Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ

୯୬ ରୁ ୧୦୪ ପ୍ରତିଶତ ବର୍ଷା ହେବା ନେଇ ପୂର୍ବାନୁମାନ

ଚଳିତ ବର୍ଷ ସ୍ୱାଭାବିକ ରହିବ ଦକ୍ଷିଣ-ପଶ୍ଚିମ ମୌସୁମୀ । ଭାରତୀୟ ପାଣିପାଗ ବିଭାଗ ଏହା ଆକଳନ କରିଛି । ଜୁନରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ସ୍ୱାଭାବିକ ରହିବ । ଚଳିତ ବର୍ଷ ୯୬ରୁ ୧୦୪ ପ୍ରତିଶତ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଲା-ନିନା ସ୍ଥିତି ଯୋଗୁ ମୌସୁମୀ ସ୍ବାଭାବିକ ରହିବ । ଜୁନରୁ ସେପ୍ଟେମ୍ବର- ଏହି ୪ ମାସରେ ମୌସୁମୀ ବର୍ଷାର ହାରାହାରି ପରିମାଣ ୯୯ ପ୍ରତିଶତ ରହିବ । ସାମାନ୍ୟ ବର୍ଷା ୪୦ ପ୍ରତିଶତ, ଅଧିକ ବର୍ଷା ୧୫ ପ୍ରତିଶତ ଏବଂ ଅତ୍ୟଧିକ ବର୍ଷା ୫ ପ୍ରତିଶତ ହେବାର ସମ୍ଭାବନା ରହିଛି । ସାମାନ୍ୟଠାରୁ ବର୍ଷାର ପରିମାଣ ୨୬ ପ୍ରତିଶତ କମ୍‌ ରହିଛି । ଆଇଏମ୍‌ଡିର ଆକଳନ ଅନୁଯାୟୀ, ଲଦାଖ ଏବଂ ରାଜସ୍ଥାନର କିଛି ଅଞ୍ଚଳ ଛାଡିଦେଲେ ପୂର୍ବ ଉତ୍ତର ଏବଂ ମଧ୍ୟ ଭାରତରେ ସାମାନ୍ୟ ବା ସାମାନ୍ୟଠାରୁ ଅଧିକ ବର୍ଷା ହୋଇପାରେ। ପୂର୍ବୋତ୍ତର ରାଜ୍ୟ ଏବଂ ତାମିଲନାଡୁରେ କମ ବର୍ଷା ହୋଇପାରେ । ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ମଧ୍ୟ କମ ବର୍ଷାର ସମ୍ଭାବନା ରହିଛି ।

ଭଲ ବର୍ଷା ଅପେକ୍ଷାରେ ଥିବା କୃଷି ଏବଂ ଅନ୍ୟ କ୍ଷେତ୍ର ପାଇଁ ଆଶା ସଂଚାର ହୋଇଛି । ସ୍ବାଭାବିକ ବର୍ଷା ଚାଷୀଙ୍କ ପାଇଁ ଆଣିଛି ଭଲ ଖବର । ଭାରତୀୟ ପାଣିପାଗ ବିଭାଗ ସହ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ମଧ୍ୟ ସ୍ବାଭାବିକ ବର୍ଷା ନେଇ ପୂର୍ବାନୁମାନ କରିଛି । ଗତ ଦୁଇ ବର୍ଷ ଧରି ଦେଶରେ ସ୍ବାଭାବିକ ବର୍ଷା ହୋଇଥିଲା । ଏବେ ଲଗାତାର ତୃତୀୟ ବର୍ଷ ପାଇଁ ଦେଶରେ ସ୍ୱାଭାବିକ ବର୍ଷା ହେବା ନେଇ ଆକଳନ କରାଯାଉଛି । ମେ ମାସ ଶେଷ ସପ୍ତାହରେ ମୌସୁମୀ ବର୍ଷା ନେଇ ଆଉଥରେ ପୂର୍ବାନୁମାନ ଜାରି କରିବ ଭାରତୀୟ ପାଣିପାଗ ବିଭାଗ ।

Show More

Related Articles

Back to top button