ବାଣିଜ୍ୟ

ସୁନା ହଲ୍‌ମାର୍କର ନିୟମ କଣ?

ହଲ୍‌ମାର୍କ ଗହଣା ବିକ୍ରି ଲାଗି ଦେଶରେ ସ୍ବତନ୍ତ୍ର ନିୟମ ପ୍ରଚଳିତ ହୋଇଛି। ଚଳିତ ବର୍ଷ ଜାନୁଆରିରେ ଏହି ନିୟମକୁ ସରକାର ଘୋଷଣା କରିଥିଲେ ଓ କେବଳ ହଲ୍‌ମାର୍କ ସୁନା ଗହଣା ବିକ୍ରି କରିବା ଲାଗି ଦୋକାନୀଗୁଡ଼ିକୁ କୁହାଯାଇଛି

ଏହି ନିୟମ ପାଳନ କରିବା ଲାଗି ସୁନା ବ୍ୟବସାୟୀମାନଙ୍କୁ ଗୋଟିଏ ବର୍ଷ ସମୟ ଦିଆଯାଇଛି। ବ୍ୟବସାୟୀମାନେ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ୍‌)ରେ ପଞ୍ଜିକୃତ ହେବେ ଏବଂ ସେମାନଙ୍କ ପୁରୁଣା ଷ୍ଟକକୁ ଏହି ସମୟରେ ବିକ୍ରି କରିପାରିବେ। ଗହଣା ସଂସ୍ଥାଗୁଡ଼ିକ ବିଆଇଏସ୍‌ରେ ପଞ୍ଜୀକୃତ ହୋଇ ୧୪,୧୮ ଓ ୨୨ କ୍ୟାରେଟ୍‌ ସୁନା ଗହଣା ବିକ୍ରି କରିପାରିବେ।
ସୁନା ଓ ରୁପାର ହଲ୍‌ମାର୍କିଂ-
ଏକ ଧାତବ ପଦାର୍ଥରେ ବାସ୍ତବରେ କେତେ ପରିମାଣର ମୂଲ୍ୟବାନ ଧାତବ ଉପାଦାନ ରହିଛି ତାହାକୁ ନିର୍ଦିଷ୍ଟ ଭା‌ବେ ଧାର୍ଯ୍ୟ କରିବା ହେଉଛି ହଲମାର୍କିଂ। ମୂଲ୍ୟବାନ ଧାତୁର ଶୁଦ୍ଧତାର ଗ୍ୟା‌ରେଣ୍ଟି ପାଇଁ ଅନେକ ଦେଶରେ ହଲମାର୍କକୁ ଅଫିସିଆଲ୍ ମାର୍କ ଭାବେ ବ୍ୟବହାର କରାଯାଉଛି।
ଏହା କାହିଁକି ଗୁରୁତ୍ବପୂର୍ଣ୍ଣ?
ହଲମାର୍କିଂକୁ ବାଧ୍ୟତାମୂଳକ କରିବା ପଛର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଗ୍ରାହକମାନଙ୍କୁ ଅପ୍ରମିଶ୍ରଣରୁ ସୁରକ୍ଷା ପ୍ରଦାନ କରିବା ଏବଂ ନିର୍ମାତାମାନଙ୍କୁ ଆଇନଗତ ପ୍ରକ୍ରିୟା ମାନିବାକୁ ଉତ୍ସାହିତ କରିବା। ସୁନା ଓ ରୁପାର ଗୁଣାତ୍ମକ ମାନକୁ ବଜାୟ ରଖି ଗ୍ରାହକମାନଙ୍କୁ ଠକେଇର ବଞ୍ଚାଇବା ପାଇଁ ସୁନା ଓ ରୁପା ଗହଣାର ହଲମାର୍କିଂକୁ ବାଧ୍ୟତାମୂଳକ କରାଯାଇଛି ବୋଲି ସରକାର କହିଛନ୍ତି। ଏହା ଜରିଆରେ ସାରା ବିଶ୍ବରେ ଭାରତକୁ ସୁନାର ଏକ ଅଗ୍ରଣୀ ବଜାର ଭାବେ ଉପସ୍ଥାପିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥି ସହିତ ସୁନା ଗହଣାର ରପ୍ତାନି ବଢ଼ାଇବାକୁ ମଧ୍ୟ ଯୋଜନା ରଖାଯାଇଛି। କେବଳ ୧୪,୧୮ ଓ ୨୨ କ୍ୟାରେଟ୍ ସୁନା ଗହଣାର ହଲମାର୍କ କରାଯିବା ପରେ ତାହାକୁ ବିକ୍ରି କରାଯିବ।

ଗ୍ରାହକମାନେ କିଭଳି ଶୁଦ୍ଧତାକୁ ଜାଣିବେ?
ସାରା ଦେଶର ୨୩୪ଟି ଜିଲ୍ଲାରେ ୯୧୫ ବିଆଇଏସ୍‌ ସ୍ବୀକୃତିପ୍ରାପ୍ତ ଆସେୟିଂ ଆଣ୍ଡ୍ ହଲମାର୍କିଂ ସେଣ୍ଟର୍‌ ରହିଛି। ସେହି ସେଣ୍ଟରରେ ପହଞ୍ଚି ଗ୍ରାହକମାନେ ଗହଣାର ଶୁଦ୍ଧତା ଜାଣିପାରିବେ। ଦେଶରେ ଥିବା ସମସ୍ତ ଗହଣା ହବ୍‌ରେ ପର୍ଯ୍ୟାପ୍ତ ପରିମାଣର ଆସେୟିଂ ଆଣ୍ଡ୍‌ ହଲମାର୍କିଂ ସେଣ୍ଟର୍‌ ରହିଛି। ଗଆହକମାନେ ୨୦୦ ଟଙ୍କା ଦେଇ ଗହଣାର ପରୀକ୍ଷା କରାଇପାରିବେ। ଏହି ସେଣ୍ଟରଗୁଡ଼ିକର ତାଲିକା ମଧ୍ୟ ଇଣ୍ଟରନେଟ୍‌ରେ ଉପଲବ୍ଧ ରହିଛି।
ହଲ୍‌ମାର୍କ ନଥିବା ଗହଣାକୁ ଗ୍ରାହକ ବିକିପାରିବେ ନା ନାହିଁ?
ହଲମାର୍କ ଥିବା ଗହଣା ବିକ୍ରି କରିବା ନିୟମ କେବଳ ଗହଣା ବିକ୍ରେତାମାନଙ୍କ ପାଇଁ ଲାଗୁ କରାଯାଇଛି। ତେବେ ଗ୍ରାହକମାନଙ୍କ ପାଖରେ ଯେଉଁ ହଲମାର୍କ ହୋଇନଥିବା ଗହଣା ରହିଛି ତାହାକୁ ସେମାନେ ଚାହିଲେ ଦୋକାନୀଙ୍କୁ ବିକ୍ରି କରିପାରିବେ। ଜୁଏଲାରି ସଂସ୍ଥା ସେହି ଗହଣାକୁ ତରଳାଇ ସେଥିରୁ ୧୪, ୧୮ ଓ ୨୨ କ୍ୟାରେଟ ମାନର ନୂଆ ଗହଣା ତିଆରି କରିପାରିବେ। ତେବେ ନୂଆ ଗହଣା ବିକ୍ରି କରିବା ପୂର୍ବରୁ ତାହାର ହଲମାର୍କିଂ କରିବାକୁ ପଡ଼ିବ।

Show More

Related Articles

Back to top button