ଖେଳ

ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ

ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳ ଘୋଷଣା କରାଯାଇଛି। ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଦିନିକିଆ ଦଳର ଅଧିନାୟକ ଦାୟିତ୍ଵ କାହାକୁ ଦିଆଯିବ ତାକୁ ନେଇ ଜାରି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡିଛି। ରୋହିତ ଶର୍ମାଙ୍କୁ ମିଳିଛି ନୂତନ ଦାୟିତ୍ଵ। ଟି-୨୦ ଅନ୍ତର୍ଜାତୀୟ ପରେ ରୋହିତଙ୍କୁ ଭାରତୀୟ ଦିନିକିଆ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ବିରାଟ କୋହଲିଙ୍କଠୁ ଦିନିକିଆ ଦଳର ଅଧିନାୟକ ଦାୟିତ୍ଵ ଅପସାରଣ କରାଯାଇଛି। ଜାତୀୟ ଚୟନକର୍ତ୍ତା କମିଟି ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ରୋହିତ ଶର୍ମାଙ୍କୁ ଟି-୨୦ ବିଶ୍ଵ କପରେ ଟି-୨୦ ଦଳର ଅଧିନାୟକ କରାଯାଇଥିଲା। ବିରାଟ କୋହଲିଙ୍କୁ କେବଳ ଟେଷ୍ଟ ଦଳର ନେତୃତ୍ଵ ଦାୟିତ୍ଵ ଦିଆଯାଇଛି। ରୋହିତ ଶର୍ମାଙ୍କ ନେତୃତ୍ଵରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ୩-୦ରେ ବିଜୟୀ ହୋଇଥିଲା। ଏହା ପୂର୍ବରୁ ବିରାଟ କୋହଲିଙ୍କ ନେତୃତ୍ଵରେ ଭାରତୀୟ ଦଳ ଟି-୨୦ ବିଶ୍ଵ କପରେ ନୈରାଶ୍ୟଜନକ ପ୍ରଦର୍ଶନ କରି ସେମି ଫାଇନାଲ୍‌ରେ ପହଞ୍ଚି ପାରିନଥିଲା।

ତେବେ ବିଶ୍ଵ କପ୍ ଆରମ୍ଭ ହେବା ପୂର୍ବରୁ ହିଁ ବିରାଟ ଟି-୨୦ ଦଳର ଅଧିନାୟକ ପଦ ଛାଡିବେ ବୋଲି ଘୋଷଣା କରି ସାରିଥିଲେ। ତେବେ ବିରାଟ କୋହଲିଙ୍କୁ କେବଳ ଟେଷ୍ଟ ଦଳର ଅଧିନାୟକ ଦାୟିତ୍ଵ ଦେବା ଏବଂ ସୀମିତ ଓଭର କ୍ରିକେଟ୍‌ରେ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ କରାଯିବା ନେଇ ଦାବି ଜୋର ଧରିଥିଲା। ଏପରିକି ବିିସିସିଆଇର ଗୋଟିଏ ଗୋଷ୍ଠୀ ରୋହିତ ଶର୍ମାଙ୍କୁ ଟି-୨୦ ସହ ଦିନିକିଆ ଦଳର ଅଧିନାୟକ ନିଯୁକ୍ତି କରିବା ସପକ୍ଷରେ ଥିଲେ। ଅନେକ ବିଶେଷଜ୍ଞ ଏବଂ ପୂର୍ବତନ ଖେଳାଳି ମଧ୍ୟ ରୋହିତ ସୀମିତ ଓଭର କ୍ରିକେଟ୍‌ର ସବୁଠୁ ଯୋଗ୍ୟ ଅଧିନାୟକ ହୋଇ ପାରିବେ ବୋଲି ମତପୋଷଣ କରିିଥିଲେ। ବହୁତ ଆଲୋଚନା ପରେ ବିସିସିଆଇ ରୋହିତ ଶର୍ମାଙ୍କୁ ଟି-୨୦ ପରେ ଦିନିକିଆ ଦଳର ଅଧିନାୟକ ଦାୟିତ୍ଵ ଦେଇଛି। ଏବେ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଦଳର ନେତୃତ୍ଵ ନେବେ। ଜାନୁଆରୀ ୧୯ରୁ ଦୁଇ ଦେଶ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ଭାରତ ଓ ଦକ୍ଷିଣ ଆଫ୍ରିକା ସହିତ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଟେଷ୍ଟ ଶୃଙ୍ଖଳା ଡିସେମ୍ବର ୨୬ରୁ ଆରମ୍ଭ ହେବ।

Show More

Related Articles

Back to top button