ଓଡ଼ିଆ ଗଳ୍ପସ୍ୱତନ୍ତ୍ର

ଆସନ୍ତୁ ପଢିବା ଆଜିର ରାତ୍ରି କାହାଣୀ- “ “ପରଝିଅ” “

“ "ପରଝିଅ" “

“ପରଝିଅ”

ରଚନା : ଅପରାଜିତା ପ୍ରିୟଦର୍ଶିନୀ ମହାନ୍ତି ।

ସକାଳ ସାତଟା ରେ ଶଶୁରଙ୍କ ହାତକୁ ଚା କପ୍ ଟା ବଢେଇ ଦେଇ ଶାଶୁ ଙ୍କୁ ରକ୍ତ ଚାପ ର ଔଷଧ ସହିତ ଉଷୁମ୍ ପାଣି ଗ୍ଲାସ୍ ଟା ଦେଲା ବେଳେ ଛେପ ଢ଼ୋକି ରୂପା କହିଲା – ବୋଉ ମୁଁ କ’ଣ କହୁଥିଲି କି ବାପାଙ୍କୁ କାଲି ରାତିଠାରୁ ଭୀଷଣ ଜ୍ୱର। ଉଠି ବସି ପାରୁ ନାହାଁନ୍ତି। ତୁମେ ଯଦି ହଁ କୁହନ୍ତ, ତେବେ ମୁଁ କିଛି ଦିନ ଯାଇ ବାପାଙ୍କ ପାଖରେ……… ଥାଉ ଥାଉ…. ସବୁଥର ତୋର ଗୋଟେ ଗୋଟେ ନୂଆ ବାହାନା ବାଜି।ଗଳା ଖଙ୍କାରି କହିଲେ ଶାଶୁ। ନାଇଁ ବୋଉ ସତ କହୁଚି ଆପଣ ଙ୍କର ଯଦି ବିଶ୍ୱାସ ନ ହେଉଛି ଥରେ ଫୋନ୍ କରି ବୁଝି……..ଆମ କଥା ଆମକୁ ବୁଝିବା ମୁସ୍କିଲ । ଆମେ ଯାଉଛୁ କାହା କଥା ବୁଝିବାକୁ। ମୁଁ ଦେଖୁଛି ତୋ ଘର କଥା କହିଲା ବେଳେ ତୋର ସାହାସ ବଢିଯାଏ। ଶଶୁର ଙ୍କ ସାମ୍ନାରେ ମୋ ମୁହଁ ଉପରେ ଜବାବ୍ ଦେଉଛୁ। ହୃଦୟର ଅଦେଖା କୋହ କୁ ହୃଦୟର ରେ ଚାପି ନିରବରେ ମୁଣ୍ଡରେ ଓଢଣା ଦେଇ ରୋଷେଇ ଘରକୁ ଚାଲିଗଲା ରୂପା।ପଛରୁ ଶାଶୁଙ୍କ କଣ୍ଠ ସ୍ୱର ପର ଝିଅ ସବୁ ବେଳେ ସେଇ ପର ହୋଇ କି ରହିବ।ଦେଖୁନ ମାସକ ତଳେ ଯାଇ ବାପଘରୁ ଆସିଛି। ପୁଣି ଯିବାକୁ ମନ ଛନ ଛନ ହେଲାଣି।ସାତ ବର୍ଷ ର ବୋହୂ ହେଲାଣି ତଥାପି ଏ ଘରକୁ ନିଜର କରିପାରି ନାହିଁ। ଯେତେବେଳେ ଦେଖ ସେତେବେଳେ ବାପଘର ଚିନ୍ତା। ଶାଶୂଙ୍କ ଟାଇଁ ଟାଇଁ କଥା ଆଉ ଶୁଣିପାରି ନ ଥିଲା ରୂପା। ରୋଷେଇ ଘରୁ ବାହାରି ବାରି ଆଡ଼କୁ ଚାଲିଗଲା ସେ।ବଉଳ ଗଛ ମୂଳେ ପଡ଼ିଥିବା ପଥର ଉପରେ ବସି ଭୋ ଭୋ ହୋଇ କାନ୍ଦି ପକେଇଲା।ଅନ୍ତର ର ସମସ୍ତ କୋହକୁ ନିଗାଡି ଦେଲା ସେଇ ଶୁନଶାନ୍ ଗଛ ମୂଳରେ। କଣ୍ଠ ଫଟେଇ ମନ ଭରି କାନ୍ଦୁଥିଲା ରୂପା। ଏତିକିବେଳେ ଦଲକାଏ ପବନରେ ଗଛର ପତ୍ରରୁ ଟପ୍ ଟପ୍ ପାଣି କେତେ ଟୋପା ଝରି ପଡ଼ିଲା ରୂପା ଉପରେ। ସତେକି ତା କାନ୍ଦ ଦେଖି ବଉଳ ଗଛଟା ବି ଲୁହ ଝାରି ପକାଉଥିଲା। ତା’ର ବି କ’ଣ ତା ମାଆ କଥା ମନେ ପଡ଼ୁଥିଲା ?

