ବାଣିଜ୍ୟ

୪୦ ଟଙ୍କା ଶସ୍ତା ହେଲା ସୋରିଷ ତେଲ ଦାମ୍

ସୋୟାବିନ୍ ଓ ବାଦାମ ତେଲ ମୂଲ୍ୟ ବି ହ୍ରାସ

ମହଙ୍ଗା ମାଡ ସମୟରେ ସାଧାରଣ ଲୋକଙ୍କୁ କିଛି ଆଶ୍ବସ୍ତି ମିଳୁଥିବା ନଜର ଆସୁଛି । ଦୁଇ ଦିନ ପୂର୍ବରୁ ସରକାରଙ୍କ ତରଫରୁ ପେଟ୍ରୋଲ-ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରାଯିବା ପରେ ଏବେ ଆଉ ଏକ ଆଶ୍ବସ୍ତିକର ଖବର ଶୁଣିବାକୁ ମିଳୁଛି । ଉତ୍ପାଦ ଶୁଳ୍କ ହ୍ରାସ କରାଯିବା ପରେ ପେଟ୍ରୋଲ ଦର ୯.୫ ଟଙ୍କା ପ୍ରତି ଲିଟର ପର୍ଯ୍ୟନ୍ତ ହ୍ରାସ ହୋଇଛି । ଏବେ ସୋରିଷ ତେଲ ଦର ହ୍ରାସ ହୋଇଛି । ଇଣ୍ଡୋନେସିଆର ରପ୍ତାନୀ ଖୋଲିବା ପରେ ତେଲ ମୂଲ୍ୟ ହ୍ରାସ ଘଟିଛି । ବୈଦେଶିକ ବଜାରରେ ଖାଇବା ତେଲ ଦର ବୃଦ୍ଧି ମଧ୍ୟରେ ଇଣ୍ଡୋନେସିଆ ତରଫରୁ ରପ୍ତାନୀ ଖୋଲିବା ଦେଶର ବଜାର ଉପରେ ମଧ୍ୟ ପ୍ରଭାବ ପକାଇଛି । ଗତ ସପ୍ତାହରେ ଅଧିକାଂଶ ତୈଳବିଜ ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଥିଲା । ଏହା ପ୍ରଭାବରେ କଚ୍ଚି ଘାନି ସୋରିଷ ତେଲ ମୂଲ୍ୟ ୪୦ଟଙ୍କା ଯାଏଁ ଶସ୍ତା ହୋଇଛି । ଏହା ଖାଇବା ତେଲ ଦରରେ ବଡ ହ୍ରାସ ବୋଲି ବିବେଚନା କରାଯାଉଛି ।

ସୂତ୍ର ଅନୁସାରେ ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ସୋରିଷ ତେଲ ମୂଲ୍ୟ ୧୦୦ ଟଙ୍କା ହ୍ରାସ ପାଇ ୭,୫୧୫-୭,୫୬୫ ଟଙ୍କା ପ୍ରତି କ୍ବିଣ୍ଟାଲରେ ପହଞ୍ଚିଯାଇଛି । ଏହାଦ୍ବାରା ସୋରିଷ ଦାଦରୀ ତେଲ ୨୫୦ ଟଙ୍କା ହ୍ରାସ ପାଇ ୧୫,୦୫୦ ଟଙ୍କା ପ୍ରତି କ୍ବିଣ୍ଟାଲରେ ବନ୍ଦ ହୋଇଥିଲା । ସେହିଭଳି ସୋରିଷ ପକ୍କି ଘାନି ଏବଂ କଚ୍ଚି ଘାନି ତେଲ ମୂଲ୍ୟ କ୍ରମଶଃ ୪୦-୪୦ ଟଙ୍କା ହ୍ରାସ ପାଇ ୨,୩୬୫-୨,୪୪୫ ଏବଂ ୨,୪୦୫-୨୫୧୫ ଟଙ୍କା ପ୍ରତି ଟିଣ (୧୫ କିଲୋ)ରେ ବନ୍ଦ ହୋଇଛି । ସୂତ୍ର ଅନୁସାରେ ବୈଦେଶିକ ବଜାରରେ ବୃଦ୍ଧି ସତ୍ତ୍ବେ ସୋୟାବିନ ଦାନା ଏବଂ ସୋୟାବିନ ଲୁଜ୍‌ର ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ଏହା ୭,୦୨୫-୭,୧୨୫ ଟଙ୍କା (ସୋୟାବିନ ଦାନା) ଏବଂ ୬,୭୨୫-୬,୮୨୫ ଟଙ୍କା ପ୍ରତି କ୍ବିଣ୍ଟାଲ (ସୋୟାବିନ ଲୁଜ୍)ରେ ବନ୍ଦ ହୋଇଛି । ବାଦାମ ରିଫାଇନ୍ ଦାମ୍ ମଧ୍ୟ ୨୫ ଟଙ୍କା ହ୍ରାସ ପାଇ ୨,୬୨୫-୨,୮୧୫ ଟଙ୍କା ପ୍ରତି ଟିଣ ବନ୍ଦ ହୋଇଛି । ଗତ ସପ୍ତାହରେ ବୈଦେଶିକ ବଜାରରେ ମୂଲ୍ୟ ବୃଦ୍ଧି ଯୋଗୁଁ ଅଶୋଧିତ ପାମ୍ ତେଲ ଦାମ୍ ମଧ୍ୟ ୫୦୦ଟଙ୍କା ହ୍ରାସ ପାଇ ୧୪,୮୫୦ ଟଙ୍କା ପ୍ରତି କ୍ବିଣ୍ଟାଲ, ପାମୋଲିନ୍ ଦିଲ୍ଲୀ ମୂଲ୍ୟ ୬୦୦ ଟଙ୍କା ହ୍ରାସ ପାଇ ୧୬,୩୫୦ ଟଙ୍କା ଏବଂ ପାମୋଲିନ୍ କାଣ୍ଡଲା ମୂଲ୍ୟ ୫୨୦ ଟଙ୍କା ହ୍ରାସ ପାଇ ୧୫,୨୦୦ ଟଙ୍କା ପ୍ରତି କ୍ବିଣ୍ଟାଲ ବନ୍ଦ ହୋଇଛି ।

Show More

Related Articles

Back to top button