ବାଣିଜ୍ୟ

୩ ଦିନ ଛୁଟି, ୪ ଦିନ କାମ !

ନୂଆ ୱେଜ୍

କେନ୍ଦ୍ର ସରକାର ୨୦୨୨ରେ ୪ ଶ୍ରମ ଆଇନ (ୱେଜ୍ କୋଡ) ଲାଗୁ କରିବାକୁ ଯାଉଛନ୍ତି। ହୁଏତ ଦେଶରେ ଆଗାମୀ ଆର୍ଥିକ ବର୍ଷ ସୁଦ୍ଧା ଏହା ଲାଗୁ ହୋଇଯାଇପାରେ। ଏହି ଆଇନ ଲାଗୁ ହେବା ପରେ ଆପଣଙ୍କ କାମ କରିବାର ଅଭ୍ୟାସ ସାଙ୍ଗକୁ ଅନେକ କିଛି ବଦଳି ଯିବ। ଏଥିରେ ଦୈନିକ କାର୍ଯ୍ୟ ଘଣ୍ଟା ସମେତ ମାସିକ ଆୟରେ ମଧ୍ୟ ପରିବର୍ତ୍ତନ ହେବ। ଆସନ୍ତୁ ଜାଣିବା ଶ୍ରମ ଆଇନରେ କ’ଣ ସବୁ ପ୍ରାବଧାନ ରଖିଛନ୍ତି ସରକାର ।

ସପ୍ତାହକୁ ୪ ଦିନ କାମ ଲାଗି ପ୍ରସ୍ତାବ
ସରକାରଙ୍କ ନୂଆ ୱେଜ କୋଡର ପ୍ରଭାବ ସରକାରୀ ଦପ୍ତରରେ କାର୍ଯ୍ୟ କରୁଥିବା ବେତନଭୋଗୀ କର୍ମଚାରୀଙ୍କ ସମେତ ମିଲ ଓ କଳକାରଖାନାରେ କାମ କରୁଥିବା ଶ୍ରମିକଙ୍କ ଉପରେ ମଧ୍ୟ ପଡିବ। କର୍ମଚାରୀଙ୍କ ବେତନରୁ ଆରମ୍ଭ କରି ସେମାନଙ୍କ ଛୁଟି ଓ କାର୍ଯ୍ୟ ଘଣ୍ଟା ମଧ୍ୟ ବଦଳିଯିବ। ନୂଆ ୱେଜ କୋଡରେ କର୍ମଚାରୀ ଓ ଶ୍ରମିକଙ୍କୁ ଦୈନିକ ୧୨ ଘଣ୍ଟା କାମ କରିବାକୁ ପଡିବ। ଶ୍ରମ ଓ ରୋଜଗାର ମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ଶ୍ରମିକ ଓ କର୍ମଚାରୀଙ୍କୁ ସପ୍ତାହକୁ ୪୮ ଘଣ୍ଟା କାମ କରିବାର ବ୍ୟବସ୍ଥା ଏବେ ଦେଶରେ ପ୍ରଚଳନ ହେବ।

ସପ୍ତାହରେ ମିଳିବ ୩ ଦିନ ଛୁଟି
ନୂଆ ୱେଜ କୋଡ ଅନୁସାରେ ଯେଉଁ କର୍ମଚାରୀମାନେ ଦୈନିକ ୧୨ ଘଣ୍ଟା ପରିଶ୍ରମ କରିବେ ସେମାନଙ୍କୁ ସପ୍ତାହରେ ୩ ଦିନ ଛୁଟିର ବ୍ୟବସ୍ଥା ମଧ୍ୟ ରହିବ। ତେବେ ଦୈନିକ ୮ ଘଣ୍ଟା କାମ କରୁଥିବା କର୍ମଚାରୀ ପ୍ରତି ୬ ଦିନରେ ଦିନରେ ଛୁଟି ଅର୍ଥାତ ମାସିକ ୪ଟି ସପ୍ତାହନ୍ତ ଛୁଟି ପାଇବେ। ସପ୍ତାହରେ ୪ ଦିନ ୪୮ ଘଣ୍ଟା ହେଉ କି ଦୈନିକ ୮ ଘଣ୍ଟା ହିସାବରେ ସପ୍ତାହକୁ ୬ ଦିନ ୪୮ ଘଣ୍ଟାର ଡ୍ୟୁଟି ପରେ କର୍ମଚାରୀଙ୍କ ସପ୍ତାହନ୍ତ ଛୁଟି ନିର୍ଦ୍ଧାରିତ ହେବ। ୧୨ ଘଣ୍ଟା କାମ କରୁଥିଲେ ୩ ଦିନ ଓ ୮ ଘଣ୍ଟା କାମ କରୁଥିଲେ ଦିନେ ଛୁଟି ମିଳିବ।