କିନ୍ତୁ ରୂପା ର ଆଜି ତା ମାଆ କଥା ବହୁତ ମନେ ପଡ଼ୁଥିଲା। ସେ ମନ ଭିତରେ ଚିତ୍କାର କରି କହୁଥିଲା – ମାଆ ଲୋ ତୁ କାହିଁକି ଏମିତି ଛାଡି ଦେଇ ଚାଲିଗଲୁ ? ମୋତେ ଓ ବୁବନୁ (ତା’ର ସାନ ଭାଇ) କୁ ଛାଡି ଗଲୁ ସେଥିପାଇଁ ମୋ ମନରେ ଦୁଃଖ ନାହିଁ। ହେଲେ ତୁ କ’ଣ ଜାଣି ନ ଥିଲୁ ତୋ ବିନା ବାପା ଗୋଟାଏ ବେଳା ମଧ୍ୟ ରହି ପାରନ୍ତି ନାହିଁ। ନିଜେ ବାଢି ଖାଇପାରନ୍ତି ନାହିଁ କିମ୍ବା ହାତରେ ପାଣି ଗ୍ଲାସ୍ ଟେ ଆଣି ପି ପାରନ୍ତି ନାହିଁ।ତୁ ପରା ମାମୁଁ ଘରକୁ ଗଲେ ମାତ୍ର କେଇ ଘଣ୍ଟା ରେ ଫେରି ଆସୁ। ବାପାଙ୍କୁ ଏକା ଛାଡ଼ି ନା ତୁ ରହିପାରୁ ନା ବାପା? ହେଲେ ଆଜି ବାପାଙ୍କ ପ୍ରତି ଏମିତି ନିଷ୍ଠୁର କେମିତି ହେଲୁ ମା? ତୋ କଥା ମନେ ପଡ଼ିଲେ ମୁଁ କାନ୍ଦି ଦେଇ ତୋତେ ଭୁଲିଯାଏ କାହିଁକି ନା ତୁ ତ ବାପାଙ୍କ ସହ ମିଶି ସାତବର୍ଷ ତଳୁ ମୋତେ ମୋ ଘରୁ ବିଦା କରି ପର କରି ଦେଇଛ। ମୋ ଜଞ୍ଜାଳ ରେ ମୁଁ ଫୁରସତ ପାଏ ନାହିଁ। ସକାଳ ଠାରୁ ସଞ୍ଜ ଯାଏଁ ଜଣ ଜଣଂକର କଥା ବୁଝୁ ମୁଁ ନିଜକୁ ଭୁଲି ଯାଇଥାଏ । ଆଉ ଯେତେବେଳେ ରାତିରେ ଟିକେ ବାପାଙ୍କ କଥା ବୁଝି ବସେ ସେତେବେଳେ ତୁ ମନେ ପଡୁ କାହିଁକି ଜାଣିଛୁ? ବାପାଙ୍କ ର ଏକାକୀ ପଣ ଓ ଅସହାୟତା ମୁଁ ସହି ପାରେ ନାହିଁ।ଆଉ ବୁବୁନୁ ତା କଥା କ’ଣ କହିବି ସେ ତ ଏବେ ସୁଦ୍ଧା ଖାଇକରି ହାତ ଧୋଇବା ଶିଖି ନାହିଁ। ସତ କହିଥିଲୁ ମାଆ ମୁଁ ପର। ନା ମୁଁ ବାପାଙ୍କର ଏକଲା ପଣର ସାହା ହୋଇ ପାରିଲି ନା ଏପଟେ ଦିନ ଠୁ ରାତି ଯାଏଁ ସମସ୍ତଙ୍କ ମନ ଜାଣି ସେବା ଯୋଗାଇ ଦେବାକୁ ଯାଇ ନିଜର ହୋଇ ପାରିଲି ? ପଦେ ପଦେ କଥାରେ ସେହି ପର