯଦି ମୋ ପ୍ରତି ପ୍ରସନ୍ନ ତେବେ ତ୍ରି ଵାର ସତ୍ୟ କରନ୍ତୁ,ମୁଁ ବର ପ୍ରାର୍ଥନାକରିବି l ଭଗବାନ କହିଲେ ,ମୁଁ ତ୍ରିବାର ସତ୍ୟ କରୁଛି,ପ୍ରାର୍ଥିତ ବର ଅବଶ୍ୟ ମୁଁ ତୁମକୁ ପ୍ରଦାନ କରିବି,ଏହା ଅନ୍ୟଥା ନୋହିବ l

ଏକାଦଶୀ କହିଲେ, ହେ ଦେବେଶ ! ତ୍ରିଭୁବନରେ ଚାରି ଯୁଗ ବ୍ୟାପୀ ସମସ୍ତ ତୀର୍ଥ ସ୍ଥାନରେ ମୋର ବୈଶିଷ୍ଟ୍ୟ ଏପରି ସ୍ଥାପନ କରନ୍ତୁ ,ଯଦ୍ବାରା ମୁଁ ସର୍ବ ପ୍ରଧାନ,ସର୍ବ ବିଘ୍ନ ବିନାଶିନୀ ଏବଂ ସର୍ବ ଐଶ୍ୱର୍ଯ୍ୟ ପ୍ରଦାୟିନୀ ରୂପରେ ଆପଣଙ୍କ ଅନୁଗ୍ରହରୁ ପରମ ପୂଜ୍ୟ ହୋଇ ରହିବି l ହେ ଜନାର୍ଦ୍ଦନ ! ଆପଣଙ୍କ ପ୍ରତି ଭକ୍ତି ଭାବରେ ଯେଉଁମାନେ ମୋ ଉପବାସ କରିବେ, ସେମାନେ ସିଦ୍ଧି ପ୍ରାପ୍ତ ହେବେ,ମୋତେ ଏହି ବର ପ୍ରଦାନ କରନ୍ତୁ l

ଯେଉଁ ବ୍ୟକ୍ତି ନିରନ୍ନ ଉପବାସ କିମ୍ବା ନକ୍ତ ଓ ଏକ ଭୂକ୍ତ ରୂପକ ବ୍ରତ ପାଳନ କରିବେ, ତାଙ୍କର ଧନ, ଧର୍ମ ଓ ମୋକ୍ଷ ଲାଭ ହେବ,ଏ ବର ମଧ୍ୟ ପ୍ରଦାନ କରନ୍ତୁ l ବିଷ୍ଣୁ ତଥାସ୍ତୁ କରି କହିଲେ, କଲ୍ୟାଣୀ ! ତୁମ୍ଭର ପ୍ରାର୍ଥନା ଅନୁଯାୟୀ ତୁମର ବ୍ରତ ପାଳନ କାରୀର ସମସ୍ତ ମଙ୍ଗଳ ହେବ l ତାହାର ସକଳ ମନୋକାମନା ତୁମେ ପୂର୍ଣ୍ଣ କରିବ,ଏଥିରେ ତିଳେ ମାତ୍ର ସଂଶୟ ନାହିଁ l

ଏକାଦଶୀ କହିଲେ,ହେ ପ୍ରଭୁ ! ଜଗତରେ ଯେଉଁ ମାନେ ମୋର ଭକ୍ତ ସେମାନେ ତ୍ରିଲୋକରେ ଚାରି ଯୁଗ ବ୍ୟାପୀ ବିଖ୍ୟାତ ହୁଅନ୍ତୁ l ଭଗବାନ କହିଲେ ତୁମକୁ ମୁଁ ମୋର ଶକ୍ତି ପ୍ରଦାନ କଲି l ତୁମର ବ୍ରତ ଆଚରଣକାରୀକୁ ମୋ ପୂଜାର ସକଳ ଫଳ ପ୍ରାପ୍ତ ହେବ l ସେମାନେ ତୁମର ବ୍ରତ ଓ ଉପାସନା କରି ମୋକ୍ଷପ୍ରାପ୍ତ ହେବେ l ତୃତୀୟା,ଅଷ୍ଟମୀ, ନବମୀ, ଚତୁର୍ଦ୍ଦଶୀ ଓ ବିଶେଷକରି ଏକାଦଶୀ ତିଥି ଗୁଡ଼ିକ ହରିପ୍ରିୟା ନାମରେ ବିଖ୍ୟାତ ହେବ l ତୁମେ ବ୍ରତ ପାଳନ କାରୀର ଶତ୍ରୁ ବିନାଶ,ପରମାର୍ଥ ପ୍ରାପ୍ତି ଓ ସର୍ବସିଦ୍ଧି ପ୍ରଦାନ କରିବାକୁ ସମର୍ଥ ହେବ l

ବିଷ୍ଣୁ ଉତ୍ପନ୍ନା ଏକାଦଶୀକୁ ବର ପ୍ରଦାନ କଲେ ଓ ଅନ୍ତର୍ହିତ ହେଲେ l ଉତ୍ପନ୍ନା ଏକାଦଶୀର ଉତ୍ପତ୍ତି ଏହିପରି ହୋଇଛି ଏବଂ ଶ୍ରୀବିଷ୍ଣୁ ମୁରାରି ନାମକୁ ବହନ କରିଛନ୍ତି l

ଓଁ ନମଃ ଭଗବତେ ଵାସୁଦେବାୟଃ !

ଅର୍ଜୁନୀ ଚରଣ ବେହେରା,
ପୋଖରୀପୁଟ, ଭୁବନେଶ୍ୱର

 

Show More

Related Articles

Back to top button