ଓଡ଼ିଶା

ଗୁରୁ କହିଥିଲେ

(ସ୍ମୃତି)
ବହୁ ଦିନ ତଳେ
ଗୁରୁଦେବ ମୋର
କଥାଟିଏ କହିଥିଲେ
ବନ୍ଧୁରେ ବନ୍ଧୁରେ
ସଂପର୍କଟା ଛିଡେ
କିଛି ଗୋଟେ ମାଗି ଦେଲେ।

“ଦେବାକୁ ଅଥବା
ମରିବାକୁ କେହି
ପାଆନ୍ତିନି କେବେ ଭଲ
ଏ କଥାକୁ ଯଦି
ମନେ ନ ରଖିବ
ହୋଇଯିବ କଲବଲ।”

ପଢିବାକୁ ଟିକେ
ରୁଚିକର ବୋଲି
କବିତା ମୁଁ ଲେଖୁଥିଲି
WhatsApp ଯୋଗେ
ବନ୍ଧୁମାନଙ୍କୁ ମୁଁ
ଉପହାର ଦେଉଥିଲି।

ରାତି ନ ପାହୁଣୁ
ସକାଳୁ ସକାଳୁ
ବନ୍ଧୁଂକୁ ପଠାଇ ଦିଏ
ଅନେକ ସାବାସି
ସେମାନଙ୍କ ଠାରୁ
ମେସେଜରେ ପାଇଥାଏ।

ସେମାନେ ବି ମୋତେ
ଅନୁରୋଧ କଲେ
” ବହିଟେ ଛପେଇ ଦିଅ
ପାଉ ଥିବୁ ଆମେ
ତୁମରି ଲେଖାରୁ
ଅନେକ ତତ୍ତ୍ବର ଖିଅ।”

ସେମାନଙ୍କୁ ମୁହିଁ
କହି ଦେଇ ଥିଲି,
“ପଚାଶଟି ଟଙ୍କା ଦିଅ
ବହି ଛପାଇଛି
ଅଧା ଦାମ୍ ଦେଇ
ବହିରୁ ଖଣ୍ଡିଏ ନିଅ। ”

ବନ୍ଧୁମାନେ ମୋର
ନୀରବ ରହିଲେ
ମେସେଜ୍ ଆସିଲା ନାହିଁ
ଗୁରୁଂକ କଥାକୁ
ମନେ ପକାଇଲି
ଅର୍ଥ ମୁଁ ମାଗିଲି କାହିଁ???

ବନ୍ଧୁ ଘରକୁ ମୁଁ
ଯାଇଥିଲି ଦିନେ
ମାଗିଥିଲି ଟିକେ ମଳି
“ଡାକ୍ତର କହିଛି
ଗୋରା ଦେହ ମଳି
ପିଇ ଦେଏ ଥରେ ଗୋଳି।

ଅନେକ ରୋଗ ତୋ
ଭଲ ହୋଇଯିବ ”
ଦେଇ କି ପାରିବ ଭାଇ?
ବନ୍ଧୁ କହିଥିଲେ,
” ଆଗରୁ ଟିକିଏ
କହିଲନି ମୋତେ କାହିଁ ???

ସାବୁନ ଲଗେଇ
ଗାଧୋଇ ପଡିଲି
ଦେହେ ମୋର କିଛି ନାହିଁ
କେବେ ମାଗି ନାହଁ
ଲାଜ ବି ଲାଗୁଛି
ପାରୁ ନାହିଁ ଯେଣୁ ଦେଇ।”

କେତେ ଭଲ କଥା
ଗୁରୁ କହୁଥିଲେ
ସବୁ ମନେ ପଡେ ଏବେ
ଭଲରେ ଭଲରେ
ସବୁ ହିଁ ଚାଲିବ
ଅର୍ଥ ନ ମାଗିବ ଯେବେ।

ଅର୍ଥ ହିଁ ଅନର୍ଥ
ଏହି ମଣିଷକୁ
ଅନ୍ଧ କରି ଦେଇଥାଏ
ସୁମଧୁର ଏହି
ସଂପର୍କକୁ ସିଏ
କଳୁଷିତ କରିଦିଏ।
*****
ଅକ୍ଷୟ ମହାନ୍ତି

Show More

Related Articles

Back to top button