ଝିଅ ର ଆଖ୍ୟା ପାଇଲି। ସବୁଦିନ ଭଳି କାଲି ରାତିରେ ଯେତେବେଳେ ବାପାଙ୍କ ସହିତ କଥା ହେଲି ବାପା ଜ୍ବରରେ ଥରୁଥିଲେ। କଥା କହିବାର ଶକ୍ତି ତାଙ୍କ ପାଖରେ ନ ଥିଲା। ପାଣି ଗ୍ଲାସ୍ ଔଷଧ ଟିକେ ଦେବ କିଏ? ବାପାଙ୍କ ର ଏମିତି ଅବସ୍ଥା ରେ ତୋ କଥା ବହୁତ ମନେ ପଡ଼ିଲା ‌‌। ଛାତି ଫଟାଇ କାନ୍ଦିବାକୁ ଇଛା ହେଉଥିଲା।ତୋ ଉପରେ ବହୁତ ରାଗ ଆସୁଥିଲା।ତୁ ଏମିତି ସ୍ୱାର୍ଥପର କେମିତି ହେଲୁ ମା ? ଆମକୁ ଛାଡିଗଲୁ ଠିକ୍ ଅଛି ହେଲେ ବାପା ? ତାଙ୍କ କଥା ଅନ୍ତତଃ ଥରେ ତ ଚିନ୍ତା କରିଥାନ୍ତୁ।

ବାପା କହୁଥିଲେ ସେଦିନ କାଳେ ତୁମେ ଦୁଇ ଜଣ ବସି କଥା ହେଉଥିଲ।ଆଉ ତୁ ଖଟ ଉପରେ ଗଡି ପଡିଲୁ ସେଇ କ୍ଷଣି ତୋ ତଣ୍ଟି ରେ କିଛି ଲାଖିଲା ଓ ତୁ କାଶିବାକୁ ଲାଗିଲୁ ଦୁଇ ଦିନ ଥର କାଶିବା ପରେ ତୁ ମୁଣ୍ଡ ଟା ତଳକୁ କରି ଦେଲୁ। ଆଉ ତାପରେ ବାପା ତୋତେ ଯେତେ ଉଠେଇଲେ ତୁ ଆଉ ଉଠି ନ ଥିଲୁ। ସେତେବେଳେ ସେ ବିଚଳିତ ହୋଇ ପଡି ଶାଇ ପଡିଶା ଙ୍କ ସହାୟତା ରେ ମେଡିକାଲ ନେବାର ବ୍ୟବସ୍ଥା କରିଥିଲେ। ହେଲେ ତୁ କୁଆଡେ ସବୁଦିନ ପାଇଁ ଆମଠାରୁ ଦୂରକୁ ଚାଲି ଯାଇଥିଲୁ।ଆମ ଭାଇ ଭଉଣୀ ଙ୍କୁ ଛାଡି ଗଲୁ ସେଥିପାଇଁ ମୋ ମନରେ ଦୁଃଖ ନାହିଁ କିନ୍ତୁ ବାପା ଙ୍କୁ ଛାଡି ଗଲୁ ସେତକ କାହିଁକି ସହି ହେଉନି। ଏତେ ବଡ଼ ଘରଟା ରେ ସେ ଏବେ ନିଃସଙ୍ଗ ଯନ୍ତ୍ରଣା ଭୋଗୁଛନ୍ତି। ତାଙ୍କ ଦୁଃଖ ଦେଖି ହେଉନି। ଏପଟେ ଶାଶୁ ଘରର ଲକ୍ଷ୍ମଣ ଗାର ଡେଇଁ ତାଙ୍କ ପାଖକୁ ଯାଇ ପାରୁ ନାହିଁ। ମୋତେ ଟିକେ ଥଣ୍ଡା ଜ୍ବର ହେଲେ ଯିଏ ମୋତେ ରାତି ରାତି ଉଜାଗର ହୋଇ ଜଗି ବସୁଥିଲେ।