ଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଏବେ ଶୁଖିଲା ଓ ଖରାଟିଆ ରହିବ ପାଗ

ରାଜ୍ୟରେ ଏବେ ଆଉ ବର୍ଷା ଆଶଙ୍କା ନାହିଁ । ପ୍ରାୟ ସବୁ ଅଞ୍ଚଳରେ ପାଗ ଶୁଖିଲା ଓ ଖରାଟିଆ ରହିବ । ତେବେ ୮ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । କିନ୍ତୁ ୯ ଓ ୧୦ ତାରିଖ ରାଜ୍ୟତମାମ ପାଗ ଶୁଖିଲା ରହିବ । ସେପଟେ ରାତିରେ ଶୀତ ବଢ଼ିବ । ରାତି ତାପମାତ୍ରା ୩ ରୁ ୪ ଡିଗ୍ରୀ ଯାଏ ତଳକୁ ଖସିପାରେ ।

ଆଞ୍ଚଳିକ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ବାତ୍ୟା ଜୋୱାଦ୍‌ ଓଡ଼ିଶା ଉପକୂଳ ପାର୍‌ ହୋଇ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗକୁ ମୁହାଁଇ ସାରିଛି । ରବିବାର ସନ୍ଧ୍ୟାରେ ଏହା ଦୁର୍ବଳ ହୋଇ ଅବପାତକୁ ଖସିଥିଲା । ସୋମବାର ଭୋର୍‌ ସାଢ଼େ ୫ଟା ସୁଦ୍ଧା ଏହା ପୁଣି ଦୁର୍ବଳ ହୋଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ସଂଲଗ୍ନ ଅଞ୍ଚଳ ଉପରେ ସ୍ପଷ୍ଟ ଚିହ୍ନଟ ଲଘୁଚାପ ଓ ସକାଳ ସାଢ଼େ ୮ଟା ସୁଦ୍ଧା ଲଘୁଚାପକୁ ଖସିଥିଲା । ଏହାର ପ୍ରଭାବରେ ରବିବାର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଗତକାଲି ସନ୍ଧ୍ୟା ପରଠାରୁ ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ପାରାଦୀପରେ ସର୍ବାଧିକ ୨୦୦.୫ ମିଲିମିଟର ବର୍ଷା ହୋଇଛି । ବାରିପଦାରେ ୫୧, ବାଲେଶ୍ୱରରେ ୩୫.୮ ମିଲିମିଟର, ଚାନ୍ଦବାଲିରେ ୪୫.୭ ମିଲମିଟର, ପୁରୀରେ ୨୮.୫,

ଅନୁଗୁଳରେ ୩୦, କେନ୍ଦୁଝରରେ ୨୩.୪, ବୌଦ୍ଧରେ ୧୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସୋମବାର ସକାଳ ସାଢ଼େ ୮ ଟାରୁ ଅପରାହ୍ନ ସାଢ଼େ ୫ଟା ଭିତରେ କୌଣସି ସ୍ଥାନରେ ବିଶେଷ ବର୍ଷା ହୋଇନି । କେବଳ ଦାରିଙ୍ଗିବାଡିରେ କିଛି ସମୟ ଯାଏ ହାଲୁକା ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ଜଣାପଡିଛି । କୋହଲା ପାଗ ଯୋଗୁ ଗତ ଦୁଇଦିନ ହେବ ରାଜ୍ୟର ପ୍ରାୟ ସବୁ ସ୍ଥାନରେ ଦିନ ତାପମାତ୍ରା ଖସି ୨୦ରୁ ୨୨ ଡିଗ୍ରୀ ଭିତରେ ରହୁଥିଲା । ଏଥିପାଇଁ ଦିନରେ ବି ଶୀତ ଅନୁଭୂତ ହେଉଥିଲା । ସୋମବାର ଖରାଟିଆ ପାଗ ହେବା ପରେ ଦିନ ତାପମାତ୍ରା ବଢ଼ିଛି।ଝାରସୁଗୁଡ଼ାରେ ଦିନ ତାପମାତ୍ରା ସର୍ବାଧିକ ୨୯.୩ ଡିଗ୍ରୀ ରହିଥିଲା । ସୁନ୍ଦରଗଡରେ ୨୯ ଓ ଭୁବନେଶ୍ୱରରେ ୨୬.୮ ତାପମାତ୍ରା ରେକର୍ଡ ହୋଇଛି ।

Show More

Related Articles

Back to top button