Breaking PLUSଓଡ଼ିଶାଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ, ହରଡ଼ ଡାଲି ଷ୍ଟକ ଉପରେ ନଜର ରଖ

ଡାଲି ଦରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ସରକାର । କେତେକ ବଜାରରେ କୃତ୍ରିମ ଅଭାବ ପରିସ୍ଥିତି ସୃଷ୍ଟି ହୋଇପାରେ । କିଛି ବର୍ଗ ଏଦିଗରେ ସକ୍ରିୟ ରହିଥିବା ଆଶଙ୍କା କରୁଛି କେନ୍ଦ୍ର ।

ଏଭଳି ସ୍ଥିତିରେ ବିଭିନ୍ନ ମହଜୁଦକାରୀଙ୍କ ନିକଟରେ ଥିବା ଡାଲି ମହଜୁଦ ସ୍ତରକୁ ତଦାରଖ କରିବା ପାଇଁ କେନ୍ଦ୍ର ପକ୍ଷରୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୬ ସପ୍ତାହରେ ହରଡ଼ ଏବଂ ବିରି ଡାଲି ଦର ପ୍ରାୟ ୧୫% ବୃଦ୍ଧି ପାଇଲାଣି । ଶୁକ୍ରବାର ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ସମସ୍ତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଜାରି କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଆଇନ,୧୯୫୫ର ବିଭିନ୍ନ ବ୍ୟବସ୍ଥା ଅଧୀନରେ ହରଡ଼ ଡାଲି ବ୍ୟବସାୟୀମାନଙ୍କ ଦ୍ୱାରା ରଖାଯାଇଥିବା ଷ୍ଟକ୍‌ ସଂକ୍ରାନ୍ତ ତଥ୍ୟ ପ୍ରଘଟ କରିବା ପାଇଁ କୁହାଯାଇଛି । ଉକ୍ତ ଷ୍ଟକ୍‌କୁ ତଦାରଖ କରିବା ସହ ତଥ୍ୟର ଯାଞ୍ଚ କରିବା ପାଇଁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଷ୍ଟକ୍‌ ସଂକ୍ରାନ୍ତ ତଥ୍ୟକୁ ସାପ୍ତାହିକ ଭିତ୍ତିରେ ଖାଉଟି ବ୍ୟାପାର ବିଭାଗର ଅନ୍‌ଲାଇନ୍‌ ମନିଟରିଂ ପୋର୍ଟାଲରେ ଅପ୍‌ଲୋଡ୍‌ କରିବା ପାଇଁ ମହଜୁଦକାରୀମାନଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କୁହାଯାଇଛି ।

ଏକ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ, କିଛି ମହଜୁଦକାରୀ ଏବଂ ବ୍ୟବସାୟୀ ବିକ୍ରିକୁ ସୀମିତ ରଖି ବଜାରରେ କୃତ୍ରିମ ଅଭାବ ସ୍ଥିତି ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି । ଏହା କରି ସେମାନେ ଦରକୁ ଉଚ୍ଚକୁ ନେବା ପାଇଁ ଚାହୁଁଛନ୍ତି । ଚଳିତବର୍ଷ ଜୁଲାଇ ଦ୍ୱିତୀୟ ସପ୍ତାହରୁ ହରଡ଼ ଡାଲି ଦର ବଢୁଛି । କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ଭଳି ଉତ୍ପାଦନକାରୀ ରାଜ୍ୟରେ ଅତିରିକ୍ତ ବୃଷ୍ଟିପାତ ଯୋଗୁ ଖରିଫ ଫସଲ ପ୍ରଭାବିତ ହୋଇଥିବାବେଳେ ଏହା ଦରକୁ ବଢ଼ାଉଛି । କେନ୍ଦ୍ର ସରକାର ଡାଲି ଉପଲବ୍ଧତା ଏବଂ ଏହାର ଦର ଉପରେ ସ୍ୱତନ୍ତ୍ର ନଜର ରଖିଛନ୍ତି । ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ବଜାର ଉପରେ ନଜର ରହିଛି । ଆଗକୁ ପୂଜା ଋତୁ ରହିଛି, ଯେଉଁ ସମୟରେ ଚାହିଦା ଅଧିକ ରହିଥାଏ । ଉକ୍ତ ସମୟରେ ଯେପରି କୌଣସି ପ୍ରତିକୂଳ ପରିସ୍ଥିତି ନ ଉପୁଯେ, ସେଥିପାଇଁ ସରକାର ଆଗୁଆ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ଜଣାପଡ଼ିଛି । ଘରୋଇ ବଜାରରେ ଯଥେଷ୍ଟ ମାତ୍ରାରେ ଡାଲି ଉପଲବ୍ଧ ରହିଥିବା ସତ୍ତେ୍ୱ ସରକାର ନିଜର ବଫର ଷ୍ଟକରେ ପାଖାପାଖି ୩୮ ଲକ୍ଷ ଟନ ଡାଲି ରଖିଛନ୍ତି । ଆଗକୁ କୌଣସି ପ୍ରକାର ଅଭାବ ପରିସ୍ଥିତିରେ ଏହାକୁ ଖୋଲା ବଜାରକୁ ଛଡ଼ାଯିବ । ସୂଚନାଯୋଗ୍ୟ, ବିଗତ ଦିନରେ ଅନେକ ଥର ଡାଲି ଦର ବୃଦ୍ଧି ପରିସ୍ଥିତିରେ ସରକାର ମହଜୁଦ ସୀମା ଧାର୍ଯ୍ୟ କରି ସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି ।

Show More

Related Articles

Back to top button