ଭଲ ମନ୍ଦ ଜିନିଷ ଟିକେ ହେଲେ ନିଜେ ନ ଖାଇ ମା ପାଟିରେ ଗୁଞ୍ଜି ଦେଉଥିଲେ। ନିଜେ ପୁରୁଣା, ମଶିଆ ପିନ୍ଧି ମୋତେ ନୂଆ ପିନ୍ଧିବାକୁ ଦେଉଥିଲେ ସେ ଆଜି ଆଖିଆ,ଅପିଆ ଜ୍ୱର ରେ ପଡିଛନ୍ତି। ଦେହ ମୁଣ୍ଡରେ ହାତ ଟିକେ ମାରି ଦେବାକୁ ପାଖରେ କେହି ନାହିଁ। କାଲି ରାତି ସାରା ବାପାଙ୍କ କଥା ଚିନ୍ତା କରି ଯମାରୁ ନିଦ ହେଲା ନାହିଁ। ଖାଲି ତୋ କଥା ମନେ ପଡ଼ୁଥିଲା।ତୁ ଥିଲାବେଳେ ମୁଁ ତୁମମାନଙ୍କ ଚିନ୍ତା ନ କରି ନିଶ୍ଚିତ ରେ ରହି ପାରୁ ଥିଲି। ଆଜି କାଲି ବାପାଙ୍କ ଦୁଃଖ ସହି ହେଉନି।କି କ୍ଷଣଟେ ଶାନ୍ତିରେ ରହି ପାରୁନାହିଁ।

ମୁଁ ଯେତେବେଳେ ଗଲା ମାସରେ ଯାଇଥିଲିି ମୋତେ ଦେଖି କୋଟି ନିଧି ହୋଇ ଯାଇଥିଲେ ସେ। ମୋତେ ଦୁଆର ମୁହଁରେ ଦେଖୁ ଦେଖୁ କହିଲେ – ମା ରେ ମୁଁ ତୋ ଅପେକ୍ଷା ରେ ଥିଲି।ଆସିଲୁ ଭଲ ହେଲା କିଛି ଦିନ ଅନ୍ତତଃ ଭଲରେ ଟିକେ ବଞ୍ଚିଯିବି।ଏଡିକି ପଥର ତୋ ମାଆ! ମୋତେ ଯନ୍ତ୍ରଣା ସାଗରେ ଭସାଇ ଦେଇ ଏକା କରି ଛାଡ଼ି ଚାଲିଗଲା। ବଞ୍ଚିବା ବହୁତ କଷ୍ଟ ମା। ଖାଲି ପୁଅ ଟା ଉପରେ ଦୁବ ଟିକେ ପଡ଼ିଗଲେ ମୁଁ ଶାନ୍ତିରେ ମରି ପାରିବି।ଛି ବାପା ଏମିତି ଅମଙ୍ଗୁଳିଆ କଥା ଗୁଡିକ କାଇଁ କହୁଛ ? ମୁଁ ଆସିଗଲି ତୁମେ ଆଉ ଏଥର ଚିନ୍ତା କର ନାହିଁ। ହସିଲେ ବାପା ପାଗେଳୀ ଝିଅଟା ମୋ’ର! ତୁ ପରା ଏବେ ପର ଧନ ତୋ ଉପରେ ମୋର ଆଉ କୈାଣସି ଅଧିକାର ନାହିଁ।ତୋ ଶାଶୁ ଶଶୁରଙ୍କ ଇଛାରେ ଏବେ ତୋତେ ଚଳିବାକୁ ପଡିବ। ସେ ଯେତେଦିନ ଚାହିଁବେ ମୁଁ ସେତେଦିନ ତୋତେ କେବଳ ମୋ ପାଖରେ ରଖି ପାରିବି। ମୋ ଇଛା ମୋ ସୁଖ ସବୁ ସରି ଯାଇଛି ରେ ମା। ଏବେ ତୁ ଏ ଘରର କୁଣିଆ। ବାପାଙ୍କ କଥା ଶୁଣି ମୁଁ ବାପାଙ୍କୁ କୁଣ୍ଢେଇ ଧରି କାନ୍ଦି ପକେଇଲି। ବାପା ମୋ ମୁଣ୍ଡ ଆଉଁସି ଦେଲା ବେଳେ ପଚାରିଲି ବାପା ଗୋଟେ କଥା ପଚାରୁଚି ସତ କୁହ। ମୁଁ ଶାଶୁଘର ପାଇଁ ପର ଝିଅ ଆଉ ତୁମ ପାଇଁ କୁଣିଆ ହେଲେ ମୋ ନିଜ ଘର କେଉଁଟା? ଯାହାକୁ ମୁଁ ନିଜର ବୋଲି କହିପାରିବି? ବାପା କହିଲେ – କେବେ ଆଉ ବୁଝିବୁ? ତୁ କ’ଣ ଆଉ ଟିକି ପିଲା ହୋଇ ଅଛୁ? ତୁ ପରା ଏବେ ଗୋଟେ ପିଲା ର ମାଆ ହେଲଣୁ କେବେ ଆଉ ସଂସାର ବିଷୟରେ ବୁଝିବୁ ? ଶାଶୁ ଘର ହିଁ ତୋର ପ୍ରକୃତ ଯୁଦ୍ଧ କ୍ଷତ୍ର। ସେଇଠି ହିଁ ତୁ ତୋର ପରାକାଷ୍ଠା ଦେଖାଇବୁ। ସ୍ୱାମୀ,ପିଲା ପରିବାରକୁ ନେଇ ନିଜର କରି ତୋର ସଂସାର ଗଢିବୁ। ପରିବାର ରେ ସଭିଙ୍କ ମନ ନେଇ ନିଜର ଦାୟିତ୍ଵ ସୂଚାରୁରୂପେ ପରିଚାଳିତ କରିବୁ ।ବାପା ଙ୍କ କଥା ଶୁଣି ମୁଁ ପଚାରିଲି ହେଲେ ବାପା ମୁଁ କ’ଣ ଖାଲି ସମସ୍ତଙ୍କୁ ବୁଝୁଥିବି ? ଆମେ ମୋତେ ବୁଝିବାକୁ କେହି ନ ଥିବେ? ବାପା କହିଲେ – ଏଇଟା ହିଁ ହେଉଛି ଗୋଟେ ନାରୀ ର ଜୀବନ। ସେ ନିଜର ଇଚ୍ଛା ଅନିଚ୍ଛା କୁ ଜଳାଞ୍ଜଳି ଦେଇ ଭଲ ସ୍ତ୍ରୀ ଟିଏ, ସଂସ୍କାରି ବୋହୂ ଟିଏ ଆଉ ବୁଦ୍ଧିମତୀ ମାଆ ଟିଏ ହୋଇ ପାରିଥାଏ। ମୁଁ କିନ୍ତୁ ଚାହୁଁଥିଲି ସବୁ ସମ୍ପର୍କରୁ ମୁକ୍ତ ହୋଇ ତାଙ୍କ କୋଳରେ ମୁହଁ ଗୁଞ୍ଜି ତାଙ୍କର ସେଇ ଗେହ୍ଲି ଝିଅ ହୋଇ ର‌ହିବାକୁ।ଜାଣିଛୁ ମାଆ ତୋ ବିନା ଘରଟା ମାଡି ମାଡି ପଡୁଥିଲା।ପାଦ ଭିତରକୁ ଯିବାକୁ ରାଜି ନ ଥିଲା।ପୁରା ଘରଟା ନିଷିଦ୍ଧ ଅଞ୍ଚଳ ଭଳି ଖାଁ ଖାଁ ଲାଗୁଥିଲା। ମୁଁ ପ୍ରତ୍ୟେକ ଥର ଖାଇ ବସିଲେ ତୋର ଅନୁଭବ ମୋତେ ହେଉଥିଲା। ହାତରେ ପାଣି ଗ୍ଲାସ୍ ଆଣି ପିଉ ନ ଥିବା ଝିଅ ହାତରେ ଖାଇବା ଥାଳି ଧରି ବସିଲା ବେଳେ ଆଖିର ଲୁହ ରେ ଭାତ ଥାଳି ଟା ଭିଜି ଯାଉଥିଲା। ଖୁବ୍ ମନେ ପଡ଼ୁଥିଲା ତୋ କଥା।