Breaking PLUSଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ହୋଲି ଖେଳି ଗାଧେଇବାବେଳେ ଖରସ୍ରୋତା ନଦୀରେ ଭାସିଗଲେ ୭ ଯୁବକ

ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡସୁଆଁର ଗାଁରେ ।

ଯାଜପୁର: ହୋଲି ହେଲା କାଳ । ରଙ୍ଗ ଖେଳିସାରି ଗାଧଉଥିବା ବେଳେ ଖରସ୍ରୋତା ନଦୀରେ ଭାସିଗଲେ ୭ ଯୁବକ। ସେମାନଙ୍କ ଭିତରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ବାକି ଯୁବକଙ୍କ ପତ୍ତା ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡସୁଆଁର ଗାଁରେ ।

ସୂଚନା ଅନୁଯାୟୀ , ଆଜି ଯାଜପୁର ଜିଲ୍ଲାରେ ହୋଲି ରଙ୍ଗ ଖେଳ ସରିବା ପରେ ୭ ଜଣ ଯୁବକ ବଡସୁଆଁର ନିକଟସ୍ଥ ଖରସ୍ରୋତା ନଦୀର ମଙ୍ଗଳାଘାଟକୁ ଗାଧେଇବା ପାଇଁ ଯାଇଥିଲେ। ଗାଧେଇବା ସମୟରେ ନଦୀର ପ୍ରଖର ସ୍ରୋତରେ ୭ ଜଣ ଭାସି ଯାଇଥିଲେ । ଖବର ପାଇବା ପରେ ପରିବାର ଲୋକେ ଖୋଜିବା ପାଇଁ ମଙ୍ଗଳା ଘାଟକୁ ଆସିଥିଲେ। ହେଲେ ସେମାନଙ୍କ ପତ୍ତା ପାଇନଥିଲେ। ମାତ୍ର ସେମାନଙ୍କୁ ପିନ୍ଧା ଲୁଗା ଓ ଚପଲ ନଦୀ କୂଳରେ ଥିବା ଦେଖିବାକୁ ମିଳିଥିଲା।

ଏହାପରେ ସେମାନେ ନଦୀରେ ବୁଡ଼ିଯାଇଥିବା ସନ୍ଦେହ କରି ପରିବାର ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଯାଜପୁର ଓ ବିଞ୍ଝାରପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ମଙ୍ଗଳାଘାଟରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ଅଗ୍ନିଶମ ବିଭାଗ ସେମାନଙ୍କ ଭିତରୁ ଜଣଙ୍କ ମୃତଦେହ ଉଦ୍ଧାର କରିଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମାର୍କଣ୍ଡପୁର ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା।ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପନ୍ନ ଥିବା ଜଣାପଡ଼ିଛି। ଅନ୍ୟ ୫ ଜଣଙ୍କ ପତ୍ତା ବର୍ତ୍ତମାନ ସୁଦ୍ଧା ମିଳି ପାରିନାହିଁ ।

Show More

Related Articles

Back to top button