ବାଣିଜ୍ୟ

ଆସିବ ନୂଆ ପେନସନ୍ ସ୍କିମ୍

ସଙ୍ଗଠିତ କ୍ଷେତ୍ର କର୍ମଚାରୀଙ୍କୁ ମିଳିବ ଫାଇଦା

ସଙ୍ଗଠିତ କ୍ଷେତ୍ର କର୍ମଚାରୀଙ୍କ ଲାଗି ନୂଆ ପେନସନ ଆଣିବା ଲାଗି କର୍ମଚାରି ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ (ଇପିଏଫ୍‌ଓ) ଏବେ ଯୋଜନା କରୁଛି । ୧୫ ହଜାର ଟଙ୍କାରୁ ଅଧିକ ବେତନ ଲାଭ କରୁଥିବା ଏବଂ ବାଧ୍ୟତାମୂଳକ ଭାବେ କର୍ମଚାରୀ ପେନସନ ସ୍କିମ ୧୯୯୫ (ଇପିଏସ୍‌-୯୫) ପରିସରରେ ଆସୁ ନ ଥିବା କର୍ମଚାରୀଙ୍କ ଲାଗି ଏହା କାର୍ଯ୍ୟକାରି କରାଯିବାକୁ ବିଚାର କରାଯାଉଛି ।ବର୍ତ୍ତମାନ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବେସିକ ୱେଜ (ବେସିକ ପେ ସହ ମହଙ୍ଗା ଭତ୍ତା) ଚାକିରିରେ ଯୋଗଦେବା ସମୟରେ ୧୫ ହଜାର ଟଙ୍କା ଯାଏ ହୋଇଥିଲେ ଇପିଏସ୍‌-୯୫ ଅଧିନରେ ଆସିବାର ନିୟମ ରହିଛି । ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି ଯେ, ଇପିଏଫଓ ସଦସ୍ୟଙ୍କ ଦ୍ୱାରା ଅଧିକ ଯୋଗଦାନ କ୍ଷେତ୍ରରେ ଅଧିକ ପେନସନ ନେବା ଲାଗି ଚାହିଦା ବଢ଼ୁଛି । ଏହାକୁ ବିଚାର କରି ଏକ ନୂଆ ପେନସନ ପ୍ରଡକ୍ଟ ଆଣିବା ଦିଗରେ ଏବେ ବିଚାର ବିମର୍ଷ ଜାରି ରହିଛି । ସାଧାରଣ ହାରାହାରି ବେତନ ୧୫ ହଜାର ଟଙ୍କାରୁ ଉଦ୍ଧ୍ୱର୍ ରହିଥିବା ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ଏହା ଲାଗୁ ହୋଇ ପାରିବ । ଅଧିକାରୀ ଜଣକ ପୁଣି କହିଛନ୍ତି ଯେ, ଏହି ପ୍ରସ୍ତାବ ଇପିଏଫ୍‌ଓର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ବୈଠକରେ ଆଲୋଚନା ପାଇଁ ଉପସ୍ଥାପନ କରାଯିବ । ମାର୍ଚ୍ଚ ୧୧ ଏବଂ ୧୨ରେ ଗୌହାଟିଠାରେ ଏହି ବୈଠକ ବସୁଛି । ଏହି ବୈଠକରେ ଇପିଏଫ୍‌ଓ ଗଠନ କରିଥିବା ପେନସନ ସଂକ୍ରାନ୍ତ ଏକ ଉପ କମିଟି ମଧ୍ୟ ଏହାର ରିପୋର୍ଟ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହି କମିଟିକୁ ୨୦୨୧ ନଭେମ୍ବରରେ ଗଠନ କରାଯାଇଥିଲା ।