ଗଳା ଫଟାଇ କାନ୍ଦି ବାକୁ ଇଛା ହେଉଥିଲା ହେଲେ ବାପା କାଳେ ମୋ ଲୁହ ଦେଖି ଦେବେ ଆଉ ସେ ଯେତିକି ଭାଙ୍ଗିଛନ୍ତି ସମ୍ପୂର୍ଣ୍ଣ କାଳେ ଭାଙ୍ଗିଯିବେ ଏଇ ଡରରେ ମୁଁ ପ୍ରତ୍ୟେକ ମୂହୁର୍ତ୍ତ ଲୁଚାଇ ଲୁଚାଇ କାନ୍ଦୁଥିଲି। ବେଶ୍ କିଛି ଦିନ ମୁଁ ଥିବା ଯାଏଁ ବାପା ବହୁତ ଖୁସି ଲାଗୁଥିଲେ। କିନ୍ତୁ ଶାଶୁ ଙ୍କର ଫୋନ୍ ପାଇ ବାପା ଆଉ ମୋତେ ତାଙ୍କ ପାଖରେ ରଖିବା ପାଇଁ ଚାହିଁଲେ ନାହିଁ। ମୁହଁ ଶୁଖେଇ କହିଲେ -ମା ରେ ତୋତେ ଏବେ ତୋ ଘରକୁ ଫେରି ଯିବାକୁ ହେବ। ତୋ ଶାଶୁ ଶ୍ୱଶୁର ଙ୍କର ତୋର ଆବଶ୍ୟକତା ଅଛି।ତୋ ବିନା ସେମାନେ ଖାଇବା ପିଇବାରେ ଅସୁବିଧା ଭୋଗୁଛନ୍ତି। ମୁଁ ଆଶ୍ଚର୍ଯ୍ୟ ହୋଇ କହିଲି – ମୋ ଘର !! ମୋ ଘର ହୋଇଥିଲେ ମୁଁ କ’ଣ ନିଜ ଇଛାରେ କିଛି କରି ପାରନ୍ତି ନାହିଁ ? ମୁଁ ତ ସେ ଘରର କାମ କରା ଏକ ମେସିନ। ଯାହାର ମନ, ଇଛା, ପସନ୍ଦ କିଛି ନାହିଁ। ବାପା ମୋ ମୁଣ୍ଡକୁ ଆଉଁସି ଦେଇ କହିଲେ – ଦୁହିତା ପରା ଦୁଇ କୂଳକୁ ହିତା। ତୋର କର୍ମ ଓ କର୍ତ୍ତବ୍ୟ ହେଉଛି ସେଇଠି।ତୁ ମୋ ପାଇଁ ଏତେ ଚିନ୍ତା କରୁଛୁ ସେଇ ମୋ ପାଇଁ ବଡ଼ କଥା। ମୁଁ କାନ୍ଦି ପକେଇ କହିଲି – ହେଲେ ବାପା, ତମେ ତ ଏକା ହଇରାଣ ହେଉଚ! ତୁମକୁ ଏକା ଛାଡ଼ି ଯିବାକୁ କାଇଁ ଇଛା ହେଉନାହିଁ। ହସି ଦେଇ ବାପା କହିଲେ – ଜାଣିଛୁ ମା, ମୁଁ ବଞ୍ଚିଥିବା ଯାଏଁ ଏମିତି ହଇରାଣ ହେଉଥିବି।