ବାଣିଜ୍ୟ

ଏକାସହ ବଢ଼ିଲା ସିମେଣ୍ଟ ଓ ଇଟା ଦର

ସମସ୍ୟାରେ ଗୃହ ନିର୍ମାତା

ଦେଶରେ ପୁଣି ବଢ଼ିଲା ନିର୍ମାଣ ସାମଗ୍ରୀ ଦର। ଏଥିରେ ସିମେଣ୍ଟ କ୍ୱିଣ୍ଟଲ ପିଛା ୨୦ରୁ ୨୫ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଇଟା ଦର ମଧ୍ୟ ବଢ଼ିବଢ଼ି ଚାଲିଛି। ଇଟାର ଏପରି ମୂଲ୍ୟ ବୃଦ୍ଧି ଲାଗି ଭାଟ୍ଟି ମାଲିକମାନେ କୋଇଲା ଦର ବୃଦ୍ଧିର ବାହାନା କରୁଛନ୍ତି। ଇଟାଭାଟିରେ ଜମା ପୁରୁଣା କୋଇଲା ଏବେବି ପୋଡ଼ା ହେଉଛି। ନୂଆ ଷ୍ଟକ୍‌ ପହଞ୍ଚିବା ପରେ ଦର ଆହୁରି ବଢ଼ିବ ବୋଲି ଏବେ ଆଶଙ୍କା କରାଗଲାଣି। କେବଳ ଇଟା କି ସିମେଣ୍ଟ ନୁହେଁ ଲୁହା ଛଡ଼ ଦର ମଧ୍ୟ ଇତିମଧ୍ୟରେ ପୁଣି ଥରେ ବଢ଼ି ଯାଇଛି। ଡିଜେଲ ମୂଲ୍ୟ ବୃଦ୍ଧି ଯୋଗୁ ବାଲି ବୁହାଣ ଦର ବଢ଼ି ଯାଇଥିବା ବେଳେ ବଜୁରି, ମେଣ୍ଟାଲ ଓ ଚିପସ୍‌ ଦର ମଧ୍ୟ ବିକ୍ରେତା ବଢେଇ ଦେଇଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଏକ୍ସାଇଜ ଡ୍ୟୁଟି ହ୍ରାସ କରିଛନ୍ତି। ଫଳରେ ଡିଜେଲ ଦର ଅନେକ ସ୍ଥାନରେ ହ୍ରାସ ହୋଇଥିଲେ ହେଁ ପରିବହନ ବାହାନା ବନେଇ ନିର୍ମାଣ ସାମଗ୍ରୀ ଦର ବଢେଇ ରଖିଛନ୍ତି। ଫଳରେ ନୂଆ ଘର ତିଆରି କରୁଥିବା ଲୋକେ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି।

ଗୋଟିଏ ପଟେ ନିର୍ମାଣ ସାମଗ୍ରୀ ଦର ବୃଦ୍ଧି ନିର୍ମାତାଙ୍କ ମନବଳ ହ୍ରାସ କରିଥିବା ବେଳେ ନିର୍ମାଣ କ୍ଷେତ୍ରରେ ରୋଜଗାର ମଧ୍ୟ ପ୍ରଭାବିତ ହେବାରେ ଲାଗିଲାଣି। ଲୋକେ ନିର୍ମାଣ ଅଧାରେ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ଏଣୁ ଅନେକ ସ୍ଥାନରେ କାମ ବନ୍ଦ ପଡିବା ଯୋଗୁ ଲୋକେ ରୋଜଗାର ହରାଇଛନ୍ତି। ତେବେ ଋଣ ନେଇ ଗୃହ ନିର୍ମାଣ କରୁଥିବା ଲୋକେ ଅଳ୍ପବହୁତେ କାମ ଜାରି ରଖିବା ଯୋଗୁ ଲୋକେ କିଛିମାତ୍ରାରେ କାମ ପାଇ ଯାଉଛନ୍ତି। ତେବେ ଅଧିକାଂଶ ଲୋକେ ଏବେ ଦର ହ୍ରାସକୁ ଅପେକ୍ଷା କରି ରହିଥିବା ନିର୍ମାଣ କ୍ଷେତ୍ର ସହ ସଂଯୁକ୍ତ ଲୋକେ ଓ ଶ୍ରମିକ କହିଛନ୍ତି। ସେହିପରି ମୂଲ୍ୟ ବୃଦ୍ଧି ଠିକାଦାରଙ୍କୁ ମଧ୍ୟ ପ୍ରଭାବିତ କରିଛି। ସେମାନେ ନୂଆ କାମ ଲାଗି ସାହାସ ଜୁଟାଇ ପାରୁନଥିବା କହୁଛନ୍ତି। ଦରଦାମ ବୃଦ୍ଧିରେ ପୁରୁଣା କାମ ବି ସେମାନେ ବନ୍ଦ କରିପାରୁନାହାନ୍ତି। କାରଣ ଲୋକଙ୍କୁ ସମୟରେ ସେମାନଙ୍କର ଅର୍ଡର ପୁରା କରିବାକୁ ପଡିବ। ଏଣୁ ବ୍ୟାପକ କ୍ଷତିରେ ପଡୁଥିବା ଠିକାଦାରମାନେ ଅଭିଯୋଗ କରିଛନ୍ତି। ତେବେ ଛୋଟମୋଟ ଘର ନିର୍ମାଣ କରୁଥିବା ସାଧାରଣ ଲୋକେ ଏବେ ମୂଲ୍ୟ ବୃଦ୍ଧି ଯୋଗୁ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ନିଡ଼ ଟିଏ ପାଇଁ ସେମାନଙ୍କ ସ୍ୱପ୍ନ ଏବେ ହୁଏତ ସ୍ୱପ୍ନରେ ରହିଯିବ ବୋଲି ସେମାନେ ଭାବୁଛନ୍ତି।

Show More

Related Articles

Back to top button