ଏବେ ୧୫ ହଜାର ଟଙ୍କାରୁ ଉଦ୍ଧ୍ୱର୍ ବେତନ ଲାଭ କରୁଥିବା ଇପିଏଫ୍‌ଓ ହିତାଧିକାରୀମାନେ ଇପିଏସ୍‌-୯୫ ଆଧାରରେ ୮.୩୩% ହାରରେ ଯୋଗଦାନ ରଖୁଛନ୍ତି । ଫଳରେ ଯୋଗଦାନ କମ୍‌ ଥିବାରୁ ପେନସନ ମଧ୍ୟ କମ୍‌ ହେଉଛି । ୨୦୧୪ରେ ଇପିଏଫ୍‌ଓ ଏହାର ସ୍କିମରେ ପରିବର୍ତ୍ତନ କରିବା ସହ ମାସିକ ପେନସନ ଲାଭ ପାଇଁ ହାରାହାରି ବେତନ ୧୫ ହଜାର ଟଙ୍କା କରିଥିଲା । ଚାକିରିରେ ଯୋଗଦେବା ସମୟରେ କେବଳ ଏହି ସୀମା ଲାଗୁ ହୋଇଥାଏ । ୨୦୧୪ ସେପ୍ଟେମ୍ବର ପହିଲାରୁ ଏହାକୁ ୬,୫୦୦ ଟଙ୍କାରୁ ପରିବର୍ତ୍ତନ କରାଯାଇ ସୀମାରେ ବୃଦ୍ଧି କରାଯାଇଥିଲା । ଦରଦାମ ଏବଂ ସଙ୍ଗଠିତ କ୍ଷେତ୍ରର ପେ ରିଭିଜନ ଭଳି ବିଭିନ୍ନ ଦିଗକୁ ବିଚାର କରି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା । ବେସିକ ୱେଜର ସୀମାକୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରିବା ଲାଗି ପରେ ପ୍ରସ୍ତାବ ଦିଆଯାଇଥିଲା । ମାତ୍ର ଏହି ପ୍ରସ୍ତାବକୁ ମଞ୍ଜୁରି ମିଳି ପାରି ନ ଥିଲା । ଆକଳନ ମୁତାବକ, ପେନସନ ପାଇବା ଯୋଗ୍ୟ ଦେୟରେ ବୃଦ୍ଧି ହେଲେ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଅଧିକ ୫୦ ଲକ୍ଷ କର୍ମଚାରି ଇପିଏସ୍‌-୯୫ ପରିସରକୁ ଆସିପାରିବେ । ବେତନ ସୀମା ୧୫ରୁ ୨୫ ହଜାରକୁ ବୃଦ୍ଧି ନେଇ ଇପିଏଫ୍‌ଓ ପ୍ରସ୍ତାବ ଦେଇଥିଲେ ମଧ୍ୟ ଏ କ୍ଷେତ୍ରରେ ଏବେ ଯାଏ କୌଣସି ନିଷ୍ପତ୍ତି ହୋଇ ନ ଥିବା ପୂର୍ବତମ ଶ୍ରମ ମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରେୟ ଲୋକସଭାକୁ ସ୍ପଷ୍ଟ କରିଥିଲେ । ତେବେ ଅଧିକାରି ଜଣକ କହିଛନ୍ତି ଯେ, ଯେଉଁ ହିତାଧିକାରି ନିମ୍ନ ଯୋଗଦାନ ରଖୁଛନ୍ତି କିମ୍ବା ଏହି ସ୍କିମକୁ ସବସ୍କ୍ରାଇବ କରି ନାହାନ୍ତି ସେମାନଙ୍କ ଲାଗି ନୂଆ ସ୍କିମ ଆଣିବାର ଆବଶ୍ୟକତା ରହିଛି । ଚାକିରିରେ ଯୋଗଦେବା ସମୟରେ ସେମାନଙ୍କ ବେତନ ୧୫ ହଜାର ଟଙ୍କାରୁ ଉଦ୍ଧ୍ୱର୍ ଥିବା କ୍ଷେତ୍ରରେ ଏହା ଲାଗୁ ହୋଇ ପାରିବ । ପେନସନ ଲାଭ କରିବା ଲାଗି ବେତନର ସୀମାକୁ ତ୍ୱରିତ ଭିତ୍ତିରେ ବୃଦ୍ଧି କରିବା ଲାଗି ଏବେ ଇପିଏଫ୍‌ଓ କୌଣସି କାର୍ଯ୍ୟକ୍ରମ ଗ୍ରହଣ କରିବ ନାହିଁ । ମାତ୍ର ଉଚ୍ଚ ବେତନ ଲାଭ କରୁଥିବାରୁ ଇପିଏସ୍‌-୯୫ରୁ ବାଦ ପଡୁଥିବା କର୍ମଚାରୀଙ୍କୁ ସୁବିଧାକୁ ଧ୍ୟାନରେ ରଖିବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଉଛି । ପେନଶନ ଯୋଗ୍ୟ ବେତନ ସୀମା ପ୍ରସଙ୍ଗରେ ଏବେ ଏକ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ।

Show More

Related Articles

Back to top button