ହେଉ ଛାଡ୍ ତୁ ମନ ଖରାପ କରନି ମୁଁ ମଝିରେ ମଝିରେ ତୋ ପାଖରେ ଯାଇ ମୁହଁ ମାରି ଆସିବି। ଏବେ ତୁ ଆଉ ବିଳମ୍ବ ନକରି ବାହାରି ପଡ ସନ୍ଧ୍ୟା ପୂର୍ବରୁ ଆମକୁ ତୋ ଶାଶୁଘରେ ପହଞ୍ଚିବାକୁ ପଡିବ। ବାପାଙ୍କ କଥା ଶୁଣି ମୁଁ ତୋ ଆଲମାରୀ ଖୋଲିଲି ତୁ ପିନ୍ଧୁଥିବା ସେ ହଳଦିଆ ସୂତା ଶାଢ଼ୀ ଟିକୁ ଆଣି ଛାତିରେ ଚାପି ଧରି ମନ ଭରି କାନ୍ଦିଲି। ବାପା କାଳେ ଆସିଯିବେ ସେଇଥିପାଇଁ ମୁଁ ଭିତରୁ ଶିକୁଳି ଟା ଲଗାଇ ଦେଇଥିଲି। ଜମାଟ ବାନ୍ଧି ଥିବା ଅସରନ୍ତି ଅକୁହା ଜ୍ୱଳା କୁ ତୋ ଶାଢ଼ୀ ଭିତରେ ଲୁଚେଇ ଦେଇ ଆସିଲି। ମୁଁ ଜାଣିଥିଲି ତୁ ମୋ ପାଖରେ ଥିଲୁ ମୋ ମୁଣ୍ଡକୁ ତୋ କୋଳରେ ରଖି ମୋତେ ପ୍ରବୋଧନା ଦେଉଥିଲୁ। ମୁଁ ତୋତେ ଅନୁଭବ କରି ପାରୁଥିଲି କିନ୍ତୁ ତୁ ମୋତେ ଦେଖା ଦେଉ ନ ଥିଲୁ। ତା’ପରେ ମୁଁ ଚାଲି ଆସିଲି ବାପାଙ୍କୁ ଏକା କରି। ଜାଣିଛୁ ମା, ବାପା ନା ଏବେ ସମ୍ପୂର୍ଣ୍ଣ ବଦଳି ଯାଇଛନ୍ତି। ମନ ଆଉ ଶରୀର ତାଙ୍କର ରୁଗଣ୍ ପାଲଟି ଯାଇଛି। ହେଲେ ଏକଥା ମୁଁ କାହାକୁ କହିବି ? ଛୋଟ ଭାଇ ଟା କଥା ଚିନ୍ତା କଲେ ପେଟକୁ ଦାନା ଯାଏନି ମୋର। ଏପଟେ ରାତି ପାହିଲେ ଶାଶୁ ଙ୍କର ଦେଖେଇ ଶିଖେଇ କେତେ କଥା। ମୁଁ କାଳେ ସବୁବେଳେ ମୋ ଭାଇ କଥା ଚିନ୍ତା କରୁଛି। ଯେତେ ଯାହା ହେଲେ ପର ଝିଅ….. ଶାଶୁ ଙ୍କ ଉବାଚ ଶୁଣିବାକୁ ମୋର ଧୈର୍ଯ୍ୟ ରୁହେନି। ମୁଁ ଚାଲିଆସେ ଏଇ ବଉଳ ଗଛ ମୂଳକୁ ଟିକେ ନିରୋଳା ରେ ଲୁହ ଝାରିବାକୁ। ଏତିକିବେଳେ ଦଲକାଏ ଶୀତଳ ପବନରେ ଝରି ପଡ଼ିଲା କେତେ ଟୋପା ପାଣି ତା ପୁଣି ଆଉଜି ପଡ଼ିଥିବା ରୂପାର ଗାଲ ଉପରେ।ରୂପାକୁ ଲାଗୁଥିଲା ମାଆ ଆଜି ବି ଲୁହ ଦୁଇ ଟୋପା ଢାଳି ଦେଇ ତା ଗାଲକୁ ଗେଲ କରି ଦେଉଛି। ସତରେ କାହାର ସ୍ପର୍ଶ! ସେ ସ୍ୱପ୍ନ ଦେଖୁନି ତ?

ଆଖି ଖୋଲିଲା ରୂପା,ସାମ୍ନାରେ ତା’ର ପ୍ରିତମ ଠିଆ ହୋଇଥିଲେ।ରୂପା ଆଖିରୁ ଲୁହ ପୋଛି ପ୍ରିତମ କହିଲେ – ଥାଉ ରୂପା ଆଉ କାନ୍ଦନି ଉଠ ଚାଲ,ତୁମ ବ୍ୟାଗ୍ ପ୍ୟାକ୍ କର ଆମେ ବାପାଙ୍କ ପାଖକୁ ଯିବା। ଆଉ ହଁ, ମୋ’ର ମଧ୍ୟ କପଡା ଆଉ ଅଫିସର ବ୍ୟାଗ୍ ଦରକାରୀ ଜିନିଷ ସବୁ ଏକାଠି ନେଇଯିବ। କିଛି ବୁଝି ପାରୁ ନ ଥିଲା ରୂପା। ହାଁ କରି ପ୍ରିତମ ଙ୍କ ମୁହଁକୁ ଚାହିଁ ଥିଲା।ରୂପା ର ଗାଲକୁ ଆସ୍ତେ କରି ଚିମୁଟି ଦେଇ ପ୍ରିତମ କହିଲେ – ଆରେ ବୋକି ବାପାଙ୍କର ମାନେ ତୁମ ଶଶୁରଙ୍କ ନିର୍ଦ୍ଦେଶ କି ତାଙ୍କ ସୁନା ନାକି ବୋହୂ କୁ ନେଇ ତାଙ୍କ ବାପ ଘରେ ଛାଡ଼ିବାକୁ। ଆଉ ନିଜେ ମଧ୍ୟ ତୁମ ବାପା ମାନେ ମୋ ଶଶୁରଙ୍କୁ ଭଲ ଡାକ୍ତର ଦେଖାଇ ତାଙ୍କର ସମସ୍ତ ପରୀକ୍ଷା ନିରୀକ୍ଷା କରାଇ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କଲାପରେ ଯାଇ ଘରକୁ ଫେରି ଆସିବାକୁ। ଏଥର ଆଉ ଡେରି କରନି। ଜଲଦି ଜଲଦି ବାହାରି ପଡ। ପ୍ରିତମ କୁ କ’ଣ କହିବ ? ରୂପା ପାଖରେ ଆଉ ଭାଷା ନ ଥିଲା। ସତରେ ବାପାଙ୍କ ପାଖକୁ ଯିବା କଥା ଶୁଣି ସେ ଖୁସିରେ ଏକଦମ୍ ପାଗଳୀ ହୋଇଯାଇଥିଲା। ପ୍ରିତମ ଙ୍କୁ କୁଣ୍ଢେଇ ପକାଇ ଭୋ ଭୋ କରି କାନ୍ଦି ପକାଇଲା। ତାକୁ ଯେମିତି ବାପାଙ୍କ ର ସ୍ୱର ଶୁଭା ଯାଉଥିଲା ବାପା କହୁଥିଲେ – ମୁଁ ଅପେକ୍ଷା ତୋତେ କରିଛି ଲୋ ମା, ତୁ ମୋ ପାଖକୁ ଜଲଦି ଜଲଦି ପଳେଇ ଆ……. ଆଉ କାଳବିଳମ୍ବ ନକରି ରୂପା ଓ ପ୍ରିତମ ପୁଅକୁ ସାଥିରେ ନେଇ ବାପାଙ୍କ ଅଭିମୁଖେ ବାହାରି ପଡିଥିଲେ।ମନେ ମନେ ରୂପା ଭାବୁଥିଲା ଶଶୁରଙ୍କୁ ସେ କିଛି ନ କହି ଯଦି ଶଶୁର ତା ମନ କଥା ବୁଝି ଗଲେ। ତେବେ ଶାଶୁ କାହିଁକି ନୁହେଁ…..????

—– ସମାପ୍ତ —

Show More

Related Articles

Back to top button