Breaking PLUSଓଡ଼ିଶାମୁଖ୍ୟ ଖବର

OAS ସ୍ତରରେ ବଡ ଧରଣର ଅଦଳବଦଳ

OAS ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ବିଭିନ୍ନ ବ୍ଲକରେ ବିଡିଓ ଓ ତହସିଲଦାର ଭାବେ କାର୍ଯ୍ୟ କରୁଥିବା ଓଏଏସ୍‌ଙ୍କ ସମେତ ଡେପୁଟି କଲେକ୍ଟର ଆଦିଙ୍କ ବିଭାଗ ଅଦଳ ବଦଳ କରାଯାଇଛି । ଏହି ତାଲିକାରେ ମୋଟ୍‌ ୨୯୫ ଜଣ ଓଏଏସ୍‌ ଅଧିକାରୀ ରହିଛନ୍ତି । ତେବେ ୨ ଟି ବିଜ୍ଞପ୍ତି ଜରିଆରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଓ ପଞ୍ଚାୟତି ରାଜ ବିଭାଗ ପକ୍ଷରୁ ଏହି ବଦଳି ଆଦେଶନାମା ପ୍ରକାଶ କରାଯାଇଛି ।  କେନ୍ଦ୍ର ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ କ୍ରମେ ଗତ ମେ’ ମାସରେ ସରକାରୀ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ଯେଉଁ କର୍ମଚାରୀ ମାନେ ଗୋଟିଏ ସ୍ଥାନରେ ୩ ବର୍ଷ ପୂରଣ କରିଛନ୍ତି ଓ ଯେଉଁମାନେ ନିଜ ଘରୋଇ ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ବଦଳି କରାଯିବା ବିଧି ରହିଥିବାରୁ ଏହି କାର୍ଯ୍ୟ ଜୋରଦାର ହୋଇଛି । ଓଡ଼ିଶା ପ୍ରଶାସନିକ ସେବା/ଓଡ଼ିଶା ରାଜସ୍ୱ ସେବା, ଗ୍ରୁପ- ବି ଅଫିସରଙ୍କ ତାଲିକା ପ୍ରଦାନ କରିଯିବା ପରେ ବିଭିନ୍ନ ବିଭାଗ ପକ୍ଷରୁ ବଦଳି ଆଦେଶନାମା ପ୍ରକାଶ ପାଉଛି । ମେ’ ୩ ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସରକାରୀ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ପକ୍ରିୟା ଶେଷ କରିବାକୁ କହିଥିଲେ । ଶ୍ରୀ ଧଳ ନିଜ ଚିଠିରେ କେନ୍ଦ୍ର ନିର୍ବାଚନ କମିସନଙ୍କ ମାର୍ଗଦର୍ଶିକା ପାଳନ ସମ୍ପର୍କରେ ଉଲ୍ଲେଖ କରିବା ସହ ଦେଶରେ ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନର କାର୍ଯ୍ୟକାଳ ୨୦୨୪ ମେ’ରେ ଶେଷ ହେଉଥିବାରୁ ଏହି ସମୟ ସୀମା ପୂର୍ବରୁ ଯେ କୌଣସି ମୂହୁର୍ତ୍ତରେ ନିର୍ବାଚନ ହୋଇପାରେ ବୋଲି ଦର୍ଶାଇଥିଲେ । ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ଏହି ବଦଳି ଓ ନିଯୁକ୍ତ କରିବାକୁ ନିର୍ବାଚନ କମିସନ ବିଜ୍ଞପ୍ତି ଅନୁଯାୟୀ ଏହି କାର୍ଯ୍ୟ କରିବାକୁ କହିଥିଲେ । ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ଏହି ବିଜ୍ଞପ୍ତିରେ ବଦଳି ହୋଇଥିବା ଅଧିକାରୀଙ୍କୁ ତୁରନ୍ତ ନିଜର ନୂତନ ପୋଷ୍ଟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Show More

Related Articles

Back to top button