Breaking PLUSଦୁର୍ଘଟଣାମୁଖ୍ୟ ଖବର

ଭଣଜା ପାଇଁ କାଳ ହେଲା ମାମୁଁଘର

ପରିବାର ଲୋକଙ୍କ ବୁକୁ ଫଟା କ୍ରନ୍ଦନରେ ଫାଟି ପଡ଼ୁଛି ଘର ।

କାଲି ହସଖୁସିରେ ଫାଟି ପଡ଼ୁଥିଲା ଘର, ଆଜି ସେ ଘରେ ନୀରବତାର ଛାୟା ଖେଳିଯାଇଛି । ପରିବାର ଲୋକଙ୍କ ବୁକୁ ଫଟା କ୍ରନ୍ଦନରେ ଫାଟି ପଡ଼ୁଛି ଘର । ମାମୁଁ ପୁଅ ବ୍ରତଘର ପୂଜାରେ ଯୋଗ ଦେବାକୁ ହସଖୁସିରେ ଆସିଥିବା ଯୁବକ ଜଣକ ନଦୀର ଅକାତ ପାଣିରେ ବୁଡ଼ିଗଲେ। ପୁଅର ମିଳୁନି ପତ୍ତା। ପୁଅ ଫେରିବ କି ନାହିଁ ସେହି କଥା ଭାବି ମା’ ମୁଣ୍ଡ ପିଟୁଥିବା ବେଳେ ଦମକଳବାହିନୀ ଖୋଜା ଖୋଜି କରି ନୟାନ୍ତ ହେଲେଣି। ଏଭଳି ଏକ ହୃଦୟ ବିଦାରକ ଘଟଣା ଆଜି ସକାଳେ ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ଘଟିଛି। ନିଖୋଜ ଯୁବକ ଜଣକ ହେଉଛନ୍ତି ଆଶୁତୋଷ ମହାପାତ୍ର । ଆଶୁତୋଷଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶଘାଇ ପଳାସପୁରରେ ହୋଇଥିବା ବେଳେ ସେ ଯୁକ୍ତ ୨ରେ ପାଠପଢୁଥିଲେ। ମାମୁଁ ପୁଅ ବ୍ରତଘର ପୂଜାରେ ଯୋଗ ଦେବାକୁ ସେ ଗତକାଲି କୁଜଙ୍ଗ ସାହାରାଡିହା ଆସିଥିଲେ। ଆଜି ସକାଳେ ପ୍ରାୟ ୮ଟାରେ ଆଶୁତୋଷ ଜଣେ ସମ୍ପର୍କୀୟଙ୍କ ସହ ମାମୁଁଘର ଗାଁରେ ଥିବା ପାଇକା ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗୋଡ଼ ଖସିଯିବାରୁ ୨ଜଣ ଯୁବକ ବୁଡ଼ି ଯାଉଥିଲେ। ଏହାଦେଖି ସେଠାରେ ମାଛ ମାରୁଥିବା ଲୋକେ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଆଶୁତୋଷଙ୍କ ପତ୍ତା ମିଳିପାରି ନାହିଁ। ତେବେ ଖବର ପାଇ କୁଜଙ୍ଗ ପୁଲିସ୍‌ ଓ ଦମକଳବାହିନୀ କର୍ମଚାରୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ତେବେ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପରେ ବି ଆଶୁତୋଷଙ୍କର ପତ୍ତା ମିଳିପାରିନି । ପରିବାର ଲୋକେ ଆଶା ଆଶଙ୍କାର ସହ ପୁଅର ଫେରିବା ବାଟକୁ ଅନେଇ ବସିଛନ୍ତି।

Show More

Related Articles

Back to top button