ସ୍ୱାସ୍ଥ୍ୟ

୫୦ପ୍ରତିଶତ ଲୋକଙ୍କ ଠାରେ ରହିଛି ହାଇ ବିପି

ଏଥିରୁ ୧୭% କେବଳ ଯୁବ ବର୍ଗ

ଦେଶରେ ଉଚ୍ଚ ରକ୍ତଚାପ ରୋଗୀଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗଙ୍କ ‘ଇଣ୍ଡିଆ ହାଇପରଟେନସିଭ କଣ୍ଟ୍ରୋଲ ଇନିସିଏଟିଭ’ (ଆଇଏଚସିଇ) ଙ୍କ ଏକ ସର୍ଭେକ୍ଷଣରୁ ଏହା ଜଣାପଡିଛି। ଏଥିଲାଗି ଚଳାଯାଇଥିବା ଅଭିଯାନରୁ ଅନୁନ୍ୟ ୫୦ ପ୍ରତିଶତ ଲୋକେ ଉଚ୍ଚ ରକ୍ତଚାପ ଜନିତ ସମସ୍ୟାରେ ଗ୍ରସିତ ଥିବା ଜଣାପଡିଥିବା ବେଳେ ଏଥିରୁ ୧୭ ପ୍ରତିଶତ କେବଳ ଯୁବ ବର୍ଗ ବୋଲି କୁହାଯାଇଛି। ଏହି ଯାଞ୍ଚ ପୃଥକ ପୃଥକ କେନ୍ଦ୍ରରେ କରାଯାଇଛି।ସ୍ୱାସ୍ଥ୍ୟ ବିଭାଗ ଉଚ୍ଚ ରକ୍ତଚାପକୁ ସାଇଲେଣ୍ଟ କିଲର ( ନିରବ ଘାତକ) ବୋଲି କହିଛି। ଏଣୁ ସମୟ ଥାଉଥାଉ ରକ୍ତଚାପ ନିୟମିତ ଯାଞ୍ଚ କରାଇ ଚିକିତ୍ସା କରାଗଲେ ଅନେକ ଲୋକେ ସୁସ୍ଥ ରହିପାରିବେ ବୋଲି ବିଭାଗ କହିଛନ୍ତି। ଆଇଏଚସିଇ ଦେଶରେ ଜୁଲାଇ ୧୬ ତାରିଖରୁ ରକ୍ତଚାପ ଯାଞ୍ଚ ଆରମ୍ଭ କରିଥିଲେ। ଏଥିରେ ଯେଉଁମାନଙ୍କର ରକ୍ତଚାପ ନର୍ମାଲ ଠାରୁ ଉଚ୍ଚ ଥିଲା ପରୀକ୍ଷା କରି ସେମାନଙ୍କୁ ଔଷଧ ଦିଆଯାଇଥିଲା। ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ସ୍ୱାସ୍ଥ୍ୟ ବିଭାଗ ପଞ୍ଜିକରଣ କରିଥିଲେ।

ସମୟ ପୂର୍ବରୁ ରକ୍ତଚାପ ରୋଗର ଚିକିତ୍ସା କରାନଗଲେ ଏହା ଯୋଗୁ ଶରୀରର ଅନ୍ୟ ଅଙ୍ଗ ଯେପରି ହୃଦ, ବୃକକ, ମସ୍ତିଷ୍କ ଓ ରକ୍ତବାହିକା ଧମନୀର କ୍ଷତି କରିପାରେ। ଏଥିରେ ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ଲାଗି କରୋନା ଭାଇରସ ମହାମାରୀ ଏବେ ଘାତକ ହେଉଛି। ଦେଶରେ ଏପର୍ଯ୍ୟନ୍ତ କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ଏକ ତୃତୀୟାଂଶ ହାଇପରଟେନସନରେ ଆକ୍ରାନ୍ତ ଥିଲେ ବୋଲି ଜଣାପଡିଛି। ସେହିପରି କରୋନା ସଂକ୍ରମଣର ଭୟ ମଧ୍ୟ ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ଲାଗି ଅଧିକ।୨୦୨୫ ସୁଦ୍ଧା ଦେଶରେ କାର୍ଡିଓଭାସ୍କୁଲାର ରୋଗ ଯୋଗୁ ହେଉଥିବା ମୃତ୍ୟୁକୁ ଅନୁନ୍ୟ ୨୫ ପ୍ରତିଶତ ହ୍ରାସ କରିବା ଏହି ଅଭିଯାନର ଲକ୍ଷ। ଏଥିରେ ଉଚ୍ଚ ରକ୍ତଚାପ ଜନିତ ସମସ୍ୟାରେ ପୀଡ଼ିତ ଲୋକଙ୍କ ସଂଖ୍ୟା ୨୫ ପ୍ରତିଶତକୁ ହ୍ରାସ କରାଯାଇପାରେ କାର୍ଡିଓଭାସ୍କୁଲାର ଡିଜିଜ ମଧ୍ୟ ଦେଶରେ ନିୟନ୍ତ୍ରିତ ହୋଇପାରିବ ବୋଲି ଡବ୍ଲୁଏଚଓ ଡାକ୍ତର ଅଭିନବ କଡିଆ କହିଛନ୍ତି।

Show More

Related Articles

Back to top button