ଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଆସନ୍ତା ୧୬ରୁ ଖୋଲିବ ଶ୍ରୀମନ୍ଦିର

୨୩ରୁ ସର୍ବସାଧାରଣ ଦର୍ଶନ

ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଲା। ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ଆସନ୍ତା ୧୬ ତାରିଖ ସୋମବାର ଠାରୁ ଭକ୍ତମାନଙ୍କ ପାଇଁ ଖୋଲିବ ବଡ଼ଦେଉଳ । କାଳିଆ ସାଆନ୍ତଙ୍କ ସହ ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଦର୍ଶନ କରି ଚକ୍ଷୁ ପବିତ୍ର କରିବେ ଶ୍ରଦ୍ଧାଳୁ । ତେବେ ୧୬ ତାରିଖରେ ଶ୍ରୀମନ୍ଦିର ଖୋଲୁଥିଲେ ହେଁ ୨୩ ତାରିଖରୁ ସର୍ବସାଧାରଣ ଦର୍ଶନ ପାଇବେ । ପ୍ରଥମ ପାଞ୍ଚଦିନ ପୁରୀ ସହରବାସୀ ଶ୍ରୀମନ୍ଦିରରେ ଦର୍ଶନ କରିବେ । ଦର୍ଶନ ସମୟରେ କୋଭିଡ୍‌ କଟକଣା କଡ଼ାକଡ଼ି ପାଳନ କରାଯିବ । ଶ୍ରୀମନ୍ଦିର ପ୍ରବେଶ ପାଇଁ ଭକ୍ତମାନଙ୍କୁ ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ କିମ୍ବା ଡବଲ୍‌ ଡୋଜ୍‌ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବା ଜରୁରି । କରୋନା ସଂକ୍ରମଣ ଯୋଗୁଁ ଗତ ଏପ୍ରିଲ୍‌ ୨୩ ତାରିଖରୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ଥିଲା ।ଶ୍ରୀମନ୍ଦିର ଦର୍ଶନ ପାଇଁ ଖୋଲିବା ପ୍ରସଙ୍ଗରେ ଆଲୋଚନା ପାଇଁ ବୁଧବାର ନୀଳାଚଳ ଭକ୍ତ ନିବାସରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର ଅଧ୍ୟକ୍ଷତା କରିଥିଲେ । ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ସିଡିଏମ୍‌ଓ ଡା. ସୁଜାତା ମିଶ୍ର ଏବଂ ଏସ୍‌ପି କେ. ବିଶାଲ୍‌ ସିଂଙ୍କ ସମେତ ବରିଷ୍ଠ ସେବାୟତ, ଶ୍ରୀମନ୍ଦିର କୋଭିଡ୍‌ କମିଟିର ସଦସ୍ୟ ଏବଂ ଛତିଶା ନିଯୋଗର ପ୍ରତିନିଧିମାନେ ଯୋଗ ଦେଇଥିଲେ । ବୈଠକରେ ଆସନ୍ତା ୧୬ ତାରିଖରେ ବଡ଼ଦେଉଳ ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା ।ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର କହିଥିଲେ ଯେ, ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଚାହିଁ ବସିଛନ୍ତି । ଆଜି ଛତିଶା ନିଯୋଗ ବୈଠକର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୬ ତାରିଖରେ ବଡ଼ଦେଉଳ ଦର୍ଶନ ନିମନ୍ତେ ଖୋଲିବ । ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି । ଏହାପରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ପାଇଁ ୨୧ ଓ ୨୨ ତାରିଖ ଶ୍ରୀମନ୍ଦିର ବନ୍ଦ ରହିବ। ସେହି ଦୁଇ ଦିନ ଶ୍ରୀମନ୍ଦିର ପରିସର ବିଶୋଧିତ କରାଯିବ । ୨୩ ତାରିଖରୁ ସର୍ବସାଧାରଣ ଭକ୍ତ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ । ଏଥିପାଇଁ କୋଭିଡ୍‌ କଟକଣା କଡ଼ାକଡ଼ି ଭାବେ ପାଳନ କରାଯିବ । ପ୍ରବେଶ ପାଇଁ ୯୬ ଘଣ୍ଟା ପୂର୍ବରୁ ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ କିମ୍ବା ଡବଲ୍‌ ଡୋଜ୍‌ ଟିକା ନେଇଥିବା ପ୍ରମାଣପତ୍ର ଜରୁରି ।

ଶ୍ରଦ୍ଧାଳୁମାନେ ଏଥିମଧ୍ୟରୁ ଗୋଟିଏ ଦେଖାଇ ଶ୍ରୀମନ୍ଦିରକୁ ଯାଇପାରିବେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।ଭକ୍ତମାନେ ମଙ୍ଗଳ ଆଳତି, ସନ୍ଧ୍ୟା ଆଳତି, ବଡ଼ସିଂହାର ନୀତି ବେଳେ ଭିତର କାଠରେ ଦର୍ଶନ କରିପାରିବେ । ବାହାର କାଠରୁ ଅନ୍ୟ ନୀତି ସମୟରେ ଦର୍ଶନ ସୁଯୋଗ ପାଇବେ । ଦର୍ଶନାର୍ଥୀ ଧାଡି ଦର୍ଶନରେ ଶ୍ରୀମନ୍ଦିର ପ୍ରବେଶ କରିବେ । ଧାଡିରେ ସାମାଜିକ ଦୂରତା ରକ୍ଷା କରିବେ । ମାସ୍କ ପିନ୍ଧି, ହାତ ଧୋଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିବ । ସପ୍ତାହାନ୍ତ ସଟଡାଉନ,ଗଣେଷ ପୂଜା, ଜନ୍ମାଷ୍ଟମୀ ଆଦି ପର୍ବପର୍ବାଣୀରେ ଶ୍ରୀମନ୍ଦିର ଶ୍ରଦ୍ଧାଳୁ ପାଇଁ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଘୋଷଣା କରିଛନ୍ତି ।ମୁଖ୍ୟ ପ୍ରଶାସକ ଆହୁରି କହିଥିଲେ ଯେ, ବଡ଼ଦେଉଳ ଖୋଲିବା ପୂର୍ବରୁ ସମସ୍ତ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ କରାଯିବ । ଆସନ୍ତା ୮, ୯ ଓ ୧୦ ତାରିଖରେ ଏହି ଟେଷ୍ଟ କରାଯିବ। ସ୍ନାନଯାତ୍ରା ଓ ରଥଯାତ୍ରାରେ ସେବାୟତମାନେ ଭାଗ ନେଇଥିଲେ । କାଳେ କେହି ସଂକ୍ରମିତ ହୋଇଥିବା ତାହା ଏହି ଟେଷ୍ଟରୁ ଜଣାପଡ଼ିବ । ସେହିପରି ସମସ୍ତ ସେବାୟତ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟିକାକରଣ କରାଯିବ । ଯେଉଁମାନେ ଟିକା ନେଇନାହାନ୍ତି ସେମାନଙ୍କ ଘରେ ଟିକା ଦେବାର ବ୍ୟବସ୍ଥା କରାଯିବ । ଉଲ୍ଲେଖଯୋଗ୍ୟ ଯେ, କରୋନା ମହାମାରୀ ସଂକ୍ରମଣ ପାଇଁ ଗତ ଏପ୍ରିଲ୍‌ ୨୩ ତାରିଖରୁ ଶ୍ରୀମନ୍ଦିର ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ ରହିଥିଲା । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରା ସମ୍ପନ୍ନ ହୋଇଥିଲା ।

Show More

Related Articles

Back to top button