Breaking PLUSବାଣିଜ୍ୟମୁଖ୍ୟ ଖବର

ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଭରିବାର ସମୟ ସୀମା ବଢିବ ନାହିଁ

ଫାଇଲ୍ କରିବାକୁ ବାକି ରହିଲା ଆଉ ୮ ଦିନ

ଆୟକର ରିଟର୍ଣ୍ଣ ଭରିବାର ଶେଷ ତାରିଖ ହେଉଛି ଜୁଲାଇ ୩୧। ଏହି ସମୟସୀମାକୁ ଆଗକୁ ବଢାଇବା ଉପରେ ସରକାର ବିଚାର କରୁନଥିବା ଜଣା ପଡିଛି। ସରକାର ଆଶା ରଖିଛନ୍ତି ଯେ, ଅଧିକାଂଶ କରଦାତା ନିର୍ଦ୍ଧାରିତ ତିଥିରେ ରିଟର୍ଣ୍ଣ ଭରି ଦେବେ। ରାଜସ୍ଵ ସଚିବ ତରୁଣ ବଜାଜ ଶୁକ୍ରବାର କହିଛନ୍ତି, ଜୁଲାଇ ୨୦ ସୁଦ୍ଧା ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୨ କୋଟି ୩ ଲକ୍ଷରୁ ଅଧିକ କରଦାତା ଆୟକର ରିଟର୍ଣ୍ଣ ଭରି ସାରିଲେଣି ଏବଂ ଏହି ସଂଖ୍ୟା ବଢିବାରେ ଲାଗିଛି।

ଗତ ଆର୍ଥିକ ବର୍ଷ ୨୦୨୦-୨୧ରେ ପ୍ରାୟ ୫ କୋଟି ୮୯ ଲକ୍ଷ ଆୟକର ରିଟର୍ଣ୍ଣ ଭରା ଯାଇଥିଲା। ଗତ ବର୍ଷ ସରକାର ରିଟର୍ଣ୍ଣ ଭରିବାର ସମୟ ସୀମା ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢାଇଥିଲେ। ରାଜସ୍ଵ ସଚିବ ତରୁଣ ବଜାଜ କହିଛନ୍ତି, ଲୋକେ ଭାବୁଛନ୍ତି ଯେ ଆୟକର ରିଟର୍ଣ୍ଣ ଭରିବାର ସମୟସୀମା ପ୍ରତି ଥର ବଢିଥାଏ। ଏଥିପାଇଁ ସେମାନେ ଆରମ୍ଭରୁ ରିଟର୍ଣ୍ଣ ଭରିବା ପ୍ରତି ଆଗ୍ରହ ପ୍ରକାଶ କରିନଥାନ୍ତି। ମାତ୍ର ଏଥର ଦିନକୁ ୧୫ ଲକ୍ଷରୁ ୧୮ ଲକ୍ଷ ମଧ୍ୟରେ ରିଟର୍ଣ୍ଣ ଭରାଯାଉଛି। ଜୁଲାଇ ଶେଷ ବେଳକୁ ଦୈନିକ ଏହି ସଂଖ୍ୟା ୨୫ ଲକ୍ଷରୁ ୩୦ ଲକ୍ଷ ପର୍ଯ୍ୟନ୍ତ ହୋଇଯିବ। ସେ କହିଛନ୍ତି, ଗତ ଥର ୯ ରୁ ୧୦ ପ୍ରତିଶତ ଆୟକର ରିଟର୍ଣ୍ଣ ଅନ୍ତିମ ଦିନରେ ଭରା ଯାଇଥିଲା। ଅନ୍ତିମ ଦିନରେ ୫୦ ଲକ୍ଷ ଲୋକ ରିଟର୍ଣ୍ଣ ଦାଖଲ କରିଥିଲେ। ତେଣୁ ଏଥର ଶେଷ ତାରିଖରେ ଏକ କୋଟି ରିଟର୍ଣ୍ଣ ଫାଇଲ ହେବାର ଆଶା କରାଯାଉଛି।

Show More

Related Articles

Back to top button