କମିଯିବ ଟେକ୍ ହୋମ ସାଲାରୀ
ନୂଆ ୱେଜ କୋଡରେ ସରକାର କର୍ମଚାରୀଙ୍କ ଭବିଷ୍ୟତ ସୁରକ୍ଷିତ କରିବା ଲାଗି ବ୍ୟବସ୍ଥା କରିଛନ୍ତି। ଏଥିରେ ଏବେ କର୍ମଚାରୀ ପାଉଥିବା ବେତନ ତୁଳନାରେ ଆଗକୁ ହ୍ରାସ ହେବ। ଏଣୁ ଯେଉଁମାନେ ଆଗାମୀ ବର୍ଷ ବେତନ ବୃଦ୍ଧି ଲାଗି ଆଶା ବାନ୍ଧିଥିଲେ ସେମାନଙ୍କୁ ନିରାଶ ହେବାକୁ ପଡିବ। ନିଯୁକ୍ତି ଦାତା ବେତନକୁ ଅନେକ ପ୍ରକାର ଭତ୍ତାରେ ବାଣ୍ଟି ଦେଉଛନ୍ତି। ଫଳରେ କର୍ମଚାରୀଙ୍କ ମୂଳ ବେତନ କମ ରହିବା ସହ ସେମାନଙ୍କ ଭବିଷ୍ୟନିଧି ଜମା ମଧ୍ୟ କମୁଛି। ଏବେ ଭବିଷ୍ୟନିଧି କର୍ମଚାରୀଙ୍କ ମୂଳ ବେତନର ୫୦ ପ୍ରତିଶତ ଜମା କରାଯିବ। ବଳକା ବେତନ କର୍ମଚାରୀ ହାତରେ ନେବେ। ସରକାରଙ୍କ ନୂଆ ୱେଜ କୋଡ ଅନୁସାରେ କର୍ମଚାରୀଙ୍କ ଭବିଷ୍ୟନିଧି ଜମା ବୃଦ୍ଧି ସହ ସେମାନଙ୍କ ଗ୍ରାଚ୍ୟୁଟି ବାବଦ ପ୍ରାପ୍ୟ ପୂର୍ବାପେକ୍ଷା ଯଥେଷ୍ଠ ବଢିଯିବ।

ନୂଆ ୱେଜ କୋଡ ଲାଗୁ ନିମନ୍ତେ ୧୩ ରାଜ୍ୟ ପ୍ରସ୍ତୁତ
କେନ୍ଦ୍ର ସରକାରଙ୍କ ନୂଆ ଶ୍ରମ ଆଇନ ଲାଗୁ ନିମନ୍ତେ ୧୩ ରାଜ୍ୟ ଏବେ ପ୍ରସ୍ତୁତ ହୋଇସାରିଲେଣି। କେନ୍ଦ୍ର ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଗତ ସପ୍ତାହ ପ୍ରାରମ୍ଭରେ ରାଜ୍ୟ ସଭାକୁ ଏହି ସୂଚନା ଦେଇଥିଲେ। ଏହା ବ୍ୟତୀତ ୨୪ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଏବେ ଏହି ଆଇନ ନିମନ୍ତେ ଚିଠା ପ୍ରସ୍ତାବ ପ୍ରସ୍ତୁତ କରୁଥିବାର କହିଥିଲେ। ଏଥିରୁ ପୁରା ଦେଶରେ ୨୦୨୨ରୁ କାର୍ଯ୍ୟର ଶୈଳୀ ଓ ଲୋକଙ୍କ ଆର୍ଥିକ ଅନୁଶାସନ ବଦଳିବ ବୋଲି ଆକଳନ କରାଯାଉଛି।

Show More

Related Articles

Back to top button