ଓଡ଼ିଶାଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ମାଲକାନଗିରିରେ ଡେଙ୍ଗୁ ଆତଙ୍କ, ଚିହ୍ନଟ ହେଲେଣି ୬୨ ଆକ୍ରାନ୍ତ

ମାଲକାନଗିରି : ମାଲକାନଗିରିରେ ପିଛା ଛାଡ଼ୁନି ରୋଗ ଆତଙ୍କ। ଗୋଟିଏ ପଟେ ଅଜଣା ରୋଗ ଆତଙ୍କରେ ଲୋକେ କଲବଲ ହେଉଥିବା ବେଳେ ଅନ୍ୟପଟେ ଡରାଉଛି ଡେଙ୍ଗୁ ଆତଙ୍କ। ମାସକୁ ମାସ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ପ୍ରଶାସନ ଆଗରେ ବଡ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛି। ପ୍ରାୟ ୬ ମାସରୁ ଅଧିକ ସମୟ ହେବ ମାଲକାନଗିରି ଜିଲ୍ଲାରେ ଚିହ୍ନଟ ହେଉଛନ୍ତି ଡେଙ୍ଗୁ ଆକ୍ରାନ୍ତ। ଗତମାସରେ ୩୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚଳିତମାସରେ ଏପର୍ଯ୍ୟନ୍ତ ୬୨ଜଣ ରୋଗୀ ଚିହ୍ନଟ ହୋଇ ସାରିଲେଣି। ଏହା ଧୀରେ ଧୀରେ ନିୟନ୍ତ୍ରଣକୁ ଆସିବା ପରିବର୍ତ୍ତେ ପ୍ରତି ମାସ ଏହି ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲ୍ଲାର ଚିତ୍ରକୋଣ୍ଡା ଓ ମାଲକାନଗିରି, ବାଲିମେଳା ସହରରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି। ଏହାବାଦ ଅନ୍ୟ ସବୁ ବ୍ଲକ ଓ ସଦର ମହକୁମାରେ ବି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାବାରେ ଲାଗିଛି। ଡେଙ୍ଗୁ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ମାଲକାନଗିରି ସଦର ମହକୁମାରେ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ କରାଯାଇଛି । କିନ୍ତୁ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଅନେକ ରୋଗୀ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। ଗୁରୁତରମାନଙ୍କୁ ତୁରନ୍ତ କୋରାପୁଟ ସ୍ଥାନାନ୍ତର କରାଯାଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମାଲକାନଗିରିରେ ଡେଙ୍ଗୁ ବ୍ୟାପୁଥିବା ସ୍ୱୀକାର କରିବା ସହ ଭୟଭୀତ ନେହେବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି। ତେବେ ଆକ୍ରାନ୍ତଙ୍କ ସଂଖ୍ୟା ଉପରମୁହାଁ ଥିବା ବେଳେ ସ୍ଥିତି କିପରି ନିୟନ୍ତ୍ରଣକୁ ଆସିବ ତାକୁ ନେଇ ଉଠିଛି ପ୍ରଶ୍ନ। ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲାରେ ଅଜଣା ରୋଗରେ ୮ ଜଣଙ୍କ ଜୀବନ ଗଲାଣି । ଏହାପରେ ଡେଙ୍ଗୁ ଦାଉ ସାଧୁଥିବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ମାଲକାନଗିରି ଜିଲ୍ଲାବାସୀ।

 

Show More

Related Articles

Back to top button