ଦେଶ ବିଦେଶରାଜନୀତି

ଧର୍ମେନ୍ଦ୍ର ପ୍ରଧାନ: କେନ୍ଦ୍ର ଶିକ୍ଷାନୁଷ୍ଠାନରେ ସଂରକ୍ଷିତ ସିଟ୍ ଗୁଡ଼ିକୁ ଅଣସଂରକ୍ଷିତ ନ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

କିଭଳି ଭାବରେ ଏହି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ସିଟ୍ ଗୁଡ଼ିକ ପୂରଣ ହେବ ଏବଂ ସେମାନଙ୍କର ଉପସ୍ଥାପନ ବଢ଼ିବ ସେ ଦିଗରେ ବଳିଷ୍ଠ ପଦକ୍ଷେପ ନେବା ପାଇଁ କେନ୍ଦ୍ର ଶିକ୍ଷାନୁଷ୍ଠାନ ଗୁଡ଼ିକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସଂରକ୍ଷିତ ସିଟ୍ ଗୁଡ଼ିକୁ ଅଣସଂରକ୍ଷିତ କରି ସିଟ୍ ପୂରଣ କରାଯିବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ(ଇଡବ୍ଲୁଏସ) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କ ପାଇଁ ଥିବା ସଂରକ୍ଷଣ ସିଟ୍ ଗୁଡ଼ିକୁ ଅଣସଂରକ୍ଷିତ କରି ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କୁ ଆଡ଼ମିସନ ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଆଇଆଇଟି ଏବଂ ଏନଆଇଟି ସମେତ ସମସ୍ତ କେନ୍ଦ୍ରୀୟ ଶିକ୍ଷା ଅନୁଷ୍ଠାନ(ସିଇଆଇ) ଗୁଡ଼ିକ ସଂସଦରେ ସଂରକ୍ଷଣ ସହ ଜଡ଼ିତ ଗୃହୀତ ହୋଇଥିବା ଆଇନକୁ ଅକ୍ଷରେ ଅକ୍ଷରରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏ ନେଇ ଏକ ଅନୁସରଣ(କମ୍ଲିୟାନ୍ସ) ରିପୋର୍ଟ ଦାଖଲ କରିବା ପାଇଁ ସେ କହିଛନ୍ତି ।

 

ସୂଚନାଯୋଗ୍ୟ, କେନ୍ଦ୍ର ଶିକ୍ଷାନୁଷ୍ଠାନ ଗୁଡ଼ିକ ସିଇଆଇ(ରିଜରଭେସନ ଇନ୍ ଆଡ଼ମିଶନ) ଆକ୍ଟ, ୨୦୦୬ ଏବଂ ସିଇଆଇ (ରିଜରଭେସନ ଇନ୍ ଆଡ଼ମିସନ) ସଂଶୋଧିତ ଆଇନ ୨୦୧୨ ଦ୍ୱାରା ପରିଚାଳିତ ଏବଂ ଏହି ଆଇନ ଗୁଡ଼ିକରେ ଖାଲି ପଡ଼ିଥିବା ସଂରକ୍ଷିତ ସିଟ୍ ଗୁଡ଼ିକୁ ଅଣସଂରକ୍ଷିତ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସଂରକ୍ଷିତ ସିଟ୍ ଗୁଡ଼ିକୁ ପୂରଣ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଆର୍ଥିକ ଭାବରେ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ଦେବା ସହ ଆବଶ୍ୟକ ହେଲେ କମ୍ କଟ୍ ଅଫ୍ ଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ନାମଲେଖାରେ ସୁଯୋଗ ଦେବା ଉପରେ ବିଚାରବିମର୍ଷ କରିବାକୁ କହିଛନ୍ତି । ସମସ୍ତଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ କରିବା ତଥା କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ଉଦ୍ଦେଶ୍ୟ ପୂରଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ କାଉନସେଲିଙ୍ଗ, ନାମଲେଖାରେ ସହଯୋଗ ଏବଂ ପରୀକ୍ଷା ପାଇଁ ପ୍ରସ୍ତୁତ କରାଇବା ପାଇଁ ମଧ୍ୟ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

Show More

Related Articles

